ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକିକୁ ଜାତୀୟ ଖେଳର ବିଧିବଦ୍ଧ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ହକିକୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଲେ ଚିଠି। ଚିଠିରେ ହକିକୁ ଜାତୀୟ ଖେଳର ବିଧିବଦ୍ଧ ମାନ୍ୟତା ଦେବା ପାଇଁ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ହକିକୁ ଉପଯୁକ୍ତ ସମ୍ମାନ ଦେବାକୁ ଦାବି କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପାଇଁ ବିଧିବଦ୍ଧ ଅଧିସୂଚନା ଜାରି କରାଯାଉ।

ହକିକୁ ଏଯାଏଁ କାହିଁକି ଜାତୀୟ କ୍ରୀଡା ଭାବେ ବିଧିବଦ୍ଧ ମାନ୍ୟତା ଦିଆଯାଇ ନାହିଁ ବୋଲି ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ।


ମୋଦିଙ୍କୁ ଦେଇଥିବା ଚିଠିରେ ନବୀନ ଲେଖିଛନ୍ତି ଯେ ଅଲିମ୍ପିକ୍ସରେ କୌଣସି ଦେଶ ଯଦି ସ୍ୱର୍ଣ୍ଣ ପଦକ ବିଜୟୀ ହୁଏ, ତାହା ଦେଶ ପାଇଁ ଏକ ଗର୍ବର ମୂହୁର୍ତ୍ତ ହୋଇଥାଏ। ବିଶ୍ୱ ଦରବାରରେ ଯେତେବେଳେ ଦେଶର ଜାତୀୟ ପତାକା ସର୍ବାଗ୍ରେ ରହି ଜାତୀୟ ସଙ୍ଗୀତ ଗୁଞ୍ଜରିତ ହୋଇଥାଏ ସେତେବେଳେ ଦେଶବାସୀ ଗୌରାବାନ୍ୱିତ ଅନୁଭବ କରିଥାନ୍ତି।

ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ପ୍ରସଙ୍ଗକୁ ସମର୍ଥନ କରି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

 

୧୯୪୭ରେ ନୂଆକରି ସ୍ୱାଧୀନ ହୋଇଥିବା ଭାରତ ୧୯୪୮ରେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ସଫଳତା ଅର୍ଜନ କରିଥିଲା। ଏହିବର୍ଷ ଭାରତ ଲଣ୍ଡନ ଅଲମ୍ପିକ୍ସରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶର ୩୩କୋଟି ଲୋକଙ୍କୁ ଖୁସି ଦେଇଥିଲା।

୧୯୮୦ ମସିହା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାରତୀୟ ହକି ଉତ୍ତମ ପ୍ରଦର୍ଶନ ଦ୍ୱାରା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଥିଲା।

କୋଟି କୋଟି ଭାରତୀୟଙ୍କ ଆତ୍ମାରେ ହକି ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଆଜିବି ଦେଶର ବିଭିନ୍ନ ରାଜ୍ୟରେ ହକି ଖେଳ ବେଶ୍ ଲୋକପ୍ରିୟ। ବିଶେଷକରି ଓଡ଼ିଶା, ଝାରଖଣ୍ଡ ଓ ଛତିଶଗଡର ଗ୍ରାମାଞ୍ଚଳରେ ହକି ଖେଳର ପ୍ରାଧାନ୍ୟ ବେଶୀ ଦେଖାଯାଏ।

ହକିକୁ ଜାତୀୟ ଖେଳ ଭାବେ ବିଧିବଦ୍ଧ ମାନ୍ୟତା ପାଇବା ପାଇଁ ଯୋଗ୍ୟ ବୋଲି ଚିଠିରେ ଲେଖିଛନ୍ତି ନବୀନ। ଏଯାଏଁ ହକିକୁ ଜାତୀୟ ଖେଳ କୁହାଯାଉଥିଲେ ହେଁ ଏହାର ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ।

୨୦୧୮ ଡିସେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ଏହି ବିଶ୍ୱକପ୍ ଆୟୋଜନକୁ ନେଇ ଓଡ଼ିଶା ଉତ୍ସାହିତ ରହିଛି। ୫ ବର୍ଷ ପାଇଁ ଭାରତୀୟ ହକି ଟିମ୍‌ର ଓଡ଼ିଶା ପ୍ରାୟୋଜକ ରହିଛି। ଏହି ମଉକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ଦେବା ଲାଗି ଚିଠି ଲେଖିଛନ୍ତି ବୋଲି ଚର୍ଚ୍ଚା ହେଉଛି।

Comment