ଡକ୍ଟର ଭାଗ୍ୟଲିପି ମଲ୍ଲ

ରଜ ଭିତରେ ସତେ ଯେମିତି ନୀରବ ନଈଟିଏ ହୋଇ ବହିଯାଉଛି ଜୀବନ, ଆନନ୍ଦ, ସମ୍ପର୍କ, ବିଶ୍ୱାସ, ଭାଇଚାରା ଏବଂ ସହୃଦୟତାର ଏହି ମହନୀୟ ସଂସ୍କୃତି। ଯୋଡ଼ଣ ସୂତ୍ର। ଏ ଆନନ୍ଦ ନିଜ ପାଇଁ ଓ ମାଟିପାଇଁ। ଆଜି ଆମେ ସେଇ ଆନନ୍ଦରେ ବିଭୋର।

ଯା’ରେ ମନ ଦୋଳି ଉଡ଼ି ଯା’…ଆରେ ମେଘଛୁଇଁ ଫେରିଆ…। ତଳେ ତୃଷିତ ମାଟିର ଉତ୍ତପ୍ତ ଅଭିସାର। ଉପରେ ମଉନ ଆଷାଢ଼ର ଶୀତଳ ଅଭିମାନ। ମଝିରେ ମାଟିରୁ ଆକାଶ ପାଇଁ ଆମନ୍ତ୍ରଣର ଚିଟାଉ। ଚିଟାଉ ନେଇ ଯାଉଥିବା ମନଦୋଳିରେ ଅନୁଢା କିଶୋରୀ। ପହିଲି ବରଷାର ପହିଲି ଛୁଆଁ। ପଲ୍ଲୀବାଳାର ପାପୁଲିରେ ଓଦାମାଟିର କାଉଁରୀ ବାସ୍ନା।

ମେଘକୁ ଆକାଶରୁ ଓହ୍ଲେଇ ଆଣିବାର ଇଚ୍ଛା। ମନଦୋଳିରେ ଉଡ଼ି ମେଘକୁ ତୋଳି ଆଣିବାର ଇଚ୍ଛା। ଆକାଶ ଛୁଆଁ ମନ। ମାଟିରେ ପାଦ। ଆକାଶ ଆଉ ମାଟିକୁ ଏକାକାର କରିଦେବାର ଇଚ୍ଛା। ଗ୍ରୀଷ୍ମର ଅସହ୍ୟ ତାତିରେ ମେଘର କଅଁଳ ଛୁଆଁକୁ ଧରିତ୍ରୀ ଛାତିରେ ଆଙ୍କିଦେବାର ଇଚ୍ଛା। ଛୋଟ ହୃଦୟ। ଇଚ୍ଛା ବିଶାଳ। ଏଇ ଇଚ୍ଛାର ମୋହରେ ସତସତିକା ମାଟିକୁ ଓହ୍ଲେଇ ଆସେ ମେଘ। ଝରଝର ବରଷିଯାଏ।

ଏ ବେଳ, ଜ୍ୟେଷ୍ଠ ଶେଷ, ଆଷାଢ଼ ଆରମ୍ଭର ବେଳ। ଏକ ସନ୍ଧିକାଳ। ଏଇ ବେଳେ ଆକାଶ ତା’ର ମୁହଁ ଦେଖେ ମାଟିର ଦର୍ପଣରେ। ଭୂମି ସହ ଭୂମାର ମିଳନର ବେଳା। ତୃଷାର୍ତ୍ତ ମାଟି ଚାହେଁ ଆଷାଢ଼ର ଆଶ୍ଲେଷ। ନିଜକୁ ପୁଷ୍ପବତୀ, ଫଳବତୀ କରିବାର ଦୁର୍ବାର ଆକାଂକ୍ଷା ଜାଗେ ଧରିତ୍ରୀ ମାଟିରେ। ମିଳନ ହୁଏ ମାଟି ଆଉ ମେଘର।

ଏହି ମହାମିଳନର ଅନ୍ୟ ନାଁ ରଜ। କୃଷି-ସଂସ୍କୃତି ଓ ପ୍ରଜନର ପର୍ବ। ନିଜ ଭିତରେ ପ୍ରକୃତି ଏବଂ ପ୍ରକୃତି ଭିତରେ ନିଜକୁ ଅନୁଭବ କରିବାର ଏକ ମହାନ୍ ପର୍ବ। ଏ ବେଳେ ନାରୀ ଓ ମାଟି ଉଭୟ ସମାନ। ଉଭୟ ସୁନ୍ଦର। ଉଭୟ ରହସ୍ୟମୟ। ଉଭୟଙ୍କ ଦେହରେ ସକଳ ବୈଚିତ୍ର୍ୟ। ନାନା ପୁଲକ। ନାନା ଅନୁଭବ। ଉଭୟ ଈଶ୍ୱରଙ୍କ ଅନୁପମ ସୃଷ୍ଟି। ନାରୀ ତା’ର ଉତ୍ତରାଧିକାରୀକୁ ପୃଥିବୀକୁ ଆଣେ। ସକଳଙ୍କୁ ପ୍ରେମ, ଶ୍ରଦ୍ଧା, ତ୍ୟାଗ, ସହାନୁଭୂତି ଓ କ୍ରୋଧ ଦେଇ ପାଳନ କରେ।

ପ୍ରକୃତି ବି ଠିକ୍ ସେମିତି, ନାରୀ ପରି। ତା’ ଗର୍ଭରେ ବୀଜ ଅଙ୍କୁରିତ ହୁଏ। ପଲ୍ଲବିତ ହୁଏ, ଫୁଲ ଧରେ, ଫଳ ଫଳେ। ସକଳଙ୍କ ପାଇଁ ବଞ୍ଚିବାର ସାଧନ ପାଲଟିଯାଏ। ତାକୁ ହାଣ-ମାର, ଗେହ୍ଲା କର, ଆକଟକର – ଯାହା ଇଚ୍ଛା ତାହା କର। ପ୍ରତିବାଦ ନାହିଁ। ବେଳେବେଳେ ସେ ଭୟଙ୍କର, ଉଗ୍ର ଅବଶ୍ୟ ଦିଶେ। ମାତ୍ର କେତେ ସୁନ୍ଦର, କେତେ ଶାନ୍ତ, କେତେ ପ୍ରୀତିପଦା ଓ କେତେ ଆହ୍ଲାଦିନୀ! ନିଜକୁ ସର୍ବଂସହା କରି, ସକଳଙ୍କୁ ବାଣ୍ଟୁଥାଏ ଆନନ୍ଦ।

କବି ରାଧାମୋହନ ଗଡ଼ନାୟକଙ୍କ ଭାଷାରେ “ଅଚଳା ମୁଁ… ସର୍ବଂସହା ମୁଁ”। ମାତ୍ର, ଋତୁମତେ ବଦଳିଯାଏ ତା’ର ଚିତ୍ର ଓ ଚରିତ୍ର। ତେଣୁ ମଣିଷ ତାର ପରିଚର୍ଚ୍ଚା କରେ, ସେବା କରେ। ତାକୁ ଖୁସି କରିବା ପାଇଁ ତାର ସକଳ ଶ୍ରଦ୍ଧା ଏବଂ ଅନୁରାଗ ଓ ଅଭିମାନକୁ ସମର୍ପି ଦିଏ ଏହି ରଜରେ।

ନାରୀପରି ମାଟି ଏବେ ଋତୁମତୀ। ତାର ବିଶ୍ରାମ ଲୋଡ଼ା। ତାକୁ ଛୁଇଁବା ମନା। ତା’କୁ ଭୋଗ ଓ କ୍ଷତାକ୍ତ କରିବା ମନା। ସେ ନିଜକୁ ପ୍ରସ୍ତୁତ କରି ରଖେ ନିର୍ଦ୍ଦିଷ୍ଟ ଏକ ସମୟକୁ। ନିଜକୁ ସମର୍ପି ଦେବ ପୃଥିବୀର କଲ୍ୟାଣ ପାଇଁ। ନିଜକୁ ଉତ୍ସର୍ଗ କରିଦେବା ପାଇଁ ସତେଯେମିତି ଏ ପ୍ରସ୍ତୁତି। ସମର୍ପଣର ପ୍ରସ୍ତୁତି। କାରଣ ଏଥିରେ ହିଁ ତା’ର ଆନନ୍ଦ ଏବଂ ଏହାହିଁ ଜନ୍ମଦେବ ଏକ ଅନ୍ନମୟ, ଆନନ୍ଦମୟ, ସୁଖଦ ଭବିଷ୍ୟତ।

ରଜପର୍ବର ସଜବାଜଠୁ ଭୂଇଁନଅଣ ବା ଭୂମିଦହନ ପର୍ଯ୍ୟନ୍ତ ନୂଆ ପୀଢା, ନୂଆ ଲୁଗା, ହଳଦୀ, ଶିଳପୁଆ, ଲଙ୍ଗଳ ଲୁହା, ଚନ୍ଦନ, ସିନ୍ଦୁର ଏମିତିକି ଯେତେ ଯେତେ ଉପଯୋଗୀ ଉପଚାର ଭୂମିପୂଜା ପାଇଁ ଲୋଡ଼ା, ସେସବୁ ପ୍ରତୀକାତ୍ମକ। ତେଣୁ ରଜପର୍ବକୁ କୁହାଯାଏ ‘ବସୁମତୀଙ୍କ ଶୁଦ୍ଧସ୍ନାନ’। ବର୍ଷର ଏହି ସନ୍ଧିକାଳରେ ମାଟି ମାଆକୁ ସୁଖଦେବାଲାଗି ରଜପର୍ବର ପରିକଳ୍ପନା।

ରଜ ପାଳନରେ ମଣିଷ କେବଳ ଖୁସି ହୁଏନି, ତା’ର ଆନନ୍ଦ ଯେପରି ମାଟି ମାଆର ଆନନ୍ଦ। ମା’ତ ସବୁବେଳେ ତା’ ପିଲାମାନଙ୍କର ଆନନ୍ଦର ହିଁ ଅପେକ୍ଷା ରଖିଥାଏ। ଏଣୁ ସଜବାଜରୁ ଶେଷ ରଜ ପର୍ଯ୍ୟନ୍ତ ଚାରିଦିନ କାଳ ମାଟିକୁ ମା’ର ମାନ୍ୟତା ଦିଆଯାଏ। ଏବଂ, ଚତୁର୍ଥ ଦିନରେ ତା’କୁ ପୁଣିଥରେ ସଜକରି ଦିଆଯାଏ। ହଳଦିପାଣିରେ ଗାଧୋଇ ଦିଆଯାଏ, ନୂଆଲୁଗା ପିନ୍ଧେଇ ଦିଆଯାଏ। ଚନ୍ଦନ, ସିନ୍ଦୂର, କଜ୍ଜ୍ୱଳରେ ମଣ୍ଡି ଦିଆଯାଏ। କୁହାଯାଏ – ମା! ତୁ ଆମପାଇଁ ଅନ୍ନ ଓ ଆନନ୍ଦ ହେଇଯା! ରାଗିବୁନି। ପୁଣି ଆରବର୍ଷକୁ ଆମେ ତତେ ଏମିତି ଶ୍ରଦ୍ଧା ଓ ଆନନ୍ଦରେ ପରିଚର୍ଚ୍ଚା କରିବୁ।

ମିଥୁନ ସଂକ୍ରାନ୍ତିକୁ ‘ରଜ ସଂକ୍ରାନ୍ତି’ ଭାବେ ଗ୍ରହଣ କରାଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବାର ଭାଗରେ ବିଭକ୍ତ ରାଶିଚକ୍ରର ୬୦୦ ବା ବୃଷରାଶିକୁ ତ୍ୟାଗକରି ଯେତେବେଳେ ମିଥୁନରାଶିରେ ପ୍ରବେଶ କରନ୍ତି, ସେହି ଦିନଟିକୁ ମିଥୁନ ସଂକ୍ରାନ୍ତି କୁହାଯାଏ ଏବଂ ମାସଟିକୁ ମିଥୁନ ସୌର ମାସ କୁହାଯାଏ। ଏକ ଗଦାଧାରୀ ପୁରୁଷ ଓ ବୀଣାଧାରିଣୀ ସ୍ତ୍ରୀଙ୍କର ଯୁଗ୍ମ ବିଗ୍ରହ ରୂପରେ ମିଥୁନ ରାଶିର ପରିକଳ୍ପନା।

ପ୍ରଶ୍ନୋପନିଷଦରେ କୁହାଯାଇଛି – ସଃ ମିଥୁନମ୍ ଉତ୍ପାଦୟତେ, ରୟିଂ ଚ ପ୍ରାଣଂ ଚ ଇତି। ଏତୌ ମେ ବହୁଧା ପ୍ରଜାଃ କରିଷ୍ୟତ ଇତି, ଆଦିତ୍ୟୋ ହବୈ ପ୍ରାଣୋ ରୟିରେବ ଚନ୍ଦ୍ରମାଃ। ତେଣୁ ମିଥୁନ ସଂକ୍ରାନ୍ତି ସହ ରଜପର୍ବର ଏ ଯୋଡଣ।

କେବଳ ଓଡ଼ିଶା ନୁହେଁ, ପୃଥିବୀର ବହୁ ଭୂମିରେ ଗ୍ରୀଷ୍ମଋତୁର ଶେଷ ଓ ବର୍ଷାଋତୁର ଆରମ୍ଭରେ ଭୂମିପୂଜାର ପରମ୍ପରା ରହିଛି। ମାତ୍ର ଓଡ଼ିଶାର ରଜପର୍ବ ତାର ନିଜସ୍ୱ ତଥା ଆଉ କୌଣସି ସ୍ଥାନରେ ଏପରି ଚାରିଦିନ ପାଳିତ ହେବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ ନାହିଁ। ସଂଗ୍ରାହକ ଚକ୍ରଧର ମହାପାତ୍ରଙ୍କ ଭାଷାରେ – “ସୁଖର ବିଷୟ ଯେ ଏହି ରଜପର୍ବ କେବଳ ଉତ୍କଳର ନିଜସ୍ୱ। ଗ୍ରୀଷ୍ମ ଶେଷରେ ମିଥୁନ ସଂକ୍ରାନ୍ତିକୁ ମିଶାଇ ଏହିପର୍ବ ଚାରିଦିନ ପାଳିତ ହୋଇଥାଏ। ପୃଥିବୀ ରଜସ୍ୱଳା ହେବା ସମୟରେ କିଶୋରୀମାନେ ଦୋଳିର ଆୟୋଜନ କରିଥାନ୍ତି।”

ପଣ୍ଡିତ ସର୍ବସ୍ୱକାର ରଜରେ ପୃଥିବୀ ରଜସ୍ୱଳା ହୁଏ ବୋଲି କହିଛନ୍ତି – “ବୃଷ୍ୟାନ୍ତେ ମିଥୁନସ୍ୟାଦୌ ତନ୍ମଧ୍ୟେପି ଦିନତ୍ରୟଂ ରଜସ୍ୱଳା ସ୍ୟାତ୍ ପୃଥିବୀ କୃଷିକର୍ମଣି ଗର୍ହିତା’। ସୁତରାଂ ବୃଷମାସର ଶେଷ ମାସନ୍ତ, ମିଥୁନ ମାସର ଆରମ୍ଭ ସଂକ୍ରାନ୍ତି ଏବଂ ତା’ ପରଦିନ-ଏହିଭଳି ତିନିଦିନକୁ ରଜପର୍ବ ଭାବେ ପାଳନ କରାଯାଏ।

ଅଥର୍ବବେଦର ପୃଥିବୀସୂକ୍ତରେ କୁହାଯାଇଛି- ଯସ୍ୟାଂ ସମୁଦ୍ର ଉକ୍ତ ସିନ୍ଧୁରାପୋ, ଯସ୍ୟାମନ୍ନଂ କୃଷ୍ଟୟଃ ସଂବଭୂବୁଃ, ଯସ୍ୟାମିଦଂ ଜିନ୍ୱତି ପ୍ରାଣଦେଜତ୍, ସା ନୋ ଭୂମିଃ ପୂର୍ବପେୟେ ଦଧାତୁ। ଅର୍ଥାତ୍ ଯେଉଁ ପୃଥିବୀ ଉପରେ ସମୁଦ୍ର, ନଦୀ ଓ ଜଳ ରହିଛନ୍ତି, ଯେଉଁଥିରେ ଅନ୍ନ ଓ ମାନବକୃଷ୍ଟିର ସତ୍ତା ରହିଛି, ଯେଉଁଠାରେ ସମସ୍ତେ ଆନନ୍ଦିତ ହୁଅନ୍ତି, ଶ୍ୱାସ ପ୍ରଶ୍ୱାସ ନିଅନ୍ତି ତଥା ବିଚରଣ କରନ୍ତି-ସେଇ ଭୂମି ଆମର ନମସ୍ୟ। ପୃଥିବୀ ପ୍ରତି ଏହି ସମ୍ମାନବୋଧ, କୃତଜ୍ଞତା, ଚେତନତ୍ୱର ଆରୋପ ହିଁ ରଜପାଳନର ମୂଳତତ୍ତ୍ୱ। ଅର୍ଥାତ୍ ପୃଥିବୀ ଏକ ସାଧାରଣ ମୃତିକାପିଣ୍ଡ ମାତ୍ର ନୁହେଁ। ଏହା ଆମର ମାଆ। ମାଟି ମାଆ।

ଓଡ଼ିଶାର ଉପକୂଳ ଅଞ୍ଚଳରେ ରଜ ଖୁବ୍ ଆଡମ୍ବରରେ ପାଳନ କରାଯାଏ। ଗ୍ରାମ୍ୟ କିଶୋରୀମାନେ ପାଦରେ ଅଳତା, ହାତପାପୁଲିରେ ମଞ୍ଜୁଆତିର ବର୍ଣ୍ଣଛିଟା, ଦେହରେ ହଳଦୀ, ଆଖିରେ ଲାଞ୍ଜିଟଣାକଳା, ମଥାରେ ଟିପିଟିପି ଚନ୍ଦନ, ଯୋଡ଼ା କଦଳୀବେଣୀ ଉପରେ ରିବନ ଫୁଲ, ନୂଆ ରଙ୍ଗବେରଙ୍ଗର ପୋଷାକରେ ଗାଉଥାନ୍ତି ଦୋଳି ଉପରେ ଗୀତ। ଦୋଳି ମାଟି ଉପରୁ ଉଡ଼ିଯାଉଥାଏ ଆକାଶ ଆଡେ଼।

ହସଖୁସି ଥଟ୍ଟାମଜା ଭିତରେ ରଜଦୋଳି କଟମଟ ଡାକୁଥାଏ – “ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନାମୁକୁଟ ଲୋ ଦିଶୁଥାଏ ଝଟଝଟ”। ଏଣେ ଆକାଶକୁ ଉଠୁଥାଏ ଦୋଳି। ଆକାଶରେ ପୋରୁହାଁ ମେଘର ଚଅଁର। ଏଇ ବର୍ଷିଯିବ ବର୍ଷିଯିବ ହେଉଛି। ସତେଯେମିତି ମାଟିର କିଶୋରୀ ଆହ୍ୱାନ କରୁଛି ମେଘକୁ। ମେଘକୁ ଛୁଇଁଯାଉଛି ତା ବାଉଁଶର ଦୋଳି। ପୁଣି ଗୀତ – “ଘରର ଉପରେ ଘର, ଘର ଥିଲାଯାକେ ଘରର ଝିଅଲୋ, ଏରୁଣ୍ଡି ଡେଇଁଲେ ପର।”

ଆକାଶ ଛୁଆଁ ମନନେଇ ମନଦୋଳିରେ ଉଡୁଥିବା ଝିଅ ଦିନେ ପରଘରକୁ ଚାଲିଯିବ। ସେ ବି ଜନ୍ମଦେବ ଏକ ନୂଆ ଜାତକକୁ, ପୃଥିବୀର ଉତରାଧିକାରୀକୁ, ଏଇ ଧରିତ୍ରୀ ପରି। ହୋଇପାରେ, ଏ ସବୁ ତା’ର ପ୍ରତୀକାତ୍ମକ ପରିକଳ୍ପନା। ରଜଦୋଳିର ଗୀତରେ ବାରିହୋଇଯାଏ ଓଡ଼ିଶାର ପୁରପଲ୍ଲୀରେ ଝିଅବୋହୂମାନଙ୍କର ସୁଖ, ଦୁଃଖ, ଗଣା, ଦହନ ଓ ମୋହନର କଥା।

ଏଣେ, ଗାଁ ମୁଣ୍ଡର ବଡ଼ବଡ଼ ଆମ୍ବ, ଚାକୁଣ୍ଡା, ଅର୍ଜୁନ ଓ ମହୁଲ ଗଛମାନଙ୍କରେ ବନ୍ଧାଯାଇଥିବା ବାଉଁଶ ଦୋଳିରେ କିଶୋରୀମାନଙ୍କର ଦୋଳିଖେଳ। ତେଣେ, ଗାଁ ଦାଣ୍ଡରେ କିଶୋରମାନଙ୍କର ବାଗୁଡିଖେଳ, ତାସ, ଲୁଡୁ, ପଶାପାଲିର ଆସର। ଖିଲିପାନର ମହକ। ପୋଡପିଠାର ବାସ୍ନା। ଚାକିରିଆ ସ୍ୱାମୀର ଫେରନ୍ତା ବାଟକୁ ନୂଆବୋହୂର ଅପେକ୍ଷା। ନୂଆ ବାହାହୋଇଥିବା ଝିଅର ଶାଶୁଘରୁ ଆସିଥିବା ମିଠେଇ ଭାରର ମହକରେ ରଜ ପରିପୂର୍ଣ୍ଣ ଲାଗେ।

ଓଡ଼ିଶାରେ ଦୁଇ ପ୍ରକାରର ଦୋଳି ଗୀତ ଦେଖିବାକୁ ମିଳେ। ଗୋଟିଏ ରଜଦୋଳି ଗୀତ, ଅନ୍ୟଟି କେଳୁଣିର ଦୋଳିଗୀତ। ଗ୍ରାମାଞ୍ଚଳରେ କେଳୁଣୀମାନେ ଉଚ୍ଚ ବାଉଁଶ ଉପରେ କୁଆଦୋଳି, ଶୁଆଦୋଳିରେ ବସି ଦୀର୍ଘ ଲହରରେ ଗୀତ ଗାଉଥାନ୍ତି, ଯାହା ଉର୍ଦ୍ଦୁ ଗଜଲର ସମଧର୍ମୀ। “ଆଷାଢେ଼ ହଳି ବାମନ, ରଥେ ବସି ତିନିଜଣ, ଆଗେ ବଳଭଦ୍ର, ମଝିରେ ଶୁଭଦ୍ରା ତହିଁ ପଛେ ଦାରୁବ୍ରହ୍ମ ଲୋ କୋଇଲି, ଶୁଣ”… ଇତ୍ୟାଦି।

ରଜ ଚାରି ଦିନଯାକ ଘରେ ଘରେ ପିଠାପଣା। ପୋଡପିଠା, ଚକୁଳି, ମଣ୍ଡା, ଆରିସା, କାକରା। କ୍ଷୀରିର ବାସ୍ନାରେ ମହକି ଉଠେ ରଜ। ପହିଲି ଆଷାଢ଼ର ଗୁମୁସୁମ ପରିବେଶ। ଗାଁ ଦାଣ୍ଡରେ ସାପୁଆ କେଳାର ସାପଖେଳର କୁହୁକ। ରଙ୍ଗବେରଙ୍ଗର ବାଉଁଶପାତିଆର ଟୋକେଇ, ଭୋଗେଇ, ଡାଲାର ପସରାରେ କେଳୁଣୀର ବିପଣୀ। ପୁଣି ଚିତାକୁଟା କେଳୁଣୀର “ଆସ ଚିତା କୁଟେଇବ ଲବଙ୍ଗଲତା” ଗୀତରେ ରଜର ଅପୂର୍ବ ଅନୁଭବ। ତେବେ, ଆଧୁନିକ ଜୀବନଧାରା, ଭିନ୍ନ ବଞ୍ଚିବାର ଚଳଣି, ବର୍ତ୍ତମାନ ହୁଏତ ଏଇ ପଲ୍ଲୀ ଓ କୃଷିଭିତ୍ତିକ ପର୍ବକୁ କୋଣଠେଶା କରିବାକୁ ଆରମ୍ଭ କରିଛି। ମାତ୍ର ଓଡ଼ିଆ ଜାତିର ଏହି ସାଂସ୍କୃତିକ ପର୍ବଟି ତାର ମହତ୍ୱ ଓ ମହକକୁ ତଥାପି ବଞ୍ଚେଇରଖିଛି।

ରଜ ଭିତରେ ସତେ ଯେମିତି ନୀରବ ନଈଟିଏ ହୋଇ ବହିଯାଉଛି ଜୀବନ, ଆନନ୍ଦ, ସମ୍ପର୍କ, ବିଶ୍ୱାସ, ଭାଇଚାରା ଏବଂ ସହୃଦୟତାର ଏହି ମହନୀୟ ସଂସ୍କୃତି। ଯୋଡ଼ଣ ସୂତ୍ର। ସହରର କୃତ୍ରିମତା ଭିତରେ, ଗଛକଟାର ଅତିଷ୍ଠ ଅତ୍ୟାଚାରରେ, ପରିବେଶର ଅସନ୍ତୁଳିତ ବଳୟ ଭିତରେ ରଜ ଅବଶ୍ୟ ଏବେ ଅସହାୟ। ମାତ୍ର ରଜକୁ ଆମେ ପ୍ରଜନନ ବିଧି – କୈନ୍ଦ୍ରିକ ସାଂସ୍କୃତିକ ଉତ୍ସବ ଓ ଆନନ୍ଦର ପର୍ବ ଭାବରେ ଗ୍ରହଣ କରିପାରିବା। ଏ ଆନନ୍ଦ ନିଜ ପାଇଁ ଓ ମାଟିପାଇଁ। ଆଜି ଆମେ ସେଇ ଆନନ୍ଦରେ ବିଭୋର।

(ଡକ୍ଟର ଭାଗ୍ୟଲିପି ମଲ୍ଲ ଜଣେ ପରିଚିତ ଲେଖିକା। ସୃଜନଶୀଳ ରଚନା ସହିତ ବିଭିନ୍ନ ଗବେଷଣାଧର୍ମୀ ଲେଖା ମାଧ୍ୟମରେ ସେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଉପସ୍ଥାପନ କରି ଆସୁଛନ୍ତି। ସଂପ୍ରତି ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୋଥି ବିଭାଗରେ କାର୍ଯ୍ୟ କରୁଛନ୍ତି।)

Comment