ଓଡ଼ିଶାଲାଇଭ୍ ବ୍ୟୁରୋ

ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଅଷ୍ଟାଦଶ ଓ ଶିଶୁକିଶୋର ପତ୍ରିକା ‘କୁନିକଥା’ର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ ସୋମବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।
ବରିଷ୍ଠ ସାହିତ୍ୟିକ ଡକ୍ଟର ବିଭୂତି ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଇଣ୍ଡିଆନ୍ ଲିଟରେଚରର ସମ୍ପାଦକ ସାହିତ୍ୟିକ ଏକେ ଥୋମାସ୍ ଯୋଗଦେଇଥିଲେ।
“ଆଧ୍ୟାତ୍ମିକତା ଅନ୍ୟ କେଉଁଠି ନାହିଁ। ଏହା ଆମ ଭିତରେ ହିଁ ରହି ନିରନ୍ତର ପ୍ରବାହ ହେଉଛି। ଆଧ୍ୟାତ୍ମିକତାର କୌଣସି ନାମ ନାହିଁ କିମ୍ବା ପ୍ରକାର ଭେଦ ନାହିଁ। ଏହାକୁ ବର୍ଣ୍ଣନା କରିବାକୁ ଭାଷା ନାହିଁ କି ପ୍ରକାର ବି ନାହିଁ। ଥରେ ଜଣେ ଆଧ୍ୟାତ୍ମିକତା ମଧ୍ୟରେ ପ୍ରବେଶ କଲେ ତାହା ମଧ୍ୟରୁ ଫେରିଆସି ହେବ ନାହିଁ”, କହିଛନ୍ତି ଥୋମାସ୍।
ଅଭିନେତ୍ରୀ ଓ ସ୍ତମ୍ଭକାର ପୂଜା ବେଦୀ ଯୋଗଦେଇ କହିଲେ, “ଏବେ ଜନସଂଖ୍ୟା ବଢ଼ିଛି। ସେହି ଅନୁସାରେ ଜୀବିକା ମଧ୍ୟ ବଢ଼ିଛି ଓ ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ ହେଉଛି। ଏହା ଭିତରେ ବି ମଣିଷ ଭିତରେ ସୁଖ, ଦୁଃଖ କଷ୍ଟ ଭରି ରହିଛି। ଏଥିପାଇଁ କେବଳ ଆଧ୍ୟାତ୍ମିକତାକୁ ଆପଣାଇବାକୁ ପଡ଼ିବ।”
କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ଯୋଗଥିଲେ।
ଏହି ଅବସରରେ ‘କାଦମ୍ବିନୀ ସ୍ଵନକ୍ଷତ୍ର ସ୍ଵତନ୍ତ୍ର’ ଓ ‘କୁନିକଥା’ର ଜୁଲାଇ ସଂଖ୍ୟା ଓ କାଦମ୍ବିନୀ ମିଡିଆ ଓ କଳିଙ୍ଗ ଟିଭିର ନୂତନ ପ୍ରୟାସ ‘ଭିନ୍ନ ମଣିଷ ଭିନ୍ନ କଥା’ କାର୍ଯ୍ୟକ୍ରମ ଉନ୍ମୋଚିତ ହୋଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ଡକ୍ଟର ଇତି ସାମନ୍ତ ଧନ୍ୟବାଦ ଦେଇଥିଲେ।
ଏଥିସହ ସାମାଜିକ କର୍ମୀ ସୁମନୀ ଝୋଡ଼ିଆଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୧୮’ରେ ସମ୍ମାନିତ କରାଯାଇଥିଲା। ସମ୍ମାନ ସ୍ଵରୂପ ତାଙ୍କୁ ୫୦ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା।
ସେହିଭଳି ଆଦିତେଶ୍ୱର ମିଶ୍ରଙ୍କୁ ‘କାଦମ୍ବିନୀ ଗଳ୍ପ ସମ୍ମାନ’, ରକ୍ଷକ ନାୟକଙ୍କୁ ‘କାଦମ୍ବିନୀ କବିତା ସମ୍ମାନ’, ବିନୋଦିନୀ ପାତ୍ରଙ୍କୁ ‘କାଦମ୍ବିନୀ ଅନୁବାଦ ଜ୍ୟୋତ୍ସା ପାଲ୍ ସ୍ମୃତି ସମ୍ମାନ’, ଶିବାନୀ ସଙ୍ଗୀତାଙ୍କୁ ‘କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ପୁରସ୍କାର’, ଗୀତାରାଣୀ ବାରିକଙ୍କୁ ‘କାଦମ୍ବିନୀ ଆମ ରୋଷେଇ ବର୍ଣ୍ଣିକା ପଟ୍ଟନାୟକ ସ୍ମୃତି ପୁରସ୍କାର’, ପ୍ରତାପ କୁମାର ନାୟକଙ୍କୁ ‘କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା’, ରମେଶ ପତ୍ରୀଙ୍କୁ ‘କୁନିକଥା ପ୍ରିୟ ଲେଖକ ସମ୍ମାନ’, ଓଁ ଶାଙ୍କରୀ ମିଶ୍ରଙ୍କୁ ‘କୁନିକଥା କୁନି ପ୍ରତିଭା ପୁରସ୍କାର’, ଶୁଭଲକ୍ଷ୍ମୀ ମହାନ୍ତିଙ୍କୁ ‘କାଦମ୍ବିନୀ ଶ୍ରେଷ୍ଠ କର୍ମଚାରୀ ପୁରସ୍କାର’, ସୌମ୍ୟା ମହାପାତ୍ର, ଶାନ୍ତନୁ କୁମାର ନାୟକ, ଅପର୍ଣ୍ଣା ତ୍ରିପାଠୀଙ୍କୁ ‘କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର-୨୦୧୭’ ସମ୍ମାନ ପ୍ରଦାନ କରାଯାଇଥିଲା।


















