ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପୁଣି ବର୍ଷିବ ବର୍ଷା। ୫ ତାରିଖଠାରୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ରହୁଛି। ପ୍ରଭାବରେ ୫ ତାରିଖଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ।
୬ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ। ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
୬ ତାରିଖ ଅପରାହ୍ନ କିମ୍ବା ୭ ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଯାହାକି ୩ରୁ ୪ ଦିନ ଧରି ଲାଗି ରହିପାରେ। ଏହାପରେ କିନ୍ତୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରାଯାଇଛି।
ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳ ଉପରେ ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି।
ସୋମବାର ବିଶେଷ ବର୍ଷା ହୋଇ ନ ଥିଲେ ବି ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଥିଲା। ଅପରାହ୍ଣ ୫.୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୨ ସେମି ବର୍ଷା ରେକର୍ଡ଼ କରାଯାଇଛି। ଅନ୍ୟ ସ୍ଥାନରେ କାଁ ଭାଁ ବର୍ଷା ହୋଇଛି। ରାଜଧାନୀରେ ପାଖାପାଖି ୨ ମିଲିମିଟର ବର୍ଷା ହୋଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। କନ୍ଧମାଳର କୋଟଗଡ଼ରେ ସର୍ବାଧିକ ୯ ସେମି ବର୍ଷା ହୋଇଛି। ସେହିପରି ବାଲେଶ୍ୱରର ଜୟପୁର, କେନ୍ଦୁଝରଗଡ଼ର ଦୈତାରୀରେ ୮ ସେମି, ମୟୂରଭଞ୍ଜର କରଞ୍ଜିଆ ଓ ନୂଆପଡ଼ାରେ ୭ ସେମି ଲେଖାଏଁ ବର୍ଷା ହୋଇଛି। ଚାନ୍ଦବାଲି ଓ ତେଲକୋଇରେ ୬ ସେମି ବର୍ଷା ରେକର୍ଡ଼ କରାଯାଇଛି।
ବିଶେଷକରି ଗଜପତି, ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, କୋରାପୁଟରେ ୨୪ ଘଣ୍ଟା ମଧ୍ୟରେ ବର୍ଷାର ସମ୍ଭାବନା ରହିଛି। ୩ ଓ ୪ ତାରିଖରେ କାଁ ଭାଁ ବର୍ଷା ହୋଇପାରେ। ୫ରୁ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।


















