ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କରୋନା ମହାମାରୀକୁ ହରାଇଲେ କେନ୍ଦ୍ରାପଡ଼ାର ବୃଦ୍ଧ ଦମ୍ପତି। କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ କରୋନା ଆକ୍ରାନ୍ତ ହୋଇ ଏହି ବୃଦ୍ଧ ଦମ୍ପତି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏବେ ସେମାନେ ସୁସ୍ଥ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ବଗଡା ପଞ୍ଚାୟତ ବଳିରାଜ ଗାଁର ୮୫ ବର୍ଷ ବୟସର ସୁରେନ୍ଦ୍ର ପତି କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ହଠାତ ସେହି ହସ୍ପିଟାଲରେ ଜଣେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ଆରମ୍ଭ କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଏଥିରୁ ବାଦ ପଡିଲେନି। ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୁରେନ୍ଦ୍ରଙ୍କଠାରେ ଗତ ଜୁନ୍‌ ୨୯ ତାରିଖରେ କରୋନା ପଜିଟିଭ୍ ମିଳିଥିଲା। ପରେ ତାଙ୍କ ୭୮ ବର୍ଷିୟା ସ୍ତ୍ରୀ ସାବିତ୍ରୀ ପତି କରୋନା ଆକ୍ରାନ୍ତ ହୋଇଥିଲେ। ଉଭୟଙ୍କୁ କଟକ ସ୍ଥିତ  ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

CGU newକ୍ୟାନ୍ସର ସହିତ କୋଭିଡରେ ଆକ୍ରାନ୍ତ ହୋଇଥିବା ସୁରେନ୍ଦ୍ର ଏବଂ ତାଙ୍କ ପତ୍ନୀଙ୍କୁ ନେଇ ପରିବାର ଚିନ୍ତାରେ ଥିଲେ। ପରିବାର ଲୋକେ ଏମାନଙ୍କର ଆରୋଗ୍ୟ ପାଇଁ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଶେଷରେ ଠାକୁର ପରିବାର ଲୋକଙ୍କ ଦୁଃଖ ଶୁଣିଲେ। ଗତ ୮ ତାରିଖରେ ଉଭୟ ସୁରେନ୍ଦ୍ର ଓ ସାବିତ୍ରୀ କରୋନା ମୁକ୍ତ ହେବା ଖବର ମିଳିଲା। ଗତ ୮ ତାରିଖରେ ସେମାନଙ୍କୁ କୋଭିଡ ହସ୍ପିଟାଲରୁ ଛାଡି ଦିଆଯାଇଥିଲା।

କୋଭିଡ ନିୟମ ଅନୁସାରେ ସେମାନଙ୍କୁ ନିଜ ଗାଁ ବଳିରାଜ ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ୭ ଦିନ ରଖାଯାଇଥିଲା। ଆଜି ସେମାନଙ୍କୁ ତାଙ୍କ ନିଜ ଘରକୁ ପଠାଇ ଦିଆଯାଇଛି। ଏବେ ସୁରେନ୍ଦ୍ର ଓ ସାବିତ୍ରୀ ନିଜ ଘରେ ୭ ଦିନ ସଙ୍ଗରୋଧରେ ରହିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି। ବୃଦ୍ଧ ଦମ୍ପତି କରୋନାକୁ ପରାସ୍ତ କରିଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Comment