ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ‘ଟିବି ହାରେଗା ଦେଶ ଜିତେଗା’। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ରାଜ୍ୟରେ ଯକ୍ଷ୍ମା ନିରାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଯକ୍ଷ୍ମା ମୁକ୍ତ ଅଭିଯାନରେ ସାମିଲ ହୋଇ କନ୍ଧମାଳ ସାଂସଦ ତଥା କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କନ୍ଧମାଳ ଜିଲ୍ଲାକୁ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରି କନ୍ଧମାଳ ଜିଲ୍ଲାକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି।

ସୋମବାର ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କ ପାଇଁ ସହାୟତା ପୂର୍ବକ ପୁଷ୍ଟିକର ‘ଖାଦ୍ୟ ବାସ୍କେଟ’ ବଣ୍ଟନ କରିଛନ୍ତି। ଖାଦ୍ୟ ବାସ୍କେଟରେ ପ୍ରତିମାସ ବୟସ୍କ ରୋଗୀଙ୍କ ପାଇଁ ୩ କିଲୋ ଶସ୍ୟ ଓ ବାଜରା, ପିଲାଙ୍କ ପାଇଁ ୨ କିଲୋ ଶସ୍ୟ ଓ ବାଜରା ଦିଆଯିବ। ସେହିପରି ବୟସ୍କ ଓ ପିଲାଙ୍କ ପାଇଁ ଯଥାକ୍ରମେ ୧.୫ କିଲୋ ଓ ୧ କିଲୋ ଡାଲି, ୨୫୦ ଗ୍ରାମ ଓ ୧୫୦ ଗ୍ରାମ ପନିପରିବା, ରନ୍ଧନ ତେଲ ୧ ଲିଟର ଓ ୭୫୦ ଗ୍ରାମ ଚିନାବାଦାମ ପ୍ରଦାନ କରାଯିବ।

ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀଠାରେ କନ୍ଧମାଳ ଜିଲ୍ଲାର ୬ଟି ବ୍ଲକ୍‍ ଓ ବାଲିଗୁଡ଼ାଠାରେ ଜିଲ୍ଲାର ଆଉ ୬ଟି ବ୍ଲକର ୩୯ଜଣ ଶିଶୁଙ୍କ ସମେତ ମୋଟ ୬୦୬ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷାକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ପ୍ରତିମାସ ଏହି କାର୍ଯ୍ୟକ୍ରମ ଜାରି ରହିବ। ପୋଷାକ ଓ ଖାଦ୍ୟ ବଣ୍ଟନ ବାବଦରେ ଜିଲ୍ଲାର ସମସ୍ତ ରୋଗୀଙ୍କ ପାଇଁ ମାସିକ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ଏବଂ ଏଥିପାଇଁ ମୋଟ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏବାବଦ ସମସ୍ତ ଖର୍ଚ୍ଚ କିସ୍‍ ଫାଉଣ୍ଡେସନ୍‍ ବହନ କରିବ ବୋଲି ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି।

ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର, ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଭୟ ପଟ୍ଟନାୟକ ଏବଂ ଜିଲ୍ଲା ଏଡିପିଏଚ୍‌ଓ (ଟିବି) ପ୍ରମୁଖ ଉପସ୍ଥିତ ଥିଲେ।

Tags: #TBFreeCampaign #TBHaregaDeshJitega #KISSFoundation #KandhamalDistrict #AchyutaSamnata #AdoptDistrict

Comment