ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଏବେ ଇଟାଲୀ ମୁହାଁ। ପୁଞ୍ଜି ଆକର୍ଷଣ କରିବା ପାଇଁ ବିଶ୍ୱର ବହୁ ଦେଶରେ ରୋଡ଼ ସୋ’ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ମେକ ଇନ ଓଡ଼ିଶା କନକ୍ଲେଭ ପୂର୍ବରୁ ଇଟାଲୀ, ଜର୍ମାନୀ ଏବଂ ସାଉଦି ଆରବରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏ ନେଇ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଇଟାଲୀର ମିଲାନ ସହରରେ ଏକ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି।

ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଇଟାଲୀର ପୁଞ୍ଜି ନିବେଶକାରୀମାନେ କ’ଣ ସବୁ କରିପାରିବେ ସେନେଇ ଆଲୋଚନା ହୋଇଛି। ଇଟାଲୀୟ କନ୍ସଲ ଜେନେରଲଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ଦାସ ମିଲାନ ଯାଇଛନ୍ତି। ନାଲକୋ, ହିଣ୍ଡାଲକୋ ପ୍ରଭୃତି କମ୍ପାନି ମଧ୍ୟ ଏଥିରେ ଭାଗ ନେଇଥିଲେ।

ମନ୍ତ୍ରୀଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ଶିଳ୍ପ ସଚିବ ସଂଜୀବ ଚୋପ୍ରା ଓ ଇଡକୋ ସିଏମଡ଼ି ସଞ୍ଜୟ ସିଂହଙ୍କ ସମେତ ଅନ୍ୟାନ୍ୟ ସଂସ୍ଥାର ୧୧ ଜଣ ପ୍ରତିନିଧି ଯାଇଛନ୍ତି। ଇଟାଲୀ ପରେ ଏହି ପ୍ରତିନିଧି ଦଳ ଜର୍ମାନୀ ଯିବେ।

ନଭେମ୍ବର ୧୧ ରୁ ୧୫ ଚାରି ଦିନ ଧରି ଭୁବନେଶ୍ୱରରେ ମେକ ଇନ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ। ଡିସେମ୍ବର ୨୦୧୬ରେ ଅନୁଷ୍ଠିତ ପ୍ରଥମ କନକ୍ଲେଭରେ ୨.୦୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରତିଶ୍ରୁତି ମିଳିଥିଲା। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏଥି ମଧ୍ୟରୁ ୬୦ ପ୍ରତିଶତ ପ୍ରସ୍ତାବ କାର୍ଯ୍ୟକାରୀ ହେଲାଣି।

Comment