ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାଠାରୁ ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ ଭଲ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ବା ମୋଦି କେୟାର ଯୋଜନାରେ ସାମିଲ ହେବନି ଓଡ଼ିଶା। ଏହା ଆଜି ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାଠାରୁ ଆମେ ଭଲ ଯୋଜନା ପ୍ରଣୟନ କରିଛୁ। ଯେଉଁଥିରେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବ।

“ଆୟୁଷ୍ମାନ ଯୋଜନା କେବେଠୁ ଆରମ୍ଭ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ମାସ ବା ତାରିଖ ଘୋଷଣା କରି ନାହାନ୍ତି କେନ୍ଦ୍ର ସରକାର। ଏହି ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାର ୬୧ ଲକ୍ଷ ପରିବାରଙ୍କୁ ସାମିଲ କରିବାକୁ କହିଥିଲେ। ଫଳରେ ଆଉ ୯ ଲକ୍ଷ ପରିବାର ଏହି ଯୋଜନାରୁ ବଞ୍ଚିତ ହୋଇଥାନ୍ତେ। ଏଣୁ ଆମେ ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ ମନା କରିଦେଇଛୁ”, କହିଛନ୍ତି ପ୍ରତାପ ଜେନା।

୧୨ ତାରିଖରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହା ହେଉଛି ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା। ଏହି ଯୋଜନାରେ ୭୦ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଉପକୃତ ହେବେ।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଲୋକଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣାରେ ସ୍ୱାସ୍ଥ୍ୟସେବା ମିଳିବ। ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁମାନେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସେମାନଙ୍କୁ ଘରକୁ ଫେରିବା ପାଇଁ ୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

Comment