ଓଡ଼ିଶାଲାଇଭ୍‌ ବ୍ୟୁରୋ

ରତ୍ନଭଣ୍ଡାର ଚାବି ସମ୍ପର୍କରେ ଖୋଳତାଡ଼ କରିବା ପାଇଁ ସରକାର ତଦନ୍ତ କମିଶନ ଗଠନ କରିଛନ୍ତି। ହେଲେ କମିଶନ ସହଜରେ ସମାଧାନ ବାଟ ବାହାର କରିପାରିବେ ନାହିଁ ବୋଲି ଆଲୋଚନା ହେଉଛି।

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ତଦନ୍ତ ପାଇଁ ନିଯୁକ୍ତ ଜଷ୍ଟିସ ରଘୁବୀର ଦାସ କମିଶନର ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ ହେବ ସେନେଇ ସରକାର ଟିଓଆର(ଟର୍ମସ ଅଫ ରେଫେରେନ୍ସ)ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହେଲେ ଏହି କାମଟି ଏତେ ସହଜ ନୁହେଁ ବୋଲି ମତ ପ୍ରକାଶ ପାଇଛି।

କମିଶନ ଯେତେବେଳେ ବି କାମ ଆରମ୍ଭ କରିବେ ତାଙ୍କୁ ଅନେକଗୁଡ଼ିଏ ପ୍ରତିବନ୍ଧକର ସାମ୍ନା କରିବାକୁ ହେବ। ପୁରୀ ମନ୍ଦିର ସମ୍ପର୍କରେ ବିଶେଷ ଜ୍ଞାନ ରଖୁଥିବା କିଛି ବ୍ୟକ୍ତିଙ୍କ କହିବା ଅନୁଯାୟୀ ୧୯୮୫ରେ ଚାବି କେଉଁଠି ଥିଲା ସେହି ସୂଚନା ମିଳିବା ଏକ କଷ୍ଟକର ବ୍ୟାପାର। ସେହି ବର୍ଷ ବଳଭଦ୍ରଙ୍କ ପାଇଁ କିଛି ଅଳଙ୍କାର ଦରକାର ପଡ଼ିବାରୁ ରତ୍ନ ଭଣ୍ଡାର ଖୋଲା ଯାଇଥିଲା।

ତେତିଶ ବର୍ଷ ତଳେ ଯେଉଁମାନେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱରେ ଥିଲେ ଓ ଯେଉଁମାନେ ଚାବି ବିଷୟରେ ଜାଣିଥିଲେ ସେମାନଙ୍କ ଭିତରୁ ପ୍ରାୟ ସମସ୍ତେ ଚାଲିଗଲେଣି। ଆଶ୍ଚର୍ଯ୍ୟର ବିଷୟ ହେଲା ୧୯୮୫ ପରଠାରୁ କେହି ଜାଣିନାହାନ୍ତି ରତ୍ନ ଭଣ୍ଡାର ଚାବି କେଉଁଠି?

ଏବେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ତାଙ୍କ ରେକର୍ଡ ରୁମରେ ଏକ ଲଫାଫାରେ ଡୁପ୍ଲିକେଟ ଚାବି ଥିବା କଥା ଖୁଲାସା କରିବା ପରେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ସମସ୍ତେ ସମସ୍ତଙ୍କ ପଛରେ ପଡ଼ିଛନ୍ତି।

ଶ୍ରୀମନ୍ଦିର ଆଇନ କହୁଛି ଯେ ରତ୍ନ ଭଣ୍ଡାରର ଚାବି କେବଳ ଜିଲ୍ଲା ଟ୍ରଜେରୀରେ ହିଁ ରହିବ ଆଉ ଜିଲ୍ଲାପାଳ ହେଉଛନ୍ତି ଟ୍ରେଜେରୀର ମାଲିକ ବା କଷ୍ଟୋଡିଅନ।

ସେବାୟତ ପ୍ରଶାନ୍ତ ପଣ୍ଡା କହିଛନ୍ତି,”୧୯୮୫ରେ ଯେଉଁମାନ ଭଣ୍ଡାର ଚାବି ଦାୟିତ୍ୱରେ ଥିଲେ ସେମାନଙ୍କଠୁ ତଦନ୍ତ କମିଶନ କେମିତି ତଥ୍ୟ ଆଦାୟ କରିବେ ବୁଝାପଡ଼ୁନି କାରଣ ଅଧିକାଂଶ ମରି ହଜିଗଲେଣି। କିଛି ସେମାନଙ୍କ ମଧ୍ୟରୁ ବଞ୍ଚି ଥାଇପାରନ୍ତି ହେଲେ ସେମାନେ ପୁରୁଣା କଥା ମନେପକାଇ କହିବା ସମ୍ଭବ ନୁହେଁ।”

ଜଷ୍ଟିସ ଦାସ କମିଶନ କେବଳ ସେତେବେଳର ମନ୍ଦିର ପ୍ରଶାସକ ରବୀନ୍ଦ୍ର ମିଶ୍ରଙ୍କଠାରୁ କିଛି ସୂଚନା ହାସଲ କରିପାରନ୍ତି। ୧୯୮୫ରେ ରତ୍ନଭଣ୍ଡାର ଖୋଲିବା ସମୟରେ ରବୀନ୍ଦ୍ର ମିଶ୍ର ସେହି ଟିମରେ ଥିଲେ। ସେହିଭଳି ଜଷ୍ଟିସ ରଘୁବୀର ଦାସ କମିଶନ ଜିଲ୍ଲା ପ୍ରଶାସନ ପାଖରୁ ମଧ୍ୟ ଚାବି ସମ୍ପର୍କରେ କିଛି ତଥ୍ୟ ପାଇବା ଭଳି ଲାଗୁନାହିଁ। କାରଣ ବର୍ତ୍ତମାନର ଜିଲ୍ଲାପାଳ ଅଗ୍ରୱାଲ କହିଛନ୍ତି ଯେ ୧୯୭୦ ପରଠାରୁ ଜିଲ୍ଲା ଟ୍ରେଜେରୀରେ ଭଣ୍ଡାର ଚାବି ଥିବାର କୌଣସି ସୂଚନା ନଥିପତ୍ରରେ ମିଳୁନାହିଁ।

ତା ଛଡ଼ା ଆଉ ଏକ ବିବାଦ ସୃଷ୍ଟି ହୋଇଛି ଦ୍ୱିତୀୟ ଚାବିକୁ ନେଇ। କମିଶନ ମୂଳ ଚାବି ସମ୍ପର୍କରେ ତଦନ୍ତ କରିବେ ନା ନକଲି ଚାବି ସମ୍ପର୍କରେ ତଦନ୍ତ କରିବେ ସେଇଟି ମଧ୍ୟ ଏକ ବଡ଼ ପ୍ରଶ୍ନ। ଡୁପ୍ଲିକେଟ ଚାବି କଥା ଆଜି ଯାଏଁ କେହି ଶୁଣିନଥିବା ବେଳେ ତଦନ୍ତ କମିଶନ କେଉଁ ଭିତ୍ତିରେ ଦ୍ୱିତୀୟ ଚାବିକୁ ନେଇ ଛାନଭିନ କରିବେ ଓ ରେକର୍ଡ ରୁମକୁ ସେଇ ଚାବି କୋଉଠୁ ଆସିଲା ସେ କଥା କେମିତି ଜାଣିବେ ସେନେଇ ସନ୍ଦେହ ଜାତ ହୋଇଛି।

ନିଜ ନାମ ପ୍ରକାଶ ନକରିବା ପାଇଁ ଅନୁରୋଧ କରି ଆଉ ଜଣେ ସେବାୟତ କହିଛନ୍ତି,”ଏହି ତଦନ୍ତ କମିଶନ ଦ୍ୱାରା କିଛି ଫାଇଦା ହେବ ତାହା ଜଣାପଡ଼ୁନାହିଁ।”

ଗୃହ ବିଭାଗ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ କୁହାଯାଇଛି ଯେ ତିନି ମାସ ମଧ୍ୟରେ କମିଶନ ତଦନ୍ତ ଶେଷ କରିବେ। ରତ୍ନ ଭଣ୍ଡାରର ଚାବି କେଉଁ ପରିସ୍ଥିତିରେ ହଜିଲା ଓ ତାହାର ସମଗ୍ର ଘଟଣାକ୍ରମ କ’ଣ ତାହାର ଯାଞ୍ଚ କରିବେ କମିଶନ। ଚାବି ହଜିବା ପାଇଁ କେଉଁ ଅଧିକାରୀ ବା ବ୍ୟକ୍ତିବିଶେଷ ଦାୟୀ ଓ ଏଥିରେ କାହାର ଭୂମିକା କଣ ଥିଲା ସେ କଥାର ତଦନ୍ତ ମଧ୍ୟ ହେବ। ଭବିଷ୍ୟତରେ ଏଭଳି ଘଟଣା ଯେମିତି ନ ଘଟେ ସେଥିପାଇଁ କ’ଣ ପଦକ୍ଷେପ ନେବାକୁ ହେବ ସେହି ସୁପାରିଶ କରିବା ମଧ୍ୟ କମିଶନର ଦାୟିତ୍ୱ ହେବ।

Comment