ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁ ଝିଅ ଅନୁକ୍ରିତି ଭାସ ଜିତିଛନ୍ତି ଚଳିତବର୍ଷର ଫେମିନା ମିସ୍ ଇଣ୍ଡିଆ ଟାଇଟଲ।

ଚଳିତ ବର୍ଷ ଫେମିନା ମିସ୍ ଇଣ୍ଡିଆ ଟାଇଟଲ ଜିତିଛନ୍ତି ଅନୁକ୍ରିତି ଭାସ। ମିସ୍‌ ଇଣ୍ଡିଆ ଟାଇଟଲ ଦୌଡରେ ଥିବା ୨୯ ଜଣ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଅନୁକ୍ରିତି ମିସ ଇଣ୍ଡିଆ ୨୦୧୯ର ମୁକୁଟ ପନ୍ଧିଛନ୍ତି। ତାମିଲନାଡୁରେ ବାସ କରୁଥିବା ଅନୁକ୍ରିତିଙ୍କ ବୟସ ମାତ୍ର ୧୯ ବର୍ଷ। ସେ ଏବେ କଲେଜରେ ପଢ଼ୁଛନ୍ତି। ୨୦୧୭ ବର୍ଷର ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଅନୁକ୍ରିତିଙ୍କୁ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧାଇଥିଲେ। ଆନ୍ଧ୍ରପ୍ରଦେଶର ମୀନାକ୍ଷି ଚୌଧୁରୀ ରନର୍ସ ଅପ୍ ହୋଇଥିଲେ।

ମଙ୍ଗଳବାରଦିନ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଗ୍ରାଣ୍ଡ୍ ଫାଇନାଲ। ଏହାକୁ ହୋଷ୍ଟ୍ କରିଥିଲେ ବଲିଉଡ ନିର୍ଦ୍ଦେଶକ କରଣ ଜୋହର ଓ ଅଭିନେତା ଆୟୁଷ୍ମାନ ଖୁରାନା। ଫାଇନାଲର ଜଜ୍ ଥିଲେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା, ବବି ଦେଓଲ, କୁନାଲ କପୁର, କ୍ରିକେଟର ଇରଫାନ ପଠାନ ଓ କେଏଲ ରାହୁଲ।

ମୁମ୍ବାଇସ୍ଥିତ ସର୍ଦ୍ଦାରବଲ୍ଲଭ ଭାଇ ପଟେଲ ଷ୍ଟାଡିୟମରେ ହୋଇଥିବା ଫାଇନାଲରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ଜାକଲିନ ଫର୍ଣ୍ଣାଡିଜ୍ ଓ କରିନା କପୁର ଖାନ୍ ପ୍ରମୁଖ  ନୃତ୍ୟ ପରିବେଷଣ କରିଥିଲେ।

ପ୍ରତିବର୍ଷ ହେଉଥିବା ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ପାଖାପାଖି ୩୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥାନ୍ତି। ମିସ୍ ଇଣ୍ଡିଆ ହେବାପରେ ଅନୁକ୍ରିତି ଆଗକୁ ଥିବା ମିସ୍ ଓ୍ୱାର୍ଲଡ୍ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

Comment