ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଧାରଣାକୁ ସମର୍ଥନ କରିଛନ୍ତି। ଆନ୍ଧ୍ର ଭବନରେ ଚାରି ମୁଖ୍ୟମନ୍ତ୍ରୀ ଏକାଠି ହେବା ନେଇ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଅଫିସ୍ ସମ୍ମୁଖରେ ୬ ଦିନ ହେଲା ଧାରଣାରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆଇଏଏସ୍ ଅଫିସରମାନେ କରୁଥିବା ବେଆଇନ ହରତାଳକୁ ବନ୍ଦ କରିବା, ସରକାରୀ କାମରେ ବାଧା ସୃଷ୍ଟି କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ରାସନ ସାମଗ୍ରୀ ଲୋକଙ୍କ ଘର ପହଞ୍ଚାଇବା ଯୋଜନାକୁ ମଞ୍ଜୁର କରିବା ଆଦି ଦାବି ନେଇ କେଜରିୱାଲ ଧାରଣା ଦେଇଛନ୍ତି।
ହେଲେ ଉପ-ରାଜ୍ୟପାଳ ତାଙ୍କ ଦାବିକୁ ଏଯାଏଁ ଶୁଣିନାହାନ୍ତି। ଫଳରେ ଦିନକୁ ପରିସ୍ଥିତି ଜଟିଳ ହେଉଛି। ଆପ୍ର ନେତାମାନେ ଉପ-ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆପ୍ ପକ୍ଷରୁ କୁହାଯାଉଛି।
ଏପଟେ କେଜରିଓ୍ବାଲଙ୍କ ଧାରଣା ଏବଂ ଦାବିକୁ ସମର୍ଥନ ଜଣାଇ ଦିଲ୍ଲୀରେ ପହଞ୍ଚିଛନ୍ତି ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦିଲ୍ଲୀରେ ଏକାଠି ହୋଇଛି।
ଏହି ଚାରି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀସ୍ଥିତ ଆନ୍ଧ୍ରଭବନରେ ଏକାଠି ହୋଇଥିଲେ। ଆଲୋଚନା କରିବା ପରେ ସେମାନେ କେଜରିୱାଲଙ୍କ ବାସଭବନକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଭେଟିଛନ୍ତି। ଏହାପରେ ସେମାନେ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଛନ୍ତି।
ଲୋକଙ୍କୁ ଅସୁବିଧାରେ ନପକାଇବା ପାଇଁ ଦିଲ୍ଲୀ ଉପ-ରାଜ୍ୟପାଳ ଏବଂ କେନ୍ଦ୍ର ସରକାର କେଜରିୱାଲଙ୍କ ଦାବି ମାନି ନେବା ପାଇଁ ମମତା ଟୁଇଟରରେ ନିବେଦନ କରିଛନ୍ତି।








ଦିଲ୍ଲୀରେ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଧାରଣାକୁ ସମର୍ଥନ କରିଛନ୍ତି। ଆନ୍ଧ୍ର ଭବନରେ ଚାରି ମୁଖ୍ୟମନ୍ତ୍ରୀ ଏକାଠି ହେବା ନେଇ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି।









