ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୬୯ତମ ରାଜ୍ୟସ୍ତରୀୟ ବନହୋତ୍ସବ ପାତ୍ରପଡ଼ା-ଭଗବାନପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ
  • ମହାନଦୀର ଅବବାହିକାରେ ଦୁଇ କୋଟି ଗଛ ଲଗାଯିବ:ମୁଖ୍ୟମନ୍ତ୍ରୀ
  • ଓଡ଼ିଶାରେ ଜଙ୍ଗଲ ବଢ଼ିଛି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ
  • ଜୁଲାଇ ୭ ତାରିଖରେ ସାରା ରାଜ୍ୟରେ ୪୦ଲକ୍ଷ ଚାରା ରୋପଣ

୬୯ତମ ରାଜ୍ୟସ୍ତରୀୟ ବନହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପାତ୍ରପଡ଼ା-ଭଗବାନପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ଗଛ ପ୍ରକୃତିର ଆତ୍ମା। ଗଛ ନଷ୍ଟ ହେଲେ ପ୍ରକୃତି ନଷ୍ଟ ହୋଇଥାଏ। ତେଣୁ ଗଛର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୨୫୦୦ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଥିବାରୁ ରାଜ୍ୟ ଜଙ୍ଗଲ ବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତିମାନଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସବୁଜ ମହାନଦୀ ମିଶନ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ମହାନଦୀ ଓଡ଼ିଶାର ଜୀବନରେଖା। ତେଣୁ ମହାନଦୀର ସୁରକ୍ଷା ପାଇଁ ଏହାର ଅବବାହିକାରେ ଦୁଇ କୋଟି ଗଛ ଲଗାଯିବ”। ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି, “ଓଡ଼ିଶାରେ ଜଙ୍ଗଲ ବଢ଼ିଛି। ସାଧାରଣ ଲୋକମାନଙ୍କ ଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଯୁବପିଢ଼ି ଓ ବନ ବିଭାଗର ପ୍ରଚେଷ୍ଟାରେ ଆଗକୁ ଜଙ୍ଗଲର ସୁରକ୍ଷା କରାଯାଇପାରିବ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬୯ତମ ବନ ମହୋତ୍ସବର ଏକ ପୁସ୍ତକ ଉନ୍ମୋଚନ କରିଥିଲେ। ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ଚାରା ରୋପଣ କରିବା ସହ ବନୀକରଣ ଦିଗରେ ଭଲ କାମ କରିଥିବା ଗଞ୍ଜାମର ବାଲିପୁଟ ବନ ସୁରକ୍ଷା ସମିତି ଏବଂ ସମ୍ବଲପୁରର ଓରାମ-ନିକିତିମାଳ ବନ ସୁରକ୍ଷା ସମିତିକୁ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଥିଲେ।

ଗଛର ସୁରକ୍ଷା ହେଉଛି ସଭ୍ୟତା ଓ ସଂସ୍କୃତିର ସୁରକ୍ଷା। ତେଣୁ ପରିବାର ସଦସ୍ୟ ପରି ଗଛର ଯତ୍ନ ନେବା ସହିତ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ନିମନ୍ତେ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ।

ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି, “ଜୁଲାଇ ୭ ତାରିଖରେ ସାରା ରାଜ୍ୟରେ ୪୦ଲକ୍ଷ ଚାରା ରୋପଣ କରାଯିବ। ଗତକିଛି ବର୍ଷ ମଧ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ ନିଆଯାଇଥିବା ବିଶେଷ ପଦକ୍ଷେପ ଯୋଗୁଁ ରାଜ୍ୟରେ ଜଙ୍ଗଲ ବଢ଼ିଛି।”

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ଵର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା। ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଯୋଗଦେଇ ଗଛ ଲଗାଇବାର ଉପକାରିତା ବିଷୟରେ ବୁଝାଇଥିଲେ।

Comment