ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ୨୦୧୯ ପାଇଁ କଂଗ୍ରେସର ରୋଡମ୍ୟାପ୍
  • ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ
  • ଲୋକଙ୍କ ସହ ଯୋଡ଼ି ହେବାକୁ ଦେଲେ ପରାମର୍ଶ
  • ଗାଁରେ ରହୁଥିବା ନେତାଙ୍କୁ କଂଗ୍ରେସ ଟିକେଟ

ଲୋକଙ୍କ ସହିତ ରୁହ। ଗାଁ ସମସ୍ୟା ସହ ଯୋଡ଼ି ହୁଅ। ଲୋକଙ୍କ ଶ୍ରଦ୍ଧାଭାଜନ ହୁଅ। ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଏହି ମନ୍ତ୍ର ଫୁଙ୍କିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଲୋକଙ୍କ ସହ ଯୋଡ଼ି ନହେଲେ ଟିକେଟ ମିଳିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି ନିରଞ୍ଜନ।

୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ୯ ତାରିଖରେ ଜିଲ୍ଲା ସଭାପତି ନିଯୁକ୍ତ କରିଛି କଂଗ୍ରେସ। ଚାରି ଦିନ ପରେ ବୁଧବାର ୧୦ଟି ସାଙ୍ଗଠନିକ ଜିଲ୍ଲାର ସଭାପତି ଏବଂ ପ୍ରମୁଖ କର୍ମକର୍ତ୍ତାଙ୍କୁ ଡାକି ନିରଞ୍ଜନ ୨୦୧୯ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ପରାମର୍ଶ ଦେଇଛନ୍ତି।

“ଭୁବନେଶ୍ୱରରେ ବସୁଥିବା ନେତାଙ୍କୁ ୨୦୧୯ରେ ଟିକେଟ ମିଳିବ ନାହିଁ। ଯେଉଁମାନେ ଗାଁରେ ଲୋକଙ୍କ କଥା ବୁଝୁଥିବେ ସେମାନଙ୍କୁ ହିଁ କଂଗ୍ରେସ ପ୍ରାର୍ଥୀ କରିବ। ଭୁବନେଶ୍ୱରରେ ବସୁଥିବା ଲୋକ କେବେ ନେତା ହୋଇପାରିବେ ନାହିଁ”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ନିରଞ୍ଜନ ଆହୁରି କହିଛନ୍ତି ଯେ ପ୍ରତି ୧୫ ଦିନରେ ଥରେ ଜିଲ୍ଲା ସଭାପତିମାନେ ସେମାନଙ୍କ ଜିଲ୍ଲାର ପ୍ରୋଗ୍ରେସ ରିପୋର୍ଟ ଦେବେ। କେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ଏବଂ କେଉଁମାନେ କରୁ ନାହାନ୍ତି ତାହା ଜଣାପଡ଼ିବ। ଏହାକୁ ଆଧାର କରି ଆମେ ୨୦୧୯ ପାଇଁ ପ୍ରାର୍ଥୀ ଚୟନ କରିବୁ।

ଖାଲି ସେତିକି ନୁହେଁ, ବୁଥ୍‌ ସ୍ତରୀୟ କମିଟି ଏବଂ ପ୍ରତି ଜିଲ୍ଲା ପରିଷଦ ଜୋନରେ ସଭାପତି ନିଯୁକ୍ତି କରିବାକୁ କଂଗ୍ରେସ ଜୋର୍ ଦେଇଛି। ଜୁଲାଇ ୧୦ ସୁଦ୍ଧା ବୁଥ୍ ସ୍ତରୀୟ କମିଟି ଗଠନ ଶେଷ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି।

ଗୁରୁବାର ଦିନ ସମାନ ପ୍ରସଙ୍ଗକୁ ନେଇ ୨୩ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ପୁଣି ଆଲୋଚନା କରିବେ ନିରଞ୍ଜନ।

୧୮ ବର୍ଷ ହେଲା କଂଗ୍ରେସ କ୍ଷମତାରେ ନାହିଁ। ପ୍ରମୁଖ ବିରୋଧୀ ଦଳ ଆସନରେ ବସି ଆସିଛି କଂଗ୍ରେସ। ହେଲେ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା। କଂଗ୍ରେସର ଏହି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ପଦରୁ ହଟିଥିଲେ। ତାଙ୍କ ଜାଗାରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହୋଇଛନ୍ତି।

ପିସିସି ସଭାପତି ହେବା ଦିନରୁ ନିରଞ୍ଜନ କଂଗ୍ରେସକୁ ପୁରୁଣା ଫର୍ମକୁ ଫେରାଇବା ପାଇଁ ଲାଗିଛନ୍ତି। ହେଲେ ବିଜେପି ଏବଂ ବିଜେଡି ଯେଉଁଭଳି ରଣନୀତି ପ୍ରସ୍ତୁତ କରୁଛନ୍ତି ତାକୁ ମୁକାବିଲା କରିବାରେ ନିରଞ୍ଜନଙ୍କ ଟିମ୍ କେତେ ସଫଳ ହେବ ତହା ଅପେକ୍ଷା କରି ଦେଖିବାର କଥା।

LEAVE A REPLY

Please enter your comment!
Please enter your name here