ଓଡ଼ିଶାଲାଇଭ୍ ବିଜ୍‌ନେସ୍ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ୍ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟରେ ଅଧିକ କ୍ଷମତା ମାଗିଲେ ଗଭର୍ଣ୍ଣର ଉର୍ଜିତ୍‌ ପଟ୍ଟେଲ୍।

ଦେଶରେ ଏବେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଦେଖା ଦେଇଥିବା ଅନି।ୟମିତତା ସବୁଠାରୁ ବଡ଼ ଆର୍ଥିକ ସମସ୍ୟାର କାରଣ ହୋଇଛି। ଅତୀତରେ ବିଭିନ୍ନ ଘରୋଇ ବ୍ୟାଙ୍କ ବିଭିନ୍ନ ସ୍କାମରେ ଛନ୍ଦି ହୋଇ ପଡ଼ିଥିବା ବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକ ମଧ୍ୟ ଏହି ଅଭିଯୋଗରୁ ଊର୍ଦ୍ଧ୍ୱରେ ନାହାନ୍ତି। ବିଶେଷକରି ଭାରତର ହୀରା ବ୍ୟବସାୟୀ ନିରବ ମୋଦି ଯେଭଳି ଭାବେ ବିଭିନ୍ନ କର୍ମଚାରୀଙ୍କୁ ଧରି ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ମାରିନେଲେ ତାହା ଦେଶର ବ୍ୟାଙ୍କିଙ୍ଗ୍ ପରିଚାଳନା ବ୍ୟବସ୍ଥା ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ପାଖରେ ଆବଶ୍ୟକ କ୍ଷମତା ନାହିଁ ବୋଲି କହିଛନ୍ତି ଦେଶର ଏହି ସର୍ବୋଚ୍ଚ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ୍ ପଟ୍ଟେଲ୍ ।

ମଙ୍ଗଳବାର ଦିନ ଅର୍ଥ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟରେ ହାଜର ହୋଇ ଉର୍ଜିତ୍ କମିଟିର ସଦସ୍ୟମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଷ୍ଟାଣ୍ଡିଂ କମିଟି ଉର୍ଜିତଙ୍କୁ ବିଭିନ୍ନ ଆର୍ଥିକ ବ୍ୟବସ୍ଥା, ବ୍ୟାଙ୍କ୍ ପରିଚାଳନା, ଅନିୟମିତତା ରୋକିବାରେ ବ୍ୟାଙ୍କ୍‌ଗୁଡ଼ିକ ବିଫଳତା ଆଦି ସମ୍ପର୍କରେ ପଚାରିଥିଲେ। ବିଶେଷକରି ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦି କିଭଳି ଭାବେ ବ୍ୟାଙ୍କ୍‌ରେ କଳାକନା ବୁଲାଇ ଦେଲେ ସେ ବାବଦରେ ଅନେକ ସଦସ୍ୟ ଉର୍ଜିତଙ୍କଠାରୁ ଜାଣିବାକୁ ଚାହିଁଥିଲେ।

ରିଜର୍ଭ ବ୍ୟାଙ୍କର ମୁଖ୍ୟ ଉର୍ଜିତ ପଟେଲ୍ ସିଧା ସିଧା କହିଛନ୍ତି ଯେ, ଅଡିଟ୍ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କର ପ୍ରତ୍ୟେକ ଶାଖା ଉପରେ ନଜର ରଖିବା ଅସମ୍ଭବ। ବିଶେଷକରି ବିଭିନ୍ନ ସରକାରୀ ବ୍ୟାଙ୍କ୍‌ର ପରିଚାଳନା ବୋର୍ଡରେ ରିଜର୍ଭ ବ୍ୟାଙ୍କ୍‌ର କୌଣସି ନୋମିନି ରହିବା ବ୍ୟବସ୍ଥା ନଥିବା କଥା ଉର୍ଜିତ୍ ଉଠାଇଥିଲେ। ଏହା କରାଗଲେ ରିଜର୍ଭ ବ୍ୟାଙ୍କ୍‌ ବିଭିନ୍ନ ବ୍ୟାଙ୍କ୍‌ର ପରିଚାଳନାଗତ ସ୍ୱଚ୍ଛତା ଏବଂ କୌଣସି ବଡ଼ ଧରଣର ସ୍କାମ୍ ରୋକିବା କ୍ଷେତ୍ରରେ ସଫଳ ହୋଇପାରିବ ବୋଲି ସେ ମତ ଦେଇଛନ୍ତି।

ନିକଟରେ ବିଭିନ୍ନ ଏଟିଏମ୍‌ରେ ଟଙ୍କାର ଯେଉଁ ଅଭାବ ଦେଖା ଦେଇଥିଲା ସେ ବିଷୟରେ ମଧ୍ୟ ସଦସ୍ୟମାନେ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣରଙ୍କଠୁଁ ଜାଣିବାକୁ ଚାହିଁଥିଲେ। ତା’ଛଡ଼ା ବିଭିନ୍ନ ସମୟରେ ଘଟୁଥିବା ବଡ ଧରଣର ବ୍ୟାଙ୍କ୍ ଜାଲିଆତି କାହିଁକି ରୋକାଯାଇପାରିବ ନାହିଁ ବୋଲି କେହି କେହି ସଦସ୍ୟ ଉତ୍ସୁକତାର ସହ ପ୍ରଶ୍ନ ପଚାରିଥିଲେ। ତେବେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହ ରିଜର୍ଭ ବ୍ୟାଙ୍କ୍ ପାଇଁ ଅଧିକ କ୍ଷମତା ଦରକାର ବୋଲି ଉର୍ଜିତ୍ ଉଠାଇଛନ୍ତି।

ରିଜର୍ଭ ବ୍ୟାଙ୍କ୍ ପାଇଁ ଉର୍ଜିତ୍ ପଟ୍ଟେଲ୍ ଯେଉଁସବୁ ଅଧିକ କ୍ଷମତା ମାଗିଛନ୍ତି ତା’ମଧ୍ୟରେ ରହିଛି:

  • ସରକାରୀ ବ୍ୟାଙ୍କ୍‌ର ଅଧ୍ୟକ୍ଷ ଏବଂ ଏମ୍‌ଡିଙ୍କୁ ନିଯୁକ୍ତି ଦେବା କିମ୍ବା ପଦରୁ ହଟାଇବା
  • ବ୍ୟାଙ୍କ୍‌ର ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ବା ପଦରୁ ହଟାଇବା
  • କୌଣସି କାର୍ଯ୍ୟାଳୟର ପ୍ରବନ୍ଧକ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କୁ ହଟାଇବା
  • ଆବଶ୍ୟକ ବେଳେ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା
  • ବିଭିନ୍ନ ସରକାରୀ ବ୍ୟାଙ୍କ୍‌ର ପରିଚାଳନା ବୋର୍ଡରେ ରିଜର୍ଭ ବ୍ୟାଙ୍କର ଜଣେ କିମ୍ବା ଏକାଧିକ ପ୍ରତିନିଧିଙ୍କୁ ନିୟୋଜିତ କରିବା
  • ଲାଇସେନ୍ସ ପ୍ରଦାନ କରିବା ଏବଂ ଲାଇସେନ୍ସ ଦେଲାବେଳେ ଆବଶ୍ୟକ ସର୍ତ୍ତାବଳି ଲାଗୁ କରିବା
  • ଆବଶ୍ୟକ ସମୟରେ ଯେକୌଣସି ବ୍ୟାଙ୍କର ପରିଚାଳନା ବୋର୍ଡର ବୈଠକ ଡକାଇ ପାରିବା
  • ବ୍ୟାଙ୍କ୍‌ର ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ ସଂସ୍କାର ଆଣିବା

ଉର୍ଜିତ୍ ପଟ୍ଟେଲଙ୍କ ଏହିସବୁ ଦାବି ସାଂସଦମାନଙ୍କ ପାଇଁ ଏକ ନୂଆ ଆହ୍ୱାନ ସୃଷ୍ଟି କରିପାରିଛି। ଦେଶରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଅଧିକ ଦୃଢ଼ତା ଓ ସ୍ୱଚ୍ଛତା ଆଣିବା ଲାଗି ଏଭଳି ସଂସ୍କାରମୂଳକ ପଦକ୍ଷେପ ଆବଶ୍ୟକ ବୋଲି ଅନେକ ସଦସ୍ୟ ମନେ କରୁଛନ୍ତି।

LEAVE A REPLY

Please enter your comment!
Please enter your name here