ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଜୁଲାଇ ମାସର ପ୍ରତି ଶନି ଓ ରବିବାର କେନ୍ଦ୍ରାପଡ଼ା ଜିଲ୍ଲା ରହିବ ସଟ୍‌ଡାଉନ୍‌। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗର ନିର୍ଦ୍ଦେଶ ନମ୍ବର ୩୮୫୬ ର ୧୦ମ ସୂଚକାଙ୍କରେ ଜିଲ୍ଲାର ସ୍ଥିତି ଦେଖି କଟକଣା ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ  ନିଜସ୍ୱ ନିଷ୍ପତ୍ତି ନେବାକୁ କ୍ଷମତା ପ୍ରଦାନ କରାଯାଇଛି। ଏହି କ୍ଷମତା ବଳରେ କେନ୍ଦ୍ରାପଡା ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଯେଉଁ ଜିଲ୍ଲାରେ ୫୦ ଜଣରୁ କମ୍ ସକ୍ରିୟ କରୋନା ରୋଗୀ ରହିଥିବେ ସେହି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ୍ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଜୁଲାଇ ମାସରେ ଏନେଇ ରାଜ୍ୟର ୧୦ଟି ଜିଲ୍ଲା ଏହି କଟକଣା ମଧ୍ୟରେ ରହିଛି। ଜୁନ ମାସରେ ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ କରାଯାଉଥିଲା। ଜୁଲାଇ ମାସରେ ଏହି କଟକଣାରୁ କେନ୍ଦ୍ରାପଡା ଜିଲ୍ଲାକୁ ବାଦ୍ ଦେଇଥିଲେ ରାଜ୍ୟ ସରକାର।

ଜିଲ୍ଲାରେ କରୋନାର ପରିସ୍ଥିତି ଦେଖି ଜିଲ୍ଲାପାଳ ନିଜର ସ୍ୱତନ୍ତ୍ର କ୍ଷମତା ବଳରେ ସପ୍ତାହନ୍ତ ସଟଡାଉନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଚଳିତ ଜୁଲାଇ ମାସ ପାଇଁ ବଳବତ୍ତର ରହିବ। ଏହାଛଡା ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ।

Comment