ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଆଫଗାନିସ୍ଥାନ ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ଗୋଟିଏ ଇନିଂସ୍ ୨୬୨ ରନ୍ରେ ଜିତି ଯାଇଛି ୧୪୧ ବର୍ଷ ଟେଷ୍ଟ ଇତିହାସରେ ୪ର୍ଥ ଥର ଗୋଟିଏ ଦିନରେ ୨ଥର ଆଉଟ ହୋଇଛି ପୂରା ଟିମ୍

ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଐତିହାସିକ ଟେଷ୍ଟ ମ୍ୟାଚରେ ଭାରତ ଗୋଟିଏ ଇନିଂସ ଓ ୨୬୨ ରନ୍‌ରେ ବିଜୟୀ ହୋଇଛି। ଗୋଟିଏ ଦିନରେ ଆଫଗାନିସ୍ଥାନ ତାହାର ଦୁଇଟି ଯାକ ଇନିଂସ୍ ଖେଳିବା ସହ ସମସ୍ତ ଓ୍ୱିକେଟ୍ ହରାଇଛି। ୧୪୧ ବର୍ଷ ଟେଷ୍ଟ ଇତିହାସରେ ୪ଥର ଲାଗି ଗୋଟିଏ ଦିନରେ ୨ଥର ପୂରା ଟିମ୍‌ ଅଲ୍ଆଉଟ ହୋଇଛି।

ଗୁରୁବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଆଫଗାନିସ୍ତାନ ସମ୍ମୁଖରେ ୪୭୪ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ଆଫଗାନିସ୍ତାନ ନିଜର ପ୍ରଥମ ପାଳିରେ ୧୦୯ ରନ୍‌ ଓ ୨ୟ ପାଳିରେ ୧୦୩ ରନ୍‌ ସଂଗ୍ରହ କର ମ୍ୟାଚ୍‌ ହାରି ଯାଇଛି। ଭାରତ ପ୍ରଥମ ପାଳିର ଆଧାରରେ ଆଫଗାନିସ୍ତାନ ଅପେକ୍ଷା ୩୬୫ ରନ୍‌ ଆଗୁଆ ଥିଲା। ଫଳରେ ଭାରତୀୟ ଅଧିନାୟକ ଅଜିଙ୍କେ ରାହାଣେ ଆଫଗାନିସ୍ତାନକୁ ଫଲୋଅନ୍‌ ଦେଇଥିଲେ। ଏହା ପରେ ଆଫଗାନିସ୍ତାନ ଦ୍ୱିତୀୟ ପାଳିରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୦୩ ରନ୍‌ ସଂଗ୍ରହ କରିଥିଲା।

ଆଫଗାନିସ୍ତାନ ବିପକ୍ଷରେ ଭାରତ ପ୍ରଥମ ପାଳିରେ ୪୭୪ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ପ୍ରଥମ ପାଳିରେ ୧୦୯ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ଭାରତୀୟ ଟିମ୍‌ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୪ ଓ୍ଵିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ଈଶାନ୍ତ ଶର୍ମା ୨-୨ ଓ୍ଵିକେଟ୍‌ ନେଇଥିଲେ। ଉମେଶ ଯାଦବଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ଭାରତ ବିପକ୍ଷରେ ଆଇସିସିର ନୂଆ ଟେଷ୍ଟ ମାନ୍ୟତା ପାଇଥିବା ଆଫ୍‌ଗାନିସ୍ତାନ ମଧ୍ୟରେ ଐତିହାସିକ ଟେଷ୍ଟ ମ୍ୟାଚରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାଓ୍ଵନ୍‌ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଟେଷ୍ଟ ଇତିହାସରେ ପ୍ରଥମ ଦିବସ ମଧ୍ୟାହ୍ନ ବିରତି ପୂର୍ବରୁ ଶତକ ପୂରଣ କରିବାରେ ସେ ପ୍ରଥମ ଭାରତୀୟ ମଧ୍ୟ ହେଲେ। ଏହା ପୂର୍ବରୁ ବୀରେନ୍ଦ୍ର ସେହୱାଗ୍‌ (୨୦୦୬ ଜୁନ୍‌ ମାସରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସେଣ୍ଟ୍‌ ଲୁସିଆ ଟେଷ୍ଟରେ) ପ୍ରଥମ ଦିବସ ମଧ୍ୟାହ୍ନ ବିରତି ପୂର୍ବରୁ ୯୯ (୭୫ ବଲ୍‌ରୁ) ରନ୍‌ରେ ହିଁ ଅଟକି ଯାଇଥିଲେ। ତେବେ ଏଭଳି କୀର୍ତିମାନ ପାଇବାରେ ଧାଓ୍ଵନ୍‌ ବିଶ୍ୱର ଷଷ୍ଠ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି।

ଭାରତ ଐତିହାସିକ ଟେଷ୍ଟ ଜିତିବା ପରେ ଆଫଗାନିସ୍ତାନ ଟିମ୍ ସହ ଗ୍ରୁପ୍ ଫଟୋ ଉଠାଇବାକୁ ଭାରତୀୟ ଟିମ୍ ପକ୍ଷରୁ କୁହାଯାଇଥିଲା। ଫଳରେ ଦୁଇ ଟିମ୍ ଟ୍ରଫି ସହ ମିଳିତ ଭାବେ ଫଟୋ ଉଠାଇଥିଲେ।

ଟେଷ୍ଟରେ ଗୋଟିଏ ଦିନରେ ୨ଥର ଆଉଟ ହୋଇଥିବା ଟିମ୍

 ଭାରତ (୫୮ ୮୨ ରନ୍‌), ଇଂଲଣ୍ଡ ବିପକ୍ଷରେ, ମ୍ୟାଚର ୩ୟ ଦିନ, ୧୯୫୨(ମଞ୍ଚେଷ୍ଟର)
 ଜିମ୍ବାେଓ୍ଵ (୫୯ ୯୯ ରନ୍‌), ନ୍ୟୁଜିଲାଣ୍ଡ ବିପକ୍ଷରେ, ମ୍ୟାଚର ୨ୟ ଦିନ, ୨୦୦୬-୦୬(ହରାରେ)
 ଜିମ୍ବାେଓ୍ଵ (୫୧ ୧୪୩ ରନ୍‌), ନ୍ୟୁଜିଲାଣ୍ଡ ବିପକ୍ଷରେ, ମ୍ୟାଚର ୨ୟ ଦିନ, ୨୦୧୧-୧୨(ନେପିୟର)
 ଆଫଗାନିସ୍ତାନ (୧୦୯ ୧୦୩ ରନ୍‌), ଭାରତ ବିପକ୍ଷରେ, ମ୍ୟାଚର ୨ୟ ଦିନ, ୨୦୧୮(ବେଙ୍ଗାଳୁରୁ)

Comment