ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜସ୍ଥାନ ହିଙ୍ଗୋନିଆରେ ଆରମ୍ଭ ହେଉଛି ଗାଈ ସଫାରୀ
  • ଜନ୍ମାଷ୍ଟମୀରୁ ଆରମ୍ଭ ହେବ ଏହି ସଫାରୀ
  • ପର୍ଯ୍ୟଟକଙ୍କ ରହଣୀ ପାଇଁ ଗଛ ଉପରେ ମଞ୍ଚା
  • ଗାଈ ସଫାରୀ ପରେ ଷଣ୍ଢ ସଫାରୀ ଯୋଜନା

ଅଭୟାରଣ୍ୟରେ ବାଘ ସଫାରୀ କିମ୍ବା ସିଂହ ସଫାରୀ କଥା ଆମେ ଶୁଣିଛେ। ହେଲେ ରାଜସ୍ଥାନରେ ଗାଈ ସଫାରୀ ଆରମ୍ଭ ହେବାକୁ ଯାଉଛି। ପର୍ଯ୍ୟଟକମାନଙ୍କ ପାଇଁ ରାଜସ୍ଥାନରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏହି ନୂଆ ସଫାରୀ। ରାଜସ୍ଥାନ ସରକାରଙ୍କ ଗୋମାତା କଲ୍ୟାଣ ଯୋଜନାରେ ଆଉ ଏକ ନୂତନ ଅଧ୍ୟାୟ-ଗାଈ ସଫାରୀ।

ପ୍ରସ୍ତାବିତ ଗାଈ ସଫାରୀର ରୂପରେଖ ଜାଣିବା ପୂର୍ବରୁ ଏକଥା ଜାଣିନେବା ଉଚିତ ହେବ ଯେ ସରକାରୀ ଭାବେ ରାଜସ୍ଥାନରେ ଗୋମାତା ପ୍ରତି ସମ୍ମାନ ଓ ଆଦର ବେଶ ଅଧିକ। ରାଜ୍ୟରେ ଗୋ କଲ୍ୟାଣ ପାଇଁ ୨୦୧୫ ମସିହାରୁ ସରକାରଙ୍କର ସ୍ୱତନ୍ତ୍ର ମନ୍ତ୍ରାଳୟ ରହିଛ। ମନ୍ତ୍ରୀ ମଧ୍ୟସ ରହିଛନ୍ତି। ଗୋସୁରକ୍ଷା ବାବଦରେ ଷ୍ଟାମ୍ପ ଡ୍ୟୁଟି ଉପରୁ ଦଶ ପ୍ରତିଶତ ସରଚାର୍ଜ ଆଦାୟ କରାଯାଉଛି।

ଗୋ କଲ୍ୟାଣ ପାଇଁ ମଦ ବିକ୍ରି ଉପରୁ ୨୦ପ୍ରତିଶତ ଟିକସ ଆଦାୟ କରିବାକୁ ସରକାର ସ୍ଥିର କରିଛନ୍ତି। ଗୋ ମାତା ସଂପର୍କରେ ସଚେତନତା ସୃଷ୍ଟି ପାଇଁ ସରକାର ବହୁବିଧ ଉଦ୍ୟମ କରୁଛନ୍ତି। ପଞ୍ଚମ ଶ୍ରେଣୀ ହିନ୍ଦି ବହିରେ ଗୋ-ମାତାଙ୍କ ଲିଖିତ ଏକ ‘ଚିଠି’ ପିଲାଙ୍କୁ ପଢ଼ିବାକୁ କୁହାଯାଇଛି। ‘କାମଧେନୁ’ ଶୀର୍ଷକ ଏହି ପୃଷ୍ଠାରେ ଗୋ-ମାତା ଛାତ୍ରଛାତ୍ରୀଙ୍କୁ ‘ମୋର ପ୍ରିୟ ପୁତ୍ର ଓ କନ୍ୟାମାନେ’ ବୋଲି ସମ୍ବୋଧନ କରିଛନ୍ତି।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ତୁଳାତ୍ମକ ଭାବେ ଗାଈ ପ୍ରତି ରାଜସ୍ଥାନ ସରକାରଙ୍କର ଯଥେଷ୍ଟ ଆଦର ଓ ସମ୍ମାନ ରହିଛି।

ରାଜସ୍ଥାନର ରାଜଧାନୀ ଜୟପୁର ଉପକଣ୍ଠ ହିଙ୍ଗୋନିଆ ଗୋଶାଳାରେ ଆରମ୍ଭ ହେବାକୁ ଯାଉଛି ଗୋ ସଫାରୀ। ୨୦୧୬ ମସିହାରେ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ହିଙ୍ଗୋନିଆ ଗୋଶାଳା ଭିନ୍ନ କାରଣରୁ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା। ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଏଠାରେ ହଜାର ହଜାର ଗାଈଙ୍କର ପ୍ରାଣହାନି ଘଟିଥିଲା। ଏବେ ଆଉ ସେଭଳି ଅବସ୍ଥା ନାହିଁ।

ଗାଈ ସଫାରୀ ପାଇଁ ଏହି ଗୋଶାଳା ହିଁ ସର୍ବୋତ୍କୃଷ୍ଟ ସ୍ଥାନ ରୂପେ ବିବେଚିତ ହୋଇଛି। ପ୍ରସ୍ତାବ ଅନୁସାରେ ଏଠାରେ ଭିନ୍ନ ଭିନ୍ନ ପ୍ରଜାତିର ପନ୍ଦର ହଜାର ଗାଈ ରଖାଯିବ। ପର୍ଯ୍ୟଟକମାନେ ବଳଦ ଗାଡ଼ିରେ ବସି ମାଟି କାଦୁଅ ରାସ୍ତାରେ ଯିବେ ଏବଂ ଜଙ୍ଗଲିଆ ପରିବେଶରେ ଗାଈମାନଙ୍କ ଗହଣରେ ସମୟ କାଟି ପାରିବେ। ଏଠାରେ ପର୍ଯ୍ୟଟକ ଗାଈମାନଙ୍କୁ ଚରୁଥିବା ଦେଖିପାରିବେ। ଚାହିଁଲେ ଗାଈକୁ ଆଉଁସି ପାରିବେ। ତାକୁ ଗାଧୋଇ ଦେଇପାରିବେ ଏବଂ ଖୁଆଇ ପାରିବେ। ଗୋଟିଏ କଥାରେ ସ୍ୱେଚ୍ଛାରେ ଗୋ ମାତାର ସେବା କରିପାରିବେ। ଏମିତି କି ସେଠାରେ ରହିଲେ ଗାଈର କ୍ଷୀର ବି ଦୁହିଁ ପାରିବେ।

ବଡ଼କଥା ହେଲା ଏସବୁ ପାଇଁ ପର୍ଯ୍ୟଟକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ପର୍ଯ୍ୟଟକମାନଙ୍କର ସାମୟିକ ରହଣି ପାଇଁ ବି କିଛିଟା ଭିନ୍ନ ଧରଣର ବନ୍ଦୋବସ୍ତ କରାଯାଉଛି। ଗଛ ଉପରେ ମଞ୍ଚା ଭଳି କୁଟୀର ତିଆରି କରାଯାଉଛି। ପର୍ଯ୍ୟଟକମାନେ ଏଥିରେ ରହି ଗାଈମାନଙ୍କୁ ଦେଖିବାର ଆନନ୍ଦ ଉପଭୋଗ କରିପାରିବେ। ମଞ୍ଚାରେ ରହିବା ପାଇଁ କିଛି ଦେୟ ଦେବାକୁ ପଡ଼ିବ ।

ଗାଈ ସଫାରୀରେ ପ୍ରାୟ ୩୦ଟି ଭିନ୍ନ ଭିନ୍ନ  ପ୍ରଜାତିର ଦେଶୀ ଗାଈ ସଂପର୍କରେ ପର୍ଯ୍ୟଟକମାନେ ଜ୍ଞାନ ଆହରଣ କରିପାରିବେ। ଥାରପରକର୍‌, ରେଣ୍ଡି, ଗିର୍, କାଙ୍କରେଜ୍‌, ଲାଲ ସିନ୍ଧି, ରାଠି ପ୍ରଭୃତି ପ୍ରଜାତିର ଗାଈ ସଂପର୍କରେ ବିସ୍ତୃତ ଓ ବ୍ୟାବହାରିକ ଜ୍ଞାନଲାଭର ସୁଯୋଗ ଦେବ ଗାଈ ସଫାରୀ। କେହି ପର୍ଯ୍ୟଟକ ଚାହିଁଲେ ଏଠାରେ ଏକ ଗାଈକୁ ପୋଷ୍ୟ ଗାଈ ରୂପେ ଗ୍ରହଣ କରିପାରିବେ।

ଗାଈ ସଫାରୀ ପାଇଁ କାମ ଆରମ୍ଭ ହେଲାଣି। ଜଙ୍ଗଲ ଅଞ୍ଚଳରେ ବାଡ଼ଘେରା ଚାଲିଛି। ଗଛ ଉପରେ ମଞ୍ଚା ତିଆରି ବି ଚାଲିଛି। ଆସନ୍ତା ଜନ୍ମାଷ୍ଟମୀରୁ ଆନୁଷ୍ଠାନିକ ଭାବେ ଗାଈ ସଫାରୀର ଶୁଭାରମ୍ଭ ହେବ। ଏହାର ସଫଳତା ନେଇ ସରକାର ଓ ପର୍ଯ୍ୟଟନ ବିଭାଗ ବେଶ ଆଶାବାଦୀ। ଗାଈ ସଫାରୀ ସଫଳ ହେଲେ ଆଗକୁ ଷଣ୍ଢ ସଫାରୀ ଆରମ୍ଭ କରିବାର ଯୋଜନା ରହିଛି। ହିଙ୍ଗୋନିଆ ଗୋଶାଳା ସଂଲଗ୍ନ ଅଞ୍ଚଳରେ ପ୍ରାୟ ୧୦ ହଜାର  ଷଣ୍ଢ ରହୁଛନ୍ତି। ଏମାନଙ୍କୁ ଏକାଠି କରି ଆରମ୍ଭ ହେବ ଷଣ୍ଢ ସଫାରୀ। ହେଲେ ସେଥିରେ ପର୍ଯ୍ୟଟକଙ୍କୁ ସ୍ୱେଚ୍ଛାକୃତ ସେବାର ସୁଯୋଗମିଳିବ କି ନାହିଁ ତାହା ଜଣାପଡ଼ିନାହିଁ।

Comment