ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ବଦଳ ଅଭିଯୋଗକୁ ନେଇ ମଙ୍ଗଳବାର ଦିନ ଚହଳ ପଡ଼ିଥିଲା। ନବଜାତ ପୁତ୍ର ସନ୍ତାନ ବଦଳରେ ଡାକ୍ତରଖାନା କର୍ମଚାରୀ ଏକ ମୃତ ଶିଶୁ କନ୍ୟା ଦେଇଥିବା ଗୋଟିଏ ପରିବାର ଅଭିଯୋଗ ଆଣିବା ପରେ ଡାକ୍ତରଖାନାରେ ହଲ୍‌ଚଲ୍ ସୃଷ୍ଟି ହୋଇଥିଲା।

କାଶୀପୁର ବ୍ଲକ କୁମ୍ଭାରଶିଳା ଗାଁର ମାଧବ କୁମ୍ଭାର ସ୍ତ୍ରୀ କବିତାଙ୍କୁ ପ୍ରଥମେ ପ୍ରସୂତି ଚିକିତ୍ସା ପାଇଁ କାଶୀପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ରବିବାର ଦିନ ତାଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୋମବାର ସନ୍ଧ୍ୟାରେ ତାଙ୍କର ପ୍ରସବ ହୋଇଥିଲା। ତେବେ ପ୍ରସବ ସମୟରେ କବିତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ଡାକ୍ତର ରେଫର କରିଥିଲେ। ସୋମବାର ରାତିରେ କବିତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସରେ କୋରାପୁଟ୍‌କୁ ଚିକିତ୍ସା ପାଇଁ ପଠାଯାଇଥିଲା। ଏହି ସମୟରେ ଜନ୍ମିତ ନବଜାତକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ରଖାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହେବା ସହ ଜନ୍ମ ସମୟରେ ଶିଶୁର ଓଜନ କମ୍ ରହିଥିଲା। ଆଇସିୟୁରେ ରହିଥିବା ସମୟରେ ପିଲାଟିର ମୃତ୍ୟୁ ଘଟିଥିଲା।

ଶିଶୁର ପରିବାର ଲୋକ ଛୁଆଟିକୁ ନେବା ସମୟରେ ଅଭିଯୋଗ ଉଠାଇଥିଲେ ଯେ ତାଙ୍କର ପୁତ୍ର ସନ୍ତାନ ହୋଇଥିଲା ଏବଂ ଡାକ୍ତରଖାନା କର୍ମଚାରୀମାନେ ପୁଅଟିକୁ ବଦଳାଇ ମୃତ ଶିଶୁ କନ୍ୟାକୁ ଦେଇଛନ୍ତି।

ତେବେ ଡାକ୍ତରଖାନା ପକ୍ଷରୁ ଏହି ଅଭିଯୋଗର ଖଣ୍ଡନ କରାଯାଇଛି। ପ୍ରସୂତି କବିତାଙ୍କର ପୁତ୍ର ସନ୍ତାନ ନୁହେଁ, ଶିଶୁ କନ୍ୟା ପ୍ରସବ ହୋଇଥିଲା ବୋଲି ଡାକ୍ତର କହିଛନ୍ତି। ଏହି ଘଟଣାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ମୃତ ଶିଶୁର ପରିବାର ପକ୍ଷରୁ ଡାକ୍ତରଖାନା ପରିସରରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ସେମାନେ ଡାକ୍ତରଖାନା ଛାଡ଼ି ଚାଲିଯାଇଥିଲେ।

Comment