ଓଡ଼ିଶାଲାଇଭ୍ ବ୍ୟୁରୋ

କିସ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ଅଭିଭାବକ ମହାସମାବେଶ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ୍‍ ମୋଡ୍‍ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲା ସମେତ ଝାଡ଼ଖଣ୍ଡ ଓ ଆସାମ ଆଦି ରାଜ୍ୟରେ ରହୁଥିବା କିସ୍‍ର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଲକ୍ଷାଧିକ ସଂଖ୍ୟାରେ ସାମିଲ ହୋଇଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ।“ବର୍ତ୍ତମାନ କରୋନା କାଳରେ କିସ୍‍ର ଛାତ୍ରଛାତ୍ରୀମାନେ ଯେଭଳି ଶିକ୍ଷାଠାରୁ ଦୂରେଇ ନ ଯାଆନ୍ତି ସେଥିପାଇଁ କିସ୍‍ କର୍ତ୍ତୃପକ୍ଷ ସର୍ବଦା ଚେଷ୍ଟିତ ଅଛନ୍ତି। ସେଥିପାଇଁ ଏବେ ଘରେ ରହୁଥିବା କିସ୍‍ର ୩୦ ହଜାର ଛାତ୍ରଛାତ୍ରୀଙ୍କ ନିକଟକୁ ପ୍ରତିମାସରେ କିସ୍‍ ପକ୍ଷରୁ ଶୁଖିଲା ଖାଦ୍ୟ ଓ ପାଠ ଉପକରଣ ପଠାଯାଉଛି। କିସ୍‍ର ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କ ସହ ସର୍ବଦା ଯୋଗାଯୋଗରେ ରହିଆସୁଛନ୍ତି। ଅନ୍‍ଲାଇନ୍‍ରେ ଶିକ୍ଷକଶିକ୍ଷୟିତ୍ରୀମାନେ ଶିକ୍ଷାଦାନ କରୁଥିବା ବେଳେ କଳିଙ୍ଗ ଟିଭି ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସମୟରେ ଶିକ୍ଷାଦାନ ଜାରି ରହିଛି”, କହିଛନ୍ତି କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

ତେବେ କରୋନା କାଳ ହୋଇଥିବାରୁ ଅଭିଭାବକମାନେ ନିଜର ଯତ୍ନ ନେବା ସହ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପାଠପଢ଼ା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସେହିପରି ପିଲାମାନେ ମଧ୍ୟ ନିଜ ନିଜର ପାଠପଢ଼ା ସମୟ ବାଦ୍ ଅଭିଭାବକଙ୍କୁ ସେମାନଙ୍କ କାର୍ଯ୍ୟରେ ସହଯୋଗ କରିବାକୁ ଡକ୍ଟର ସାମନ୍ତ ପରାମର୍ଶ ଦେଇଥିଲେ।ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ପି କେ ରାଉତରାୟ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଭାର ମହାସଚିବ ତଥା ଅଭିଭାବକ ପ୍ରତିନିଧି ନିରଞ୍ଜନ ବିଶି, ଝାରସୁଗୁଡ଼ାରୁ ପ୍ରଭାକର ଓରାମ, ମୟୂରଭଞ୍ଜରୁ ଲମ୍ବୋଦର ସିଂହ, କେନ୍ଦୁଝରରୁ ମକରଧ୍ୱଜ ନାୟକ, ରାୟଗଡ଼ାରୁ ଘାସିରାମ ସମୃଟିକା, କଳାହାଣ୍ଡିରୁ ପ୍ରେମାନନ୍ଦ ମାଝି ଏବଂ ବୌଦ୍ଧରୁ ସୁଶୀଳ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। କିସ୍‍ର ଉପକାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Comment