ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ହୋଇ ପୁଣି ଥରେ ପରଦାକୁ ଫେରିଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି। ସୁଟିଂ ସେଟ୍‌ରେ ଆହତ ହେବା ପରେ ପ୍ରାୟ ତିନିମାସ ହେଲା ଫିଲ୍ମ ଲାଇନରୁ ଦୂରେଇ ରହିଥିବା ଅନୁଭବ ପୁଣିଥରେ ସୁଟିଂ ସେଟକୁ ଫେରିଛନ୍ତି।

ସୁଟିଂକୁ ଫେରିବା ପରେ ଅନୁଭବ ଓଡ଼ିଶାଲାଇଭ୍‌କୁ କହିଛନ୍ତି, “ଦୀର୍ଘ ୩ମାସ ଧରି ଖଟରେ ପଡ଼ିରହିବା ମୋ ପାଇଁ ଏତେ ସହଜ ନଥିଲା। ଭଗବାନଙ୍କ ଆଶୀର୍ବାଦ ଏବଂ ଦର୍ଶକମାନଙ୍କ ଭଲପାଇବା ଯୋଗୁଁ ମୁଁ ପୁଣି ଥରେ ସୁଟିଂ ସେଟ୍‌କୁ ଫେରିପାରିଛି। ଏଥିପାଇଁ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ପରିବାରବର୍ଗଙ୍କୁ ଧନ୍ୟବାଦ ଦେବି।”

ଫିଲ୍ମ ଲାଇନରୁ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ପ୍ରତି ଏତେ ଭଲପାଇବା ଦେଖି ଦର୍ଶକଙ୍କୁ ‘ଆଇ ଲଭ୍‌ ୟୁ’ କହିଛନ୍ତି ଅନୁଭବ।

ନିଜ ଅଧୁରା ପ୍ରୋଜେକ୍ଟକୁ ଖୁବ୍‌ଶିଘ୍ର ସାରିବା ପାଇଁ ସୁଟିଂ ସେଟ୍‌ରେ ଝାଳ ବୁହାଇଛନ୍ତି ଏହି ସୁପରଷ୍ଟାର। ପ୍ରଥମେ ତାପଶ ସରଘରିଆଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପ୍ରେମ କୁମାର’ର ବାକି ରହିଯାଇଥିବା ସୁଟିଂ ଶେଷ କରିବେ। ଏହାପରେ ଅନ୍ତର୍ଜାତୀୟ ହକି ଖେଳାଳି ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ବାଓପିକ୍‌ରେ ମଧ୍ୟ ନଜର ଆସିବେ ଅନୁଭବ।

ରଜ ଅବସରରେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ ‘ପ୍ରେମ୍‌ କୁମାର’ ସୁଟିଂ ମହାନଦୀ ବିହାରରେ ହେଉଥିବାବେଳେ ଅନୁଭବ ଆହତ ହୋଇଥିଲେ। ଫିଲ୍ମର ଏକ ସିନ୍‌ରେ ପାଣି ଟାଙ୍କି ଉପରୁ ଅନୁଭବଙ୍କୁ ୩୦ଫୁଟ ତଳକୁ ଡେଇଁବାକୁ ଥିଲା। ଅନୁଭବ ତଳକୁ ଡେଇଁବା ପରେ ତାଙ୍କର ଡାହାଣ ଗୋଇଠି ମୋଡ଼ି ହୋଇଯାଇଥିଲା। ଫଳରେ ତାଙ୍କ ଗୋଡ଼ରେ ଅପରେଶନ୍ ମଧ୍ୟ କରାଯାଇଥିଲା। ସର୍ଜରୀର ୧୦ ଦିନ ପରେ ହିଁ ସେ ୱାର୍କଆଉଟ କରିବା ଆରମ୍ଭ କରିଥିଲେ।

ଏହି ସମୟ ମଧ୍ୟରେ ନିଜ ଫ୍ୟାନ୍‌ମାନଙ୍କ ସହ ଯୋଡ଼ି ରହିବା ପାଇଁ ପାଇଁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ମଧ୍ୟ ରହୁଥିଲେ ଅନୁଭବ। ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ପରିବାରବର୍ଗଙ୍କ ସହ ୱାର୍କଆଉଟ ଫଟୋ ସେୟାର କରୁଥିଲେ ସେ।

ଫିଲ୍ମ ‘ପ୍ରେମ କୁମାର’ରେ ସସ୍ପେନ୍ସ ଭରି ରହିଛି। ଏହି ଫିଲ୍ମରେ ଦୁଇଜଣ ନାୟିକା ଶିବାନୀ ସଙ୍ଗିତା ଏବଂ ତମ୍ମନା ରହିଛନ୍ତି। ଏହି ଫିଲ୍ମରେ ଅନୁଭବଙ୍କ ଡ୍ରେସିଂ ଷ୍ଟାଇଲ୍‌ କିଛିଟି ଭିନ୍ନ ରହିଛି। ଯାହାକୁ ଦର୍ଶକ ପସନ୍ଦ କରିବେ ବୋଲି କହିଛନ୍ତି ଅନୁଭବ। ଆଗାମୀ ଦଶହରାରେ ଏହି ଫିଲ୍ମଟି ମୁକ୍ତିଲାଭ କରିବ।

LEAVE A REPLY

Please enter your comment!
Please enter your name here