ନୀଳାମ୍ବର ରଥ

ଚିଲିକା ଡଙ୍ଗାବୁଡ଼ି ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ହୁଏତ ଦିନକରେ ତାଙ୍କ କାମ ଶେଷ କରିଦେଇପାରନ୍ତି; କିନ୍ତୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିନପାରିଲେ, ଓଡ଼ିଶା ପର୍ଯ୍ୟଟନ ଯେ କ୍ଷତିଗ୍ରସ୍ତ ହେବ, ଏଥିରେ ସନ୍ଦେହ ନାହିଁ

ନିକଟରେ ଚିଲିକାରେ ଡଙ୍ଗାବୁଡ଼ି ଘଟଣାରେ ଛଅଜଣଙ୍କ ଜୀବନ ଚାଲିଗଲା। ସେମାନଙ୍କ ମଧ୍ୟରେ ଥିଲେ ଦୁଇ ମହିଳା ଏବଂ ଚାରି ଶିଶୁ। ରଜ ଛୁଟିର ମଜା ନେବାକୁ ଚିଲିକା ବୁଲି ଯାଇଥିବା ଏହି ପର୍ଯ୍ୟଟକମାନେ ଡଙ୍ଗାରେ ଯାତ୍ରା ସମୟରେ ମୁଖ୍ୟତଃ ସୁରକ୍ଷାରେ ଅଭାବ ଯୋଗୁଁ ଅକାଳରେ ଆଖି ବୁଜିଲେ।

ଚିଲିକା ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳରେ ଜଳଯାତ୍ରା ସମୟରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଯେଉଁସବୁ ସର୍ବନିମ୍ନ ବ୍ୟବସ୍ଥା ରହିବା କଥା, ତାହା ପାଳନ କରାନଯିବା କାରଣରୁ ଯେ ଏହି ଜୀବନହାନି ଘଟିଲା, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଏହି ଘଟଣା ତେବେ ସାଧାରଣ ଦେଖାଯାଉଥିଲେ ମଧ୍ୟ ସେତିକି ଦୁର୍ଭାଗ୍ୟଜନକ ଓ ଚିନ୍ତାଜନକ।

ହେଲେ ତା’ଠାରୁ ଅଧିକ ଦୁର୍ଭାଗ୍ୟଜନକ ଘଟଣା ହେଉଛି ସରକାରୀ ତଦନ୍ତର ରୂପରେଖ। ଇନଲାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଡାଇରେକ୍ଟୋରେଟର ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ଏକ ଟିମ୍‌ ଚିଲିକାର ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ସେମାନେ ସେଠାରେ ବିଭିନ୍ନ ଦିଗରୁ ଅନୁସନ୍ଧାନ କରିଥିଲେ। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ସେ ବାବଦରେ ଅନୁସନ୍ଧାନକାରୀ ଦଳ ଅନୁଧ୍ୟାନ କରିଥିଲେ। ଦୁର୍ଘଟଣାର ଶିକାର ହୋ‍ଇଥିବା ଡଙ୍ଗାଟିର ଫିଟନେସ ଯାଞ୍ଚ ମଧ୍ୟ କରାଯାଇଥିଲା। ଅନୁସନ୍ଧାନକାରୀ ଟିମ୍‌ର କହିବା ଅନୁଯାୟୀ କେଉଁଥିରେ କିଛି ସମସ୍ୟା ନାହିଁ। ଦୋଷ କାଳବୈଶାଖୀର।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ତଦନ୍ତକାରୀ ଦଳର କହିବା କଥା ହେଲା ଯେ କାଳିଯାଈରୁ ଫେରିବା ବାଟରେ ଝଡ଼ ବୋହିବା ଫଳରେ ଚିଲିକା ଅଶାନ୍ତ ହୋ‍ଇପଡ଼ିଥିଲା। ଫଳରେ ପର୍ଯ୍ୟଟକମାନଙ୍କୁ ନେଇ ଆସୁଥିବା ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହା ଏକ ଦୈବୀ ଦୁର୍ଘଟଣା। ଏହା ପଛରେ କାହାର ହାତ ନାହିଁ। ଚମତ୍କାର!

ଏହି ଡଙ୍ଗାବୁଡ଼ି ଘଟଣାରେ ‘ଡଙ୍ଗା କିଭଳି ବୁଡ଼ିଲା’ ବିଷୟ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ‘କାହିଁକି ଛଅଜଣ ଯାତ୍ରୀଙ୍କ ଜୀବନ ଚାଲିଗଲା’, ତାହା ତଦନ୍ତର ମୂଳ ଆଧାର ହେବା ଦରକାର। ଏହି ନିରୀହ ଜୀବନ ରକ୍ଷା କରାଯାଇପାରିଥା’ନ୍ତା କି? ଏହି ଜୀବନହାନି ପାଇଁ ଆମେ କାଳବୈଶାଖୀ ଝଡ଼କୁ ଦାୟୀ କରିବା ନା ଏହାପଛରେ କିଛି ମନୁଷ୍ୟକୃତ ଅଭାବ ବା ଅବହେଳା ରହିଛି ବୋଲି ଆମେ ଚିନ୍ତା କରିବା? ଅବଶ୍ୟ ଏହି ଚିନ୍ତା କରିବା ପାଇଁ ସରକାରୀ ଅଧିକାରୀମାନଙ୍କର ଆଭିମୁଖ୍ୟ ବା ଆଜେଣ୍ଡାରେ ନଥାଇପାରେ। ତଦନ୍ତ ସାରି ସରକାରଙ୍କୁ ସୁହାଇଲା ଭଳି ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ସେମାନେ ଅଧିକ ତତ୍ପର!

ଏସବୁ ପ୍ରଶ୍ନର ଉତ୍ତର ଦେବ କିଏ?

ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଏବେବି ଅନେକ ମୌଳିକ ପ୍ରଶ୍ନର ଉତ୍ତର ମିଳିନାହିଁ। ସରକାର ଯଦି ଏହାର ଉତ୍ତର ନ ଖୋଜନ୍ତି, ତାହେଲେ ଯେତେ ଥର ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଲେ ମଧ୍ୟ ଆମେ କିଛି ଶିକ୍ଷା ଲାଭ କରିବାର କୌଣସି ସମ୍ଭାବନା ନାହିଁ। ସେହି ପ୍ରଶ୍ନଗୁଡ଼ିକ ହେଉଛି:

୧. ଦୁର୍ଘଟଣା ଘଟିଥିବା ଡଙ୍ଗାରେ ମୋଟ ୧୬ ଜଣ ଯାତ୍ରୀ ଥିଲେ। କେଉଁ ଡଙ୍ଗାର ଯାତ୍ରୀଧାରଣ କ୍ଷମତା କେତେ ତାହା ନିଶ୍ଚିତ ଭାବରେ ସ୍ଥିର ହୋ‍ଇଥିବ। ତେଣୁ ଏଭଳି ଡଙ୍ଗାରେ ୧୬ ଜଣ ଯାତ୍ରୀଙ୍କୁ ଧରିଯିବା ଠିକ୍‍ ନା ଏଥିରେ କୌଣସି ପ୍ରକାର ନିୟମରେ ଉଲ୍ଲଂଘନ ହୋ‍ଇଛି।

୨. ଚିଲିକା ବକ୍ଷରେ ପର୍ଯ୍ୟଟକମାନଙ୍କୁ ନବା ଆଣିବା କଲାବେଳେ ନିୟମ ରହିଛି ଯେ ଡଙ୍ଗାରେ ବସିଥିବା ପ୍ରତ୍ୟେକ ଯାତ୍ରୀ ଲାଇଫ୍‌ ଜାକେଟ୍‍ ପିନ୍ଧିବେ। ଏହି ଲାଇଫ୍‍ ଜାକେଟ୍‍ ଗୁଣାତ୍ମକ ମାନର ହୋ‍ଇଥିବ, ପ୍ରତ୍ୟେକ ଡଙ୍ଗାରେ ଆବଶ୍ୟକ ସଂଖ୍ୟକ ଲାଇଫ୍‍ ଜାକେଟ୍‍ ରହିଥିବ ତଥା ସମସ୍ତ ଯାତ୍ରୀ ଲାଇଫ୍‍ ଜାକେଟ୍‍ ପିନ୍ଧିବା ସୁନିଶ୍ଚିତ କରାଯିବ – ତେବେ ଯାଇ ଲାଇଫ୍‍ ଜାକେଟ୍‌ରୁ ଆବଶ୍ୟକ ସମୟରେ ଫାଇଦା ମିଳିପାରିବ। ତେଣୁ ଚିଲିକାରେ ନିକଟରେ ଦୁର୍ଘଟଣାର ଶିକାର ହୋ‍ଇଥିବା ସମ୍ପୃକ୍ତ ଡଙ୍ଗାରେ ଯେଉଁ ୧୬ ଜଣ ଯାତ୍ରୀ ସବାର ଥିଲେ, ସମସ୍ତେ ଲାଇଭ ଜାକେଟ ପିନ୍ଧିଥିଲେ କି? ଏହି ପ୍ରଶ୍ନର ଉତ୍ତର ନିଶ୍ଚିତ ଖୋଜିଥିବେ ତଦନ୍ତକାରୀ ଟିମ୍‍। ଏହି କଥା ସାଧାରଣରେ ସ୍ପଷ୍ଟ ହେବା ଦରକାର।

୩. ଚିଲିକା ଏକ ବିସ୍ତୀର୍ଣ୍ଣ ଜଳଭାଗ ହୋ‍ଇଥିବାରୁ ଏହାର ବକ୍ଷରେ ଡଙ୍ଗାରେ ଗଲାଆସିଲା ବେଳେ ଯେ କୌଣସି ସମୟରେ ଛୋଟ ବଡ଼ ଝଡ଼ର ମୁକାବିଲା କରିବାକୁ ପଡ଼ିପାରେ। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏ କ୍ଷେତ୍ରରେ କ’ଣ ନିୟମ ରହିଛି ଏବଂ ତାହା କଡ଼ାକଡ଼ି ପାଳନ ହେଇଛି କି?

୪. ଚିଲିକାରେ ପର୍ଯ୍ୟଟକଙ୍କୁ ଡଙ୍ଗାରେ ନେବାଆଣିବା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ ହୋ‍ଇଛି କି? ଘଟଣା ଦିନ ସମ୍ପୃକ୍ତ ପର୍ଯ୍ୟଟକମାନେ ପ୍ରାୟ ସନ୍ଧ୍ୟା ୬ଟା ବେଳେ କାଳିଯାଈରୁ କୂଳକୁ ଫେରୁଥିଲେ। ଯଦି କୌଣସି ନିର୍ଦ୍ଦିଷ୍ଟ ସମୟ ନେଇ ନିୟମ ବା କଟକଣା ରହିଥାଏ, ତେବେ ସମ୍ପୃକ୍ତ ଡଙ୍ଗା ଚାଳକ ତାହା ଉଲ୍ଲଂଘନ କରିଥିଲେ କି? କହିବାର ଅର୍ଥ ହେଉଛି ଦିନର ଏକ ନିର୍ଦ୍ଦିଷ୍ଟ ସମୟ ପରେ ଚିଲିକାରେ ପର୍ଯ୍ୟଟକମାନଙ୍କ ପ୍ରବେଶ ନେଇ କଟକଣା ରହିବା ଉଚିତ କି ନୁହେଁ?

୫. ଚିଲିକା ବକ୍ଷରେ ଯେଉଁ ଡଙ୍ଗାଟି ଦୁର୍ଘଟଣାଗସ୍ତ ହେଲା, ତାହାର ନିର୍ମାଣ ବୈଜ୍ଞାନିକ ସମ୍ମତ ନୁହେଁ ବୋଲି କୁହାଯାଉଛି। ଅର୍ଥାତ୍‍ କୌଣସି ଝଡ଼ ବା ଅନୁରୂପ ଦୁର୍ଘଟଣା ଡଙ୍ଗା ଉପରେ ଯେଉଁ ଚାପ ସୃଷ୍ଟି ହୋ‍ଇଥାଏ, ତାହା ସମ୍ଭାଳିବା ପାଇଁ ଡଙ୍ଗାର ଆକାର ଓ ଗଠନ ଯାହା ହେବା ଦରକାର ସେ ଦୃଷ୍ଟିରୁ ସମ୍ପୃକ୍ତ ଡଙ୍ଗା ଯୋଗ୍ୟ ନୁହେଁ। ତେଣୁ ‘ଓଡ଼ିଶା ବୋଟ୍‌ ରୁଲ୍ସ’ର ୨୭-କ ଧାରା ଅନୁଯାୟୀ ଦୁର୍ଘଟଣାଗସ୍ତ ଡଙ୍ଗାଟି ଉପଯୁକ୍ତ କି ନୁହେଁ, ତଦନ୍ତ ହେବା ଉଚିତ।

ଏହି ଦୁର୍ଘଟଣା ପରେପରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମଧ୍ୟ ଏହା ପ୍ରଦାନ କରିଥିବା ମିଡିଆକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇନଲାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଡାଇରେକ୍ଟୋରେଟର ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ତଦନ୍ତକାରୀ ଦଳ ଗୋଟିଏ ଦିନର ଅନୁଧ୍ୟାନ ମଧ୍ୟରେ ତଦନ୍ତକୁ ଏକପ୍ରକାର ଚୂଡ଼ାନ୍ତର ରୂପ ଦେଇସାରିଛନ୍ତି। ତେଣୁ ଏତିକିରେ ସମସ୍ତଙ୍କର ଚିନ୍ତା ଶେଷ। ପୁଣି ଚିଲିକା କିମ୍ବା ଆଉ କୌଣସି ସ୍ଥାନରେ ପୁଣି ଏକ ଦୁର୍ଘଟଣା ଘଟିଲେ ଚିନ୍ତା କରିବେ! ସାଧୁ ସାଧୁ!

ସବୁ ଅଠା ଡଙ୍ଗାବାଲାଙ୍କ ମୁଣ୍ଡରେ!

୨୦୧୬ ମସିହାରେ ଚିଲିକାରେ ଏକ ଡଙ୍ଗାବୁଡ଼ି ଘଟଣାରେ ୩ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ୨ ବର୍ଷ ମଧ୍ୟରେ ଘଟିଛି ଆଉ ଏକ ଦୁର୍ଘଟଣା। ଗତ ଦୁର୍ଘଟଣା ପରେ ପରେ ପ୍ରଶାସନ ବେଶ ସକ୍ରିୟ ହେବା ଭଳି ଧାରଣା ସୃଷ୍ଟି କରିଥିଲେ। କିନ୍ତୁ ସରକାରଙ୍କ ଏହି ତଥାକଥିତ ସକ୍ରିୟତା ଯେ କ୍ଷଣସ୍ଥାୟୀ ଏକଥା ଦ୍ୱିତୀୟ ଘଟଣାରୁ ଜଣାପଡ଼ିଛି।

ଚିଲିକା ବକ୍ଷରେ ମୁଖ୍ୟତଃ ବାଲୁଗାଁ ଏବଂ ସାତପଡ଼ା ଅଞ୍ଚଳରେ ପର୍ଯ୍ୟଟକଙ୍କୁ ନେବାଆଣିବା କରିବା କେତେ ଡଙ୍ଗା ରହିଛି ଏବଂ ପ୍ରତ୍ୟେକ ଡଙ୍ଗା ସରକାରୀ ନିୟମ ପାଳନ କରୁଛନ୍ତି କି ନାହିଁ, ତାହା ଦେଖୁଛି କିଏ? ଡଙ୍ଗାର ପଞ୍ଜୀକରଣ, ଡଙ୍ଗାଚାଳକଙ୍କ ଦକ୍ଷତା, ଡଙ୍ଗାଗୁଡ଼ିକର ଅବସ୍ଥା ଏବଂ ଯାତ୍ରୀଧାରଣ କ୍ଷମତା, ସୁରକ୍ଷା ଜାକେଟ୍‌ର ବ୍ୟବହାର ନିଶ୍ଚିତ କରିବା ଏବଂ କୌଣସି ଦୁର୍ଘଟଣା ବେଳେ ଆଶୁ ସାହାଯ୍ୟ ପାଇଁ ସଜାଗ ରହିବା – ଏ ସମସ୍ତ ବିଷୟ ଦେଖିବା ସରକାରଙ୍କ ଦାୟିତ୍ୱ। ତେବେ ପ୍ରଶାସନ ଏହି ଦାୟିତ୍ୱ ପାଳନ କରୁଛି କି? ଯଦି ପ୍ରଶାସନ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି କେତୋଟି ସର୍ବନିମ୍ନ ନିୟମ ଲାଗୁ କରାଇବାରେ ବିଫଳ ହେଉଛି, ତେବେ ପ୍ରତି ଦୁର୍ଘଟଣା ପରେ ଆମେ ଡଙ୍ଗାଚାଳକ ଓ ମାଲିକମାନଙ୍କ ମୁଣ୍ଡରେ କାହିଁକି ସବୁତକ ଅଠା ବୋଳିଦେବାକୁ ତତ୍ପର ହୋ‍ଇଉଠୁଛୁ? ଏ ପ୍ରଶ୍ନର ମଧ୍ୟ ଉତ୍ତର ମିଳିବା ଦରକାର।

କ୍ଷତିଗ୍ରସ୍ତ ହେବ ଓଡ଼ିଶା ପର୍ଯ୍ୟଟନ!

ଗତ କିଛିବର୍ଷ ହେଲା ସରକାର, ବିଶେଷକରି ପର୍ଯ୍ୟଟନ ବିଭାଗ ଏବଂ ପର୍ଯ୍ୟଟନ ତଥା ହୋଟେଲ ଶିଳ୍ପ ସହ ସମ୍ପୃକ୍ତ ସଂସ୍ଥାମାନେ ଚିଲିକାକୁ କିଭଳି ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ, ସେନେଇ ଚେଷ୍ଟା କରୁଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ମଧ୍ୟ ଚିଲିକାକୁ ଅନ୍ୟତମ ହଟ୍‌ସ୍ପଟ୍‌ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଦେଖାଇ ଆସୁଛି। କିନ୍ତୁ ଯଦି ଥରକୁ ଥର ଏଭଳି ଡଙ୍ଗାବୁଡ଼ି ଘଟେ ଏବଂ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଏ, ତେବେ ବିଦେଶୀ ପର୍ଯ୍ୟଟକ ତ ଦୂରର କଥା, ରାଜ୍ୟର ଯାତ୍ରୀମାନେ ମଧ୍ୟ ରାଜ୍ୟବାସୀ ମଧ୍ୟ ଚିଲିକା ପାଣିରେ ଗୋଡ଼ ବୁଡ଼ାଇବାକୁ ଡରିବେ। ତେଣୁ ପର୍ଯ୍ୟଟନ ଶିଳ୍ପ ସହିତ ସମ୍ପୃକ୍ତ ପ୍ରତ୍ୟେକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ଉପରେ ଚିଲିକା ଡଙ୍ଗାବୁଡ଼ିର ଯେ ସିଧାସଳଖ ପ୍ରଭାବ ପଡ଼ିବ, ଏଥିରେ କୌଣସି ସନ୍ଦେହ ନାହିଁ।

ଜଣେ ପର୍ଯ୍ୟଟକ କୌଣସି ସ୍ଥାନକୁ ବୁଲିଆସେ ଅବସରକାଳୀନ ଆନନ୍ଦ ପାଇଁ ଏବଂ ଏକ ନୂଆ ଅନୁଭବ ପାଇଁ, ମରିବା ପାଇଁ ନୁହେଁ। ତେଣୁ ରାଜ୍ୟ ଭିତରର ହୁଅନ୍ତୁ କି ଦେଶବିଦେଶର ପର୍ଯ୍ୟଟକ, ସମସ୍ତେ ଆମର ଅତିଥି। ସେମାନଙ୍କୁ ସମ୍ମାନଜନକ ଭାବେ ଓ ସୁରକ୍ଷିତ ଭାବେ ନିର୍ଦ୍ଦିଷ୍ଟ ସେବା ଓ ସୁବିଧା ଯୋଗାଇଦେବା ପର୍ଯ୍ୟଟନ ଶିଳ୍ପର ମୁଖ୍ୟ ଲକ୍ଷ୍ୟ ହେବା ଉଛିତ।

ଅତୀତର ମନ୍ଦିର ପର୍ଯ୍ୟଟନ ବା ସ୍ଥାନଭିତ୍ତିକ ପର୍ଯ୍ୟଟନରୁ ମୁହଁ ଫେରାଇ ଆଜିର ପର୍ଯ୍ୟଟକ ଏକ୍ସପେରିଏନ୍ସିଆଲ ଟୁରିଜିମ୍‍ ପାଇଁ ଆକର୍ଷିତ ହେଉଛି। ଅର୍ଥାତ ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ କି ପ୍ରକାର ବିଶେଷ ଅନୁଭବ ପାଇପାରିବ, ତାହା ହେଉଛି ଆଜିର ସଫଳ ପର୍ଯ୍ୟଟନର ପରିଭାଷା। ତେଣୁ ଏହି କାରଣରୁ ମାଲେସିଆ ଓ ଥାଇଲାଣ୍ଡ ଭଳି ଛୋଟ ଛୋଟ ଦେଶକୁ ବିଦେଶୀ ପର୍ଯ୍ୟଟକ ସୁଅ ଛୁଟୁଥିବା ବେଳେ ପ୍ରାକୃତିକ ବିଭବରେ ଭରପୂର ଓଡ଼ିଶା ଭଳି ପ୍ରଦେଶ ପଛରେ ପଡ଼ିରହିଛି।

କେବଳ ‘ଅତିଥି ଦେବୋ ଭବ’ ବୋଲି ସ୍ଲୋଗାନରେ କହିଲେ ଗୋଟିଏ ରାଜ୍ୟ ବା ଦେଶର ପର୍ଯ୍ୟଟନର ବିକାଶ ଘଟେ ନାହିଁ। ବରଂ ପର୍ଯ୍ୟଟକମାନଙ୍କ ପାଇଁ ଅନୁକୂଳ ପରିବେଶ, ପର୍ଯ୍ୟଟନସ୍ଥଳୀ ଏବଂ ଏହାର ଆଖପାଖ ଅଞ୍ଚଳର ପରିଚ୍ଛନ୍ନତା, ଖାଦ୍ୟପେୟରେ ଗୁଣାତ୍ମକ ମାନ ଏବଂ ଏସବୁ ଉପରେ ପର୍ଯ୍ୟଟକଙ୍କ ସୁରକ୍ଷା – ଏସବୁ ହିଁ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟ ଭୂମିକା ନେଇଥାଏ। ଚିଲିକାରେ ବାରମ୍ବାର ଡଙ୍ଗାବୁଡ଼ି ଏହି ଦୃଷ୍ଟିରୁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଏବେଠାରୁ ଚିନ୍ତା ନକଲେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଯେ ମାଡ଼ ଖାଇବ, ଏଥିରେ କୌଣସି ସନ୍ଦେହ ନାହିଁ।

ଚିଲିକା ଓଡ଼ିଶା ପର୍ଯ୍ୟଟନର ଏକ ପ୍ରମୁଖ ଆକର୍ଷଣ। ତା’ ସାଙ୍ଗକୁ ଭିତରକନିକା, ସାତକୋଶିଆ ଭଳି ଅନେକ ପର୍ଯ୍ୟଟନ ସ୍ଥଳକୁ ଆମେ ବହୁଳ ଭାବେ ପ୍ରଚାରିତ କରୁଛୁ। ସେହିପରି ଓଡ଼ିଶାର ବିସ୍ତୀର୍ଣ୍ଣ ବେଳାଭୂମି ସହ ପାରିବେଶିକ ପର୍ଯ୍ୟଟନ ବା ଇକୋ-ଟୁରିଜିମ ଉପରେ ଧ୍ୟାନ ଦିଆଯାଉଛି। ପାଣି, ଜଙ୍ଗଲ, ପାହାଡ଼, ସମୁଦ୍ର ଓ ବନ୍ୟଜନ୍ତୁ, ସବୁଠି ରହିଛି ପର୍ଯ୍ୟଟକଙ୍କ ପାଇଁ ବିପଦର ଆହ୍ୱାନ। ତେଣୁ ଯଦି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନିୟମକୁ କଡ଼ାକଡ଼ି କରାନଯାଏ, ଏବଂ ପର୍ଯ୍ୟଟନ ଶିଳ୍ପ ସହିତ ସମ୍ପୃକ୍ତ ପ୍ରତ୍ୟେକ ଅଧିକାରୀ, ଅନୁଷ୍ଠାନ ଓ ବ୍ୟକ୍ତି ଏହାର ପାଳନ ଲାଗି ଆଗଭର ନ ହୁଅନ୍ତି, ତେବେ କିଏ ଏହି ସୁରକ୍ଷା ନିୟମକୁ ନିଶ୍ଚିତ କରିବ। କେବଳ ରାଜ୍ୟ ପର୍ଯ୍ୟଟନ ବିଭାଗ ପାଇଁ ଏ ଦିଗରେ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ୍‍ ଓଡ଼ିଶା (ଏଚ୍‌ଆର୍‍ଏଓ), ଇଣ୍ଡିଆନ ଆସୋସିଏସନ ଅଫ୍‍ ଟୁର ଅପରେଟର୍ସ (ଆଇଏଟିଓ) ଭଳି ଅଂଶୀଦାର ସଂଗଠନର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ରାଜ୍ୟରେ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଏକ ବଡ଼ ସମସ୍ୟା ହେଉଛି ଆବଶ୍ୟକ ଭିତ୍ତିଭୂମିର ଅଭାବ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ପୁରୀ ଓ କୋଣାର୍କ ଆଦି ଛାଡ଼ିଦେଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ଅନେକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଥିଲେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟକମାନେ ସେସବୁ ସ୍ଥାନକୁ ବହୁ ସଂଖ୍ୟାରେ ଯାଉନାହାନ୍ତି। ତେଣୁ ଏଭଳି ପୁରୁଣା ସମସ୍ୟାରୁ ଧୀରେ ଧୀରେ ମୁକୁଳି ଓଡ଼ିଶା ପର୍ଯ୍ୟଟନ ଯେତେବେଳେ ବିକାଶର ଏକ ନୂଆ ପାହାଚ ଚଢ଼ୁଛି, ସେତେବେଳେ ଯଦି ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆନଯିବ, ତେବେ ଆଗକୁ ପାଗ ବିଗିଡ଼ି ଯାଇପାରେ।

ନିଜ ସୁରକ୍ଷା ନିଜ ହାତରେ!

ବିଦେଶୀ ପର୍ଯ୍ୟଟକଙ୍କ କଥା କିଛି ସମୟ ପାଇଁ ଭୁଲିଯିବା। ଏବେ ଆସନ୍ତୁ ଭାବିବା ଆମ ଦେଶୀ ଓଡ଼ିଆଙ୍କ କଥା। ଆମ ଜାତକରେ ସୁରକ୍ଷା ବୋଲି କୌଣସି ଶବ୍ଦ ନାହିଁ। ଅନେକ ସମୟରେ ଡଙ୍ଗାରେ ଗଲାବେଳେ ଯଦି ଡଙ୍ଗାଚାଳକ ଆମକୁ ଅତ୍ୟାଧୁନିକ ସୁରକ୍ଷା ଜାକେଟ୍‌ ପିନ୍ଧିବାକୁ ପରାମର୍ଶ ଦିଅନ୍ତି, ଅନେକ ସମୟରେ ଆମେ ତାକୁ ମୋଡ଼ିମାଡ଼ି ସିଟ୍‌ କଡ଼ରେ ଥୋ‍ଇଦେଉ। ସୁରକ୍ଷା କବଚ ଆମକୁ ବୋଝ ଭଳି ମନେହୁଏ।

କେବଳ ସେତିକି ନୁହେଁ, ଡଙ୍ଗାର କ୍ଷମତା ୫ ହୋ‍ଇଥିଲେ, ଆମେ ୧୫ ଜଣ ସେଥିରେ ଯିବାକୁ ବାହାରୁ। କାହାର ପରାମର୍ଶ ଆମକୁ ପ୍ରତିରୋଧ ଭଳି ଲାଗେ। ଅନେକ ସମୟରେ ଆମେ ନିଜେ ହିଁ ମୃତ୍ୟୁକୁ ଡାକିଆଣୁ।

ତେଣୁ ଏହି ଲେଖାଟି ଶେଷ କଲାବେଳେ ମୁଁ ଏତିକି କହିବାକୁ ଚାହିଁବି ଯେ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ବିଶେଷକରି ନିଆଁପାଣି କ୍ଷେତ୍ରରେ ଯେଉଁଠି ସରକାର ବାହାଦୁର ବା ଅନ୍ୟ ସଂସ୍ଥାମାନଙ୍କର ଦାୟିତ୍ୱ ଶେଷ ହୁଏ, ସେଇଠୁ ଆରମ୍ଭ ହୁଏ, ଆମର ନିଜର ସୁରକ୍ଷା ଦାୟିତ୍ୱ। ଆମେ ନିଜ ପାଇଁ ନିଜ ପରିବାର ପାଇଁ ନିଜ ବନ୍ଧୁମାନଙ୍କ ପାଇଁ ଏବଂ ଆମ ସହଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଯଦି ସଜାଗ ରହିବା, ଶତକଡ଼ା ଅନେଶତ ଘଟଣାରେ ଆମେ ହୁଏତ ବିପଦକୁ ଏଡ଼ାଇ ଦେଇପାରିବା। କେବଳ ସେତିକି ନୁହେଁ, ଯେଉଁଠି ସୁରକ୍ଷା ନିୟମ ପାଳନ ହେଉ ନାହିଁ, ସେଠାରେ ଆମେ ଚୁପ ନ ରହି ଦାବି କରିବା। ଯଦି ଜଣକର ଦାବିକୁ କୌଣସି ସଂସ୍ଥା ବା ଅଧିକାରୀ ଏଡ଼ାଇ ଦେଉଥା’ନ୍ତି, ଅନ୍ୟମାନେ ସେଥିରେ ଯୋଗଦେଇ ମିଳିତ ଭାବେ ସ୍ୱର ଉଠାଇବା। ଏବଂ ଶେଷରେ ଯଦି ଆମର ପ୍ରତିବାଦର ସ୍ୱର କାହା କାନରେ ନ ବାଜେ ତେବେ ନିଜ ସୁରକ୍ଷା ଚିନ୍ତା କରି ସେଠାରୁ ବରଂ ଫେରିଆସିବା ଶ୍ରେୟସ୍କର ହେବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

Comment