ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳ ଜିଲ୍ଲା ବିରିନ୍ଦିପଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଚିତ୍ର।

ସରକାରଙ୍କ ସମସ୍ତ ସୁବିଧା ସୁଯୋଗଠୁ ସେମାନେ ଯେମିତି ଶହେ କୋଶ ଦୂରରେ। ସେଥିପାଇଁ ତ ନଦୀଟିଏ ପାର ହେବାକୁ ତାଙ୍କୁ ନିଜ ଜୀବନ ଦାଉରେ ଲଗାଇବାକୁ ପଡ଼େ। ମାତ୍ର ତାର କେଇ ଖଣ୍ଡକୁ ଭରସା କରି ସେମାନେ ହୁଅନ୍ତି ନଦୀ ପାର।

ପଞ୍ଚାୟତରୁ ରାସନ୍ ଜିନିଷ ଆଣିବାକୁ ହେଉ କି ପିଲାମାନେ ସ୍କୁଲ୍ ଯିବାକୁ ସବୁଥିପାଇଁ ସେମାନଙ୍କୁ ବିପଦ ସହ ଲଢ଼ିବାକୁ ପଡ଼ିଥାଏ। ନିଜର ତିନିଦିନିଆ କାମ କରିବାକୁ ସରୁ ତାରରେ ପାର ହେବାକୁ ପଡ଼ିଥାଏ ନଦୀ।ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକର ବିରିନ୍ଦିପଡ଼ା ଗାଁରେ। ଏଠାରେ ପ୍ରାୟ ୧୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଗାଁ ଲୋକଙ୍କୁ ନିଜର ନିତିଦିନ କାମ କରିବାକୁ ସେଠାରେ ଥିବା କାଳିପେନୁ ନଦୀ ପାର ହେବାକୁ ପଡ଼େ, ହେଲେ ନଦୀ ପାର ହେବାକୁ ସେଠାରେ ନାହିଁ କୌଣସି କଂକ୍ରିଟ୍ ବନ୍ଧ। ଲୋକମାନେ ବିପଦଜନକ ଭାବେ ତାର ଉପରେ ଚାଲି ଚାଲି ନଦୀ ପାର ହେଉଥିବା ଦେଖିବାକୁ ମିଳିଛି।

ଖରା ଦିନେ ନଦୀ ଶୁଖିଲା ରହୁଥିବାରୁ ଲୋକମାନଙ୍କୁ ସେଭଳି କୌଣସି ଅସୁବିଧା ହୁଏ ନାହିଁ। ହେଲେ ବର୍ଷା ଦିନ ଆସିଲେ ଲୋକଙ୍କ ଅସୁବିଧା ବଳିଯାଏ। ଗାଁର ବୁଢ଼ାଠାରୁ ଟୋକା ଯାଏ ସମସ୍ତେ ସେହି ତାର ଖଣ୍ଡକୁ ଆଶ୍ରା କରି ନଦୀ ପାର୍ ହୋଇଥାନ୍ତି।ଏହି ଘଟଣା ଦିନେ ଅଧେ ନୁହେଁ ବରଂ ଦୀର୍ଘ ଦିନ ଧରି ଚାଲିଆସୁଥିଲେ ମଧ୍ୟ ସରକାରୀ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ କନ୍ଧମାଳ ଜିଲ୍ଲା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ଯେ, ଗାଁରେ ବିକଳ୍ପ ରାସ୍ତା ଅଛି ହେଲେ ଲୋକମାନେ ସେହି ରାସ୍ତାରେ ଯିବା ଆସିବା କରୁନାହାନ୍ତି। ଏଥିସହ ପୋଲ କରିବା ପାଇଁ ସ୍ଥାନୀୟ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Comment