ନୀଳାମ୍ବର ରଥ

ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଆଖି ବୁଜିଦେବା କେବଳ ଅବହେଳା ନୁହେଁ, ବରଂ ଏକ ଗୁରୁତର ଅପରାଧ – ଏକଥା ଭୁଲିଗଲେ ଚଳିବ ନାହିଁ!

ନିକଟରେ ଚିଲିକାରେ ହୋ‍ଇଥିବା ଡଙ୍ଗାବୁଡ଼ି ଘଟଣାରେ ସରକାର ତାଙ୍କ ହାତ ଧୋ‍ଇ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରୁଥିବା ପୋର୍ଟସ ଆଣ୍ଡ ଇନଲାଣ୍ଡ ୱାଟର ଟ୍ରାନ୍ସପୋର୍ଟ ନିର୍ଦ୍ଦେଶାଳୟର ପ୍ରାଥମିକ ତଦନ୍ତ ରିପୋର୍ଟକୁ ଗଣମାଧ୍ୟମ ସାମନାରେ ରଖିବା ବେଳେ ପ୍ରଶାସନ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇଦେବା ସ୍ପଷ୍ଟ ହୋ‍ଇଯାଇଛି।

ଏହି ନୌକା ଦୁର୍ଘଟଣା ପଛରେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ନଥିଲା କିମ୍ବା ଡଙ୍ଗାରେ ଓଭରଲୋଡିଂ ହୋ‍ଇନଥିଲା। ବରଂ ହଠାତ୍‍ ତୀବ୍ର ବେଗରେ ପବନ ବୋହିବା ଫଳରେ ଏହି ଦୁର୍ଘଟଣା ଘଟିଲା ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ସଚିବ କହିଛନ୍ତି।

କିନ୍ତୁ ଦୁର୍ଭାଗ୍ୟର କଥା ଏହା ଯେ ଏହି ତଦନ୍ତରେ ଯାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ ସଠିକ୍‍ ଦିଗକୁ ଛୁଇଁ ନାହିଁ। ସେଦିନ ଡଙ୍ଗାରେ ଯାତ୍ରା କଲାବେଳେ ସବୁ ଯାତ୍ରୀମାନେ ଲାଇଫ୍‍ ଜାକେଟ୍‍ ପିନ୍ଧିଥିଲେ କି ନାହିଁ, ଏହା ସ୍ପଷ୍ଟ କରିବାକୁ ଗଣମାଧ୍ୟମରେ ବାରମ୍ବାର ପ୍ରଶ୍ନ ଉଠାଯାଇଥିଲା। ହେଲେ ଧର୍ମକୁ ଆଖିଠାର ଭଳି ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଡଙ୍ଗାର ମାଲିକଙ୍କୁ ପ୍ରଶାସନ ତରଫରୁ ୨୦ଟି ଲାଇଫ୍‍ ଜାକେଟ୍‍ ପ୍ରଦାନ କରାଯାଇଥିଲା।

ଘଟଣା ଦିନ ଏହି ଡଙ୍ଗାରେ ଯାଇଥିବା କୌଣସି ଯାତ୍ରୀ ଲା‍ଇଫ୍‍ ଜାକେଟ୍‍ ପିନ୍ଧିନଥିଲେ ବୋଲି ଜଣାପଡ଼ିଛି। ତେବେ ଜଳପଥରେ ଯାତ୍ରା କରିବା ବେଳେ ଲାଇଫ୍‍ ଜାକେଟ୍‍ ପିନ୍ଧିବା ନିୟମ ଅନୁଯାୟୀ ବାଧ୍ୟତାମୂଳକ ହୋ‍ଇଥିବା ବେଳେ ଯାତ୍ରୀମାନେ ତାହା ପିନ୍ଧି ନଥିଲେ କାହିଁକି? ଏହି ଗମ୍ଭୀର ପ୍ରଶ୍ନକୁ ଅତି ସହଜ ଭାବେ ପ୍ରଶାସନ ଉତ୍ତର ଦେଇ କହିଛି ଯେ ଦୁର୍ଘଟଣା ଦିନ ସମ୍ପୃକ୍ତ ଡଙ୍ଗାରେ ଗୋଟିଏ ବି ଲାଇଫ୍‍ ଜାକେଟ୍‍ ନଥିଲା। ଚିଲିକାରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତି ପ୍ରଶାସନ କିଭଳି ସଜାଗ ରହିଛି, ଏହା ହେଉଛି ତା’ର ଏକ ନଗ୍ନ ନମୁନା।

ଏହି ତଦନ୍ତ ରିପୋର୍ଟରୁ ଗୋଟିଏ କଥା ସ୍ପଷ୍ଟ ହୋ‍ଇଯାଇଛି ଯେ ସମ୍ପୃକ୍ତ ଘଟଣାରେ ଯାତ୍ରୀ ସୁରକ୍ଷା ନେଇ ଘୋର ଅବହେଳା ପ୍ରଦର୍ଶନ କରାଯାଇଛି। ଡଙ୍ଗାରେ ଲାଇଫ୍‍ ଜାକେଟ୍‍ ନ ରହିବାଠାରୁ ବଳି ଅବହେଳା ଆଉ କ’ଣ ହୋ‍ଇପାରେ? ତେବେ ଏହି ଅବହେଳା ପାଇଁ କେବଳ ଡଙ୍ଗାଚାଳକ ବା ମାଲିକଙ୍କୁ ଦାୟୀ କରାଯିବ ନା ଏହି କଳଙ୍କର କିଛି ଭାଗ ପ୍ରଶାସନ ନିଜ ମୁଣ୍ଡରେ ମାରିବାକୁ ଆଗେଇ ଆସିବ, ତାହା ଏକ ନୈତିକତାର ପ୍ରଶ୍ନ।

ସୂଚନା ଅନୁଯାୟୀ, ଚିଲିକାର ବରକୂଳ, ସାତପଡ଼ା ଆଦି ପଏଣ୍ଟରେ ଯେଉଁ ଶତାଧିକ ଡଙ୍ଗା ଚଳାଚଳ କରୁଛନ୍ତି, ତା’ ଭିତରୁ ଅଧିକାଂଶ ଯାତ୍ରୀମାନଙ୍କୁ ଲା‍ଇଫ୍‍ ଜାକେଟ୍‍ ଦେଉନାହାନ୍ତି। ଗୋଟିଏ ପଟେ ଯାତ୍ରୀମାନେ ଲାଇଫ୍‍ ଜାକେଟ୍‍ ପିନ୍ଧିବାକୁ ଇଛା ପ୍ରକାଶ କରୁନାହାନ୍ତି ବୋଲି ବାରମ୍ବାର କୁହାଯାଉଥିଲା ବେଳେ ଅନେକ ଘଟଣାରେ ପର୍ଯ୍ୟଟକମାନେ ଜାକେଟ୍‍ ମାଗିଲେ ମଧ୍ୟ ସେମାନଙ୍କୁ ମିଳୁନଥିବା ଅଭିଯୋଗ ହେଉଛି।

ଅସଲରେ ଅଧିକାଂଶ ଡଙ୍ଗାକୁ ଦିଆଯାଇଥିବା ଲାଇଫ୍‍ ଜାକେଟ୍‍ ଦୀର୍ଘ ଦିନ ଧରି ବ୍ୟବହାର ନହୋ‍ଇ ଅକାମୀ ହୋ‍ଇପଡ଼ିଛି କିମ୍ବା ନାଆ ମାଲିକ ଓ ଚାଳକଙ୍କ ଘରେ ଅଳିଆଗଦାରେ ପଡ଼ିଛି। ଏ ଦିଗରେ କାହାର କୌଣସି ଉତ୍ତରଦାୟିତ୍ୱ ଥିବା ଭଳି ମନେହେଉନାହିଁ।

ସୁରକ୍ଷା ଯାଞ୍ଚ କରୁଛି କିଏ?

ପ୍ରତିଥର ଏଭଳି ଦୁର୍ଘଟଣା ପରେ ତଦନ୍ତ ହୁଏ ଏବଂ ଯେଉଁ ରିପୋର୍ଟ ଆସେ, ତାକୁ ଆଧାରକରି ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବ ବୋଲି ସାଧାରଣ ଧାରଣା ସୃଷ୍ଟି କରାଯାଏ। ହେଲେ ପୁଣିଥରେ ଦୁର୍ଘଟଣା ଘଟିଲା ବେଳେ ହିଁ ଜଣାପଡ଼େ ଯେ ପୂର୍ବ ଘଟଣାରୁ ଆମେ କିଛି ଶିକ୍ଷାଲାଭ କରିନାହୁଁ। ୨୦୧୬ ମସିହାରେ ଚିଲିକା ଡଙ୍ଗାବୁଡ଼ି ପରେ ୨୦୧୮ରେ ପୁଣି ଡଙ୍ଗାବୁଡ଼ିରେ ଅନେକ ଜୀବନହାନି ତା’ର ଉଦାହରଣ ବୋଲି କହିଲେ ଭୁଲ ହେବ ନାହିଁ।

ଓଡ଼ିଶାରେ ଯାତ୍ରୀମାନଙ୍କୁ ନେଇ ଯିବାଆସିବା କରୁଥିବା ନୌକାଗୁଡ଼ିକର ପରିଚାଳନା ବାବଦରେ ସରକାରୀ ନିୟମ ରହିଛି। ଏହି ନିୟମରେ ଯାତ୍ରୀମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳାଚଳ କରୁଥିବା ଡଙ୍ଗାର ବାସ୍ତବସ୍ଥିତି, ଏଥିରେ ଲାଗିଥିବା ଯନ୍ତ୍ରପାତିର ଚଳନ କ୍ଷମତା, କେଉଁ ଡଙ୍ଗାରେ ସର୍ବାଧିକ କେତେଜଣ ଯାତ୍ରା କରିପାରିବେ, ସେ ବାବଦରେ ଗାଇଡଲାଇନ୍‍ ରହିଛି। ବିଶେଷକରି ଜଳପଥରେ ଯାତ୍ରା କରିବା ବେଳେ ଯାତ୍ରୀମାନେ କିଭଳି ଲାଇଫ୍‍ ଜାକେଟ୍‍ ପିନ୍ଧିବେ ତାହା ନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

କିନ୍ତୁ ଅଳ୍ପ କିଛି ନାଆର ମାଲିକ ଓ ଚାଳକ ଏସବୁର ପାଳନ କରୁଥିବା ବେଳେ ଅଧିକାଂଶ ଡଙ୍ଗାରେ ଏହାର ପ୍ରୟୋଗ ହେଉନାହିଁ। ନିକଟରେ ଚିଲିକାରେ ହୋ‍ଇଥିବା ନୌକା ଦୁର୍ଘଟଣା ବେଳେ ଯଦି ଯାତ୍ରୀମାନେ ଲା‍ଇଫ୍‍ ଜାକେଟ୍‍ ପିନ୍ଧିଥା’ନ୍ତେ, ତେବେ ହୁଏତ ପାଣିରେ ବୁଡ଼ି ଏଭଳି ଜୀବନହାନି ଘଟିନଥା’ନ୍ତା।

ପ୍ରଶାସନ ସମ୍ବେଦନଶୀଳ ହେବା ଦରକାର

ଏ ପ୍ରକାର ଜୀବନହାନି ରୋକିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷକରି ଚିଲିକା ଭଳି ବହୁ ପର୍ଯ୍ୟଟକ ଆସୁଥିବା କ୍ଷେତ୍ରରେ ନିୟମିତ ଭାବେ ଯାଞ୍ଚ ହେବା ଆବଶ୍ୟକ। କିନ୍ତୁ ଏକଥା ସ୍ପଷ୍ଟ ଯେ ଏଭଳି କୌଣସି କାର୍ଯ୍ୟ କରାଯାଉନାହିଁ। କେବଳ ଦୁର୍ଘଟଣା ପରେପରେ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେଇ ସରକାର ଏକପ୍ରକାର ସେମାନଙ୍କ ମୁହଁ ବନ୍ଦ କରିଦେବାକୁ ଚେଷ୍ଟା କରୁଛନ୍ତି। ତା’ଠାରୁ ଆହୁରି ଦୁର୍ଭାଗ୍ୟର କଥା ଏହି ଯେ ଚିଲିକା ଡଙ୍ଗାବୁଡ଼ିରେ ୪ ଶିଶୁ ଏବଂ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାର ତଦନ୍ତ ବେଳେ ସୁରକ୍ଷା ଦିଗ ପ୍ରତି ସର୍ବାଧିକ ଗୁରୁତ୍ୱ ନଦେଇ ପ୍ରଶାସନ ପବନ ମୁଣ୍ଡରେ ଅଠା ବୋଳିବାକୁ ଉଚିତ ମନେକରୁଛି।

ଆଗାମୀ ଦିନରେ ଚିଲିକା ବକ୍ଷରେ ପବନ ଓ କାଳବୈଶାଖୀକୁ ସରକାର ରୋକିପାରିବେ ନାହିଁ। ତେଣୁ ଡଙ୍ଗାରେ ଯାଉଥିବା ଯାତ୍ରୀଙ୍କ ସୁରକ୍ଷା ବାବଦରେ ଯଦି ପ୍ରଶାସନ ନିଶ୍ଚିତ କରିନପାରିବ, ତେବେ ଆଗକୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟିବାକୁ ହୁଏତ କେହି ରୋକିପାରିବେ ନାହିଁ। ଆଉ ପ୍ରତିଥର ନିଜ ମୁଣ୍ଡକୁ ଦୋଷ ନନେଇ ନିର୍ଲଜ (କ୍ଷମା କରିବେ) ଭଳି ପ୍ରଶାସନ କହିଚାଲିଥିବ ‘ଚିଲିକା ଡଙ୍ଗାବୁଡ଼ି ପାଇଁ ଝଡ଼ ପବନ ଦାୟୀ’!

ଶୁଣନ୍ତୁ କ’ଣ କହୁଛନ୍ତି ଜନତା

ଚିଲିକା ଡଙ୍ଗାବୁଡ଼ି ଘଟଣାକୁ ନେଇ ଓଡ଼ିଶାଲାଇଭ ପକ୍ଷରୁ ଭୁବନେଶ୍ୱରରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଅଧିକାଂଶ ଜନତା ଏ ମାମଲାରେ ଡଙ୍ଗାମାଲିକ ଓ ଚାଳକଙ୍କ ସହ ପ୍ରଶାସନକୁ ଦାୟୀ କରିଛନ୍ତି। ବିଶେଷକରି ପ୍ରଶାସନ ଡଙ୍ଗା ପରିଚାଳନା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିନପାରିଲେ ବାରମ୍ବାର ଏଭଳି ଦୁର୍ଘଟଣା ଘଟିବା ଅସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି।

ଚିଲିକାକୁ ବରକୂଳ ଦେଇ ଅଧିକ ପର୍ଯ୍ୟଟକ ପ୍ରବେଶ କରିଥା’ନ୍ତି। ସେଠାରେ ପର୍ଯ୍ୟଟନ ବିଭାଗର କେତେକ ମୋଟରବୋଟ୍‍ ବା ସ୍ପିଡ୍‍ ବୋଟ୍‍ ରହିଛି। ତେବେ ଚିଲିକା ବକ୍ଷରେ ଶତାଧିକ ଘରୋ‍ଇ ଡଙ୍ଗା ଚଳାଚଳ କରୁଛି। ଯେହେତୁ ସରକାର ଆବଶ୍ୟକ ସଂଖ୍ୟକ ଅତ୍ୟାଧୁନିକ ବୋଟ୍‍ ଯୋଗାଇ ଦେଇପାରୁନାହାନ୍ତି, ତେଣୁ ଘରୋ‍ଇ ଡଙ୍ଗା ଚାଳକମାନଙ୍କୁ ତାଲିମ୍‍ ଦେଇ ସେମାନେ କିଭଳି ସୁରକ୍ଷିତ ଭାବରେ ଯାତ୍ରୀମାନଙ୍କୁ ନେବାଆଣିବା କରିବେ, ସେ ଦାୟିତ୍ୱ ପ୍ରଶାସନର।

ଅନେକ ସମୟରେ ସାନ ପିଲାମାନେ ଡଙ୍ଗା ଚଳାଉଥିବାର ଦେଖିବାକୁ ମିଳେ। ତେଣୁ କୌଣସି ପ୍ରକାର ବିପଦ ବେଳେ ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ପାଖରେ କେହି ନାହିଁ। ତା’ ଛଡ଼ା ଯାତ୍ରୀମାନେ ସୁରକ୍ଷା ଜାକେଟ୍‍ ମାଗିଲେ ମଧ୍ୟ ସେମାନଙ୍କୁ ମିଳୁନାହିଁ ବୋଲି ଆଗରୁ ଚିଲିକାକୁ ଯାଇଥିବା ଅନେକ ବ୍ୟକ୍ତି ଅଭିଯୋଗ ଆଣିଛନ୍ତି।

ବିମାନ ଚଳାଚଳ ବେଳେ ଯେଭଳି ଯାତ୍ରୀ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି, ଜଳପଥରେ ତାହା ଲାଗୁ କରିବା ଜରୁରି। ତେଣୁ ପ୍ରତି ଡଙ୍ଗାରେ ଅତ୍ୟାଧୁନିକ ଲାଇଫ୍‍ ଜାକେଟ୍‍ ଏବଂ ଅନ୍ୟ ସୁରକ୍ଷା ସମଗ୍ରୀ ରହିବା, ଯାତ୍ରୀମାନେ ଲାଇଫ୍‍ ଜାକେଟ୍‍ ପିନ୍ଧିବା ସୁନିଶ୍ଚିତ କରିବା, ଡଙ୍ଗାରେ ଯାତ୍ରା କରୁଥିବା ମହିଳା ଓ ଶିଶୁଙ୍କ ଉପରେ ଧ୍ୟାନ ଦେବା ଏବଂ ଅତି ଛୋଟପିଲାଙ୍କୁ ଡଙ୍ଗାରେ ନେବା ଉପରେ ଆଇନଗତ ବ୍ୟବସ୍ଥା ଆଜି ଜରୁରୀ ହୋ‍ଇପଡ଼ିଛି। ଏସବୁର ଦାୟିତ୍ୱ କେବଳ ପ୍ରଶାସନର ନୁହେଁ, ଏଥିରେ ଡଙ୍ଗାଚାଳକ ଓ ପର୍ଯ୍ୟଟକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ତେବେ ଗଭୀର ଭାବେ ଦେଖିବାକୁ ଗଲେ, ଏ ସମସ୍ତ ଦିଗକୁ ସୁନିଶ୍ଚିତ କରିବା ପାଇଁ ଯେଉଁ ଆଭିମୁଖ୍ୟ, ନିୟମ ଏବଂ ଯାଞ୍ଚ ବ୍ୟବସ୍ଥା ଦରକାର, ସେ ଦାୟିତ୍ୱ କେବଳ ପ୍ରଶାସନର।

ଆଜିର ଦିନରେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସୁରକ୍ଷା। ତେଣୁ ଚିଲିକା ଭଳି ବିସ୍ତୀର୍ଣ୍ଣ ଜଳରାଶିରେ ନିୟମିତ ପର୍ଯ୍ୟଟକମାନଙ୍କୁ ନେଇ ଯିବାଆସିବା କରୁଥିବା କୌଣସି ଡଙ୍ଗା ଯଦି କେବେ କୌଣସି ପ୍ରକାରର ଦୁର୍ଘଟଣା ବା ସମସ୍ୟାର ସମ୍ମୁଖୀନ ହୁଏ, ତେବେ ତୁରନ୍ତ କିଭଳି ସହାୟତା ପ୍ରଦାନ କରାଯାଇପାରିବ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ। ଏ କ୍ଷେତ୍ରରେ ଏକ ସ୍ଥାୟୀ ସୁରକ୍ଷା ଓ ଉଦ୍ଧାର ବ୍ୟବସ୍ଥା ବାବଦରେ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। କାରଣ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଆଖି ବୁଜିଦେବା କେବଳ ଅବହେଳା ନୁହେଁ, ବରଂ ଏକ ଗୁରୁତର ଅପରାଧ ଭାବେ ବିଚାର କରାଯିବା ଆବଶ୍ୟକ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

Comment