ନୀଳାମ୍ବର ରଥ

ଶ୍ରୀଜଗନ୍ନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶକୁ ନେଇ ଯେଉଁ ବିତର୍କ ଆରମ୍ଭ ହୋ‍ଇଛି, ତା’ର ନିର୍ଣ୍ଣୟ ପ୍ରସଙ୍ଗରେ ସରକାରଙ୍କ ସହ ଜନସାଧାରଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ!

ଶ୍ରୀମନ୍ଦିରର ପ୍ରଶାସନିକ ସଂସ୍କାର ନେଇ ଉଠିଛି ଝଡ଼। ଅଡ଼ୁଆରେ ସରକାର। ଆଶଙ୍କାରେ ସେବାୟତ। ଏବଂ ଭକ୍ତ ଓ ସାଧାରଣ ଜନତାଙ୍କ ମନରେ ନାନା ପ୍ରଶ୍ନ!

ତେବେ ଏ ପ୍ରସଙ୍ଗରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ‘ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ’? କାରଣ ଯେଉଁସବୁ ସମସ୍ୟା ସମ୍ପର୍କରେ ପୁରୀ ଜିଲ୍ଲା ଜଜ୍‍ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଛନ୍ତି, ତାହା କାହାକୁ ଅଛପା ନାହିଁ। ଅନେକ ପ୍ରସଙ୍ଗରେ ଅତୀତରେ ବାରମ୍ବାର ବିତର୍କ ହୋ‍ଇଛି ସତ; କିନ୍ତୁ ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାକୁ ଏକ ‘ବିରୁଡ଼ି ବସା’ ମନେକରି ସରକାର ପରେ ସରକାର ସେଥିରେ ହାତ ନ ମାରିବା ବୁଦ୍ଧିମାନର କାମ ବୋଲି ବିଚାର କରିଛନ୍ତି।

ପ୍ରଶାସନକୁ କୋର୍ଟଙ୍କ ଛାଟ

ପୁରୀ ଜିଲ୍ଲା ଜଜ୍‍ ୨୬ ଜୁନ ୨୦୧୮ରେ ସୁପ୍ରିମକୋର୍ଟକୁ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ସେ ୧୨ଟି ପ୍ରସ୍ତାବ ରଖିଛନ୍ତି। ଏ ପ୍ରସ୍ତାବଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇପାରେ। ଗୋଟିଏ ହେଉଛି ଶ୍ରୀମନ୍ଦିରରେ ସେବା ବ୍ୟବସ୍ଥାକୁ ଶୃଙ୍ଖଳିତ କରି ଯାତ୍ରୀମାନଙ୍କ ଦର୍ଶନକୁ ସୁବିଧାଜନକ କରିବା। ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଯାତ୍ରୀ ଓ ସେବାୟତମାନଙ୍କ ସୁବିଧାଲାଗି ଉନ୍ନତ ମାନର ଟଏଲେଟ୍‍ ବ୍ୟବସ୍ଥା କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

ଦ୍ୱିତୀୟ କଥାଟି ହେଉଛି ସେବାୟତମାନଙ୍କୁ ବ୍ୟବସ୍ଥା ବା ନିୟନ୍ତ୍ରଣ ଭିତରକୁ ଆଣିବା ଏବଂ ବଂଶାନୁକ୍ରମିକ ଭାବେ ସେମାନେ ଯେଉଁ ସେବା ଅଧିକାର ହାସଲ କରିଛନ୍ତି, ତାକୁ ଭାଙ୍ଗି ‘ସେବାୟତ ନିଯୁକ୍ତି’ ବ୍ୟବସ୍ଥାର ପ୍ରଚଳନ କରିବା। ଏହି ଥାକରେ ମଧ୍ୟ କୁହାଯାଇଛି ଯେ ସେବାୟତମାନେ ଅନ୍ନଦାନ ଆଟିକା, ଥାଳି ବା ଅନ୍ୟ ଯେଉଁସବୁ ମାର୍ଗରେ ଦାନ ନାଁରେ ଅର୍ଥ ଆଦାୟ କରୁଛନ୍ତି, ତାହା ତୁରନ୍ତ ବନ୍ଦ କରିବା। କେବଳ ସେତିକି ନୁହେଁ, ବର୍ଷ ବର୍ଷ ଧରି ସେବାୟତମାନେ ଶ୍ରୀମନ୍ଦିର ରୋଷଘର ଏବଂ ଚୁଲିଗୁଡ଼ିକ ଉପରେ ଯେଉଁ ନିୟନ୍ତ୍ରଣ ଜାହିର କରି ଆସୁଛନ୍ତି, ତାକୁ ବନ୍ଦ କରିବା।

ସେହିପରି ତୃତୀୟ ଥାକରେ ରହିଛି ଶ୍ରୀମନ୍ଦିର ସୁରକ୍ଷା ଏବଂ ଯାତ୍ରୀ ଶୃଙ୍ଖଳା। ଏଥିପାଇଁ ମନ୍ଦିର ପରିସର ମଧ୍ୟରେ ଏକ ସ୍ୱୟଂଶାସିତ ବା ଏକକ ସୁରକ୍ଷା ପରିଚାଳନା ବ୍ୟବସ୍ଥା କଥା ଉଠାଇଛନ୍ତି କୋର୍ଟ। ବର୍ତ୍ତମାନ ଶ୍ରୀମନ୍ଦିରର ସୁରକ୍ଷା ବସ୍ତୁତଃ ପୁରୀ ଏସପିଙ୍କ ଅଧୀନରେ ରହିଛି। ଯଦିଓ ଶ୍ରୀମନ୍ଦିରର ଭିତରର ଶୃଙ୍ଖଳା ପାଇଁ ମନ୍ଦିର ପୋଲିସ ନାଁରେ ଏକ ବ୍ୟବସ୍ଥା ରହିଛି, ଆଜିର ଆବଶ୍ୟକତା ଦୃଷ୍ଟିରୁ ଏହି ମନ୍ଦିରବାହିନୀରୁ ବିଶେଷ କୌଣସି ଗୁରୁତ୍ୱ ଥିଲା ପରି ମନେହୁଏ ନାହିଁ।

ଚିନ୍ତାରେ ଶ୍ରୀମନ୍ଦିର ପ୍ରଶାସନ, ସରକାର ଓ ସେବାୟତ

ଗତ ୫୦ ବର୍ଷ ମଧ୍ୟରେ ବହୁବାର ଶ୍ରୀମନ୍ଦିର ପ୍ରସଙ୍ଗ ଉଠିଛି। ତେବେ ଆଜିର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଛାଟ ଧରି ଜଗିଛନ୍ତି। ନିର୍ଦ୍ଦେଶ ପାଳନ ନହେଲେ ସରକାରଙ୍କୁ ଅଦାଲତ ଅବମାନନାର ଡର ମଧ୍ୟ ରହିଛି। ଗୋଟିଏ ପଟେ କୋର୍ଟ ଏବଂ ଅନ୍ୟ ପଟେ ସେବାୟତ ସମ୍ପ୍ରଦାୟ – ଏହି ଦୁଇଟି କଥା ମଝିରେ ଭାରସାମ୍ୟ ରକ୍ଷା କରୁ କରୁ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ରାଜ୍ୟ ସରକାରଙ୍କ ଅନେକ ସମୟ ବହିଯିବ।

ସେବାୟତମାନଙ୍କୁ ଶୃଙ୍ଖଳିତ କରିବା ନେଇ ଯେଉଁସବୁ ପ୍ରସ୍ତାବ କୋର୍ଟ ରଖିଛନ୍ତି, ସେଗୁଡ଼ିକ ସାଧାରଣରେ ବେଶ୍‍ ଗ୍ରହଣୀୟ ହେବା ଭଳି ମନେହେଉଛି। ଜନସାଧାରଣ ଓ ଭକ୍ତ ଚାହାନ୍ତି ଭଗବାନ ଓ ସେମାନଙ୍କ ମଧ୍ୟରେ କେହି ପାଚେରୀ ହୋ‍ଇ ଠିଆ ନହେଉ। ସେହିପରି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ନାଁରେ କୌଣସି ଶୋଷଣ, ଅନ୍ୟାୟ ବା ଅନୀତିକୁ କୌଣସି ଲୋକ ପସନ୍ଦ କରିବ ନାହିଁ। ତା’ ସହିତ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ଅନେକ ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ହଲାପଟା ହେବା ଫଳରେ ଓଡ଼ିଶା ନାଁରେ ମଧ୍ୟ ବାରମ୍ବାର କଳାଦାଗ ଲାଗିବାର ନଜିର ରହିଛି। ତେଣୁ ଏସବୁ କଥାକୁ ବିଚାରକରି ସରକାର ଯେତେଶୀଘ୍ର ସେବାୟତମାନଙ୍କ ସହ ଆଲୋଚନା କରି ରାସ୍ତା ବାହାର କରିପାରିବେ ସେତେ ଭଲ।

ଜଗନ୍ନାଥପ୍ରେମୀ ଆଗକୁ ଆସନ୍ତୁ

ଶ୍ରୀଜଗନ୍ନାଥ ମନ୍ଦିର ରଥଯାତ୍ରା ଏବଂ ଜଗନ୍ନାଥ ସଂସ୍କୃତି ସହ ଲକ୍ଷ ଲକ୍ଷ ଭକ୍ତି ଓ ଭାବନା ଜଡ଼ିତ। ଏହା ଆମର ଏକ ବିରାଟ ଶକ୍ତି ବୋଲି ବିଚାର କରାଯାଇପାରେ। ତେବେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଓ ବ୍ୟକ୍ତି ଏହି ଭକ୍ତି ଓ ଭାବନାକୁ ନିଜ ସପକ୍ଷରେ ବ୍ୟବହାର କରି ସରକାରଙ୍କୁ ଏକପ୍ରକାର ବଶ କରିରଖିପାରିଛନ୍ତି। ସେବାୟତମାନେ ଅସନ୍ତୁଷ୍ଟ ହେଲେ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ହେବ। ଠାକୁରଙ୍କ ନୀତି ଓଲଟପାଲଟ ହେଲେ ଭକ୍ତମାନେ ପ୍ରଭାବିତ ହେବେ। ତେଣୁ କୌଣସି ପ୍ରଶାସନ ବା ସରକାର କାଳେ ନାଗସାପ ବାହାରିବ ଭାବି ଉ‍ଇ ହୁଙ୍କା ସଫା କରିବାକୁ ପ୍ରସ୍ତୁତ ନୁହଁନ୍ତି। ଅନ୍ୟପକ୍ଷରେ ଏହାକୁ ସରକାରଙ୍କ ଦୁର୍ବଳତା ବୋଲି ଜାଣି ସେବାୟତମାନେ ନିଜର ଲକ୍ଷ୍ୟ ସିଦ୍ଧ କରିଚାଲିଛନ୍ତି।

ଆଜିର ଦିନରେ ଯେତେବେଳେ ସରକାର ହାତଟେକି ଦେଉଛନ୍ତି, କୋର୍ଟ ଆଗେଇ ଆସୁଛନ୍ତି ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଦେଶବିଦେଶରେ ଥିବା ବୁଦ୍ଧିଜୀବୀ, ସାଧାରଣ ଜନତା ବିଶେଷକରି ଯୁବବର୍ଗ ବିଭିନ୍ନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଏହାଫଳରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜନମତ ସୃଷ୍ଟି ହୋ‍ଇପାରୁଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ତଥା ରାଜ୍ୟ ସରକାର ଯଦି ମନ୍ଦିର ସଂସ୍କାର ବିଷୟରେ ଏକକ ଭାବେ ନିଷ୍ପତି ନେବାକୁ ସାହସ କରୁନାହାନ୍ତି, ତେବେ ସେମାନେ ଜନମତକୁ ଆହ୍ୱାନ କରିବା ଦରକାର।

ଓଡ଼ିଶାରେ ତଥା ଦେଶବିଦେଶରେ ଥିବା ସଚେତନ ଓଡ଼ିଆ, ବୁଦ୍ଧିଜୀବୀ, ଯୁବବର୍ଗ ଏବଂ ବିଭିନ୍ନ ଭାଷା ଓ ଧର୍ମର ଲୋକେ ମଧ୍ୟ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ମତ ଓ ପରାମର୍ଶ ଦେବା ଦରକାର। କାରଣ ଏହାହେଲେ କେବଳ ଓଡ଼ିଶାର ପୁରୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କ୍ଷେତ୍ରରେ ଯେ ଏକ ସର୍ବକାଳୀନ ସଂସ୍କାର ଆସିବ, ତା’ ନୁହେଁ, ବରଂ ଭାରତବର୍ଷରେ ଥିବା ପ୍ରମୁଖ ଧାର୍ମିକ ଅନୁଷ୍ଠାନ ପାଇଁ ଏହା ଏକ ଦିଗବାରେଣୀ ହୋ‍ଇପାରିବ।

ମନ୍ଦିର ସଂସ୍କାରରେ ଜିଲ୍ଲା ଜଜ୍‌ଙ୍କ ଭୂମିକା

ଶ୍ରୀମନ୍ଦିର ସଂସ୍କାର ନେଇ ପୁରୀ ଜିଲ୍ଲା ଜଜ୍‍ ଯେଉଁସବୁ ପ୍ରସ୍ତାବ ଦେଇଛନ୍ତି, ତାହା କେବଳ ଓଡ଼ିଶାରେ ନୁହେଁ, ପୂରା ଦେଶ ପାଇଁ ଏକ ନୂଆ ଧାରା ସୃଷ୍ଟି କରିଛି। ଏ ପ୍ରସଙ୍ଗରେ ରାୟ ଦେବାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶର କୌଣସି ଦାତବ୍ୟ ବା ଧାର୍ମିକ ଅନୁଷ୍ଠାନରେ କୌଣସି ପ୍ରକାର ଶୋଷଣ, ଅନୀତି, ବେନିୟମ ବା ପ୍ରଶାସନିକ ସମସ୍ୟା ରହିଥିଲେ, ସ୍ଥାନୀୟ ଜିଲ୍ଲା ଜଜ୍‍ଙ୍କ ନିକଟରେ କୌଣସି ବ୍ୟକ୍ତି, ଭକ୍ତ, ଯାତ୍ରୀ ବା ପକ୍ଷ ଆପତ୍ତି କରିପାରିବେ। ଏହି ଅଭିଯୋଗକୁ ଆଧାରକରି ଜିଲ୍ଲା ଜଜ୍‌ ନିଜେ କିମ୍ବା ତାଙ୍କ କ୍ଷମତାଧୀନ କୌଣସି କୋର୍ଟ୍‍ ମାଧ୍ୟମରେ ଘଟଣାର ଅନୁଧ୍ୟାନ କରିପାରିବେ। ଆବଶ୍ୟକସ୍ଥଳେ ଜିଲ୍ଲା ଜଜ୍‍ ହାଇକୋର୍ଟଙ୍କୁ ସେ ବାବଦରେ ରିପୋର୍ଟ ଦେଇ ମାମଲାର ବିଚାର ପ୍ରକ୍ରିୟା ଆଗକୁ ନେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରିବେ। ଜାତି, ଧର୍ମ ଏବଂ ଧାର୍ମିକ ଅନୁଷ୍ଠାନ ନିର୍ବିଶେଷରେ ଏହି ନିୟମ ଲାଗୁହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଧାର୍ମିକ ଅନୁଷ୍ଠାନ ଠିକ୍‌ ଭାବେ ଚାଲିଛି କି ନାହିଁ, ତାହା ଦେଖିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଏଥିପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି। ତେଣୁ କୋର୍ଟଙ୍କ କଥାରୁ ଏହା ସ୍ପଷ୍ଟ ହୋ‍ଇଯାଇଛି ଯେ ଯଦି ପ୍ରତ୍ୟେକ ରାଜ୍ୟରେ ସରକାର ଏ ଦିଗରେ ଉଚିତ ପଦକ୍ଷେପ ନ ନିଅନ୍ତି, ତେବେ ମାମଲା ଦିନେ କୋର୍ଟରେ ପହଞ୍ଚିପାରେ। ଶ୍ରୀମନ୍ଦିର ପ୍ରଶାସନିକ ସଂସ୍କାର ମାମଲା ତା’ର ଏକ ଟାଣୁଆ ଉଦାହରଣ।

ସବୁ ଧର୍ମର ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିର?

ଭାରତବର୍ଷରେ ବିଭିନ୍ନ ଧର୍ମ ଓ ବିଶ୍ୱାସକୁ ନେଇ ରହିଛି ଲକ୍ଷ ଲକ୍ଷ ଉପାସନାସ୍ଥଳୀ। ଅନେକ ଧାର୍ମିକ ସ୍ଥଳରେ ଅନ୍ୟ ବିଚାର ବା ଧର୍ମର ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏହି କଟକଣା ବସ୍ତୁତଃ ଆଇନଗତ ନୁହେଁ। ତେବେ ପ୍ରଚଳିତ ଧାର୍ମିକ ଧାରା, ପରମ୍ପରା, ଲୋକବିଶ୍ୱାସ ବା ଅଭ୍ୟାସ ଉପରେ ଏହା ଆଧାରିତ। ଆଜି ଏହି ଧାର୍ମିକ ବିବିଧତା (ବା କଟକଣା) ସମ୍ପର୍କରେ ଉଠିଛି ମୌଳିକ ପ୍ରଶ୍ନ। ପ୍ରଶ୍ନ ଉଠାଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ।

ଶ୍ରୀମନ୍ଦିରର ପ୍ରଶାସନିକ ସଂସ୍କାର ମାମଲାର ବିଚାର କଲାବେଳେ ଏକ ଐତିହାସିକ ପ୍ରସ୍ତାବ ରଖିଛନ୍ତି ସୁପ୍ରିମକୋର୍ଟ। ଶ୍ରୀଜଗନ୍ନାଥ ମନ୍ଦିରରେ କେବଳ ହିନ୍ଦୁମାନଙ୍କ ପ୍ରବେଶ ନେଇ ପରମ୍ପରା ରହିଛି। ତେବେ ଅନ୍ୟ ଧର୍ମର ଭକ୍ତମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସୁଯୋଗ ଦେବା ବିଷୟରେ ବିଚାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏ ବାବଦରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସହ ପରାମର୍ଶ କରି ନିଷ୍ପତି ନେବାକୁ କୋର୍ଟ ଲେଖିଛନ୍ତି। ଆବଶ୍ୟକ ହେଲେ ଅନ୍ୟ ଧର୍ମର ବ୍ୟକ୍ତିମାନଙ୍କ ପ୍ରବେଶ ବାବଦରେ ଏକ ନିୟମାବଳି ପ୍ରସ୍ତୁତ କରାଯାଇପାରେ। ସେହିପରି ଶ୍ରୀମନ୍ଦିରରେ ଅଣହିନ୍ଦୁମାନଙ୍କ ପ୍ରବେଶ ବେଳେ ସମ୍ପୃକ୍ତ ଭକ୍ତମାନଙ୍କର ଡ୍ରେସକୋଡ ବାବଦରେ ମଧ୍ୟ ଏହି ନିୟମରେ ବ୍ୟବସ୍ଥା କରାଯାଇପାରେ।

ହିନ୍ଦୁ ଧର୍ମ କୌଣସି ଗୋଟିଏ ବ୍ୟକ୍ତି, ଗୋଟିଏ ଅନୁଷ୍ଠାନ, ଗୋଟିଏ ବିଶ୍ୱାସ ବା ଗୋଟିଏ ସମ୍ପ୍ରଦାୟ ଦ୍ୱାରା ସୃଷ୍ଟି ବା ପରିଚାଳିତ ନୁହେଁ। ସନାତନ ଧର୍ମ ହେଉଛି ଏକ ବ୍ୟାପକ ବିଷୟ। ଏହା ବିଭିନ୍ନ ବିଚାରକୁ ଗ୍ରହଣ କରିଥାଏ। ସୁପ୍ରିମକୋର୍ଟ ଏହି କଥା କହିବା ସହ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅଣହିନ୍ଦୁମାନଙ୍କ ପ୍ରବେଶ ସମ୍ପର୍କରେ ଗମ୍ଭୀରତାର ସହ ବିଚାର କରିବାକୁ ସରକାର ଏବଂ ସବୁ ପକ୍ଷକୁ ଏକପ୍ରକାର ଆହ୍ୱାନ ଦେଇଛନ୍ତି।

ଶ୍ରୀଜଗନ୍ନାଥଙ୍କୁ ଓଡ଼ିଆମାନେ ‘ଜଗତର ନାଥ’ କହି ଗର୍ବ ଅନୁଭବ କରନ୍ତି। ଶ୍ରୀଜଗନ୍ନାଥ ମଧ୍ୟ ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରଥମ ଓ ସବୁଠାରୁ ବଡ଼ ପରିଚୟ। ତେଣୁ ଆଜି ସେହି ଓଡ଼ିଆମାନଙ୍କ ପାଇଁ ଏକ ନୂଆ ଆହ୍ୱାନ ହେଉଛି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ ଖୋଲା ହୃଦୟରେ ନିଜର ମତବ୍ୟକ୍ତ କରିବା।

ଓଡ଼ିଶା ସରକାରଙ୍କ ଆଇନ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ସରକାର ଏହା ଉପରେ ତର୍ଜମା କରିବେ। ସେହିପରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟକୁ ଆଧାର କରି ସରକାର ଠିକଣା ପଦକ୍ଷେପ ନେବେ। ରାଜ୍ୟ ସରକାର ସବୁବେଳେ ଶ୍ରୀମନ୍ଦିର ସଂସ୍କାର ବାବଦରେ ଯତ୍ନବାନ ଅଛନ୍ତି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ୨୦୧୯ ନିର୍ବାଚନ ମୁଣ୍ଡ ଉପରେ। ତେଣୁ ଶ୍ରୀମନ୍ଦିରର ସଂସ୍କାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗରେ ବର୍ତ୍ତମାନର ସରକାର କି ପଦକ୍ଷେପ ନେବେ ଏବଂ କେବେ ନେବେ ତାହା ଏକ ବଡ଼ ପ୍ରଶ୍ନ। ତେବେ ସବୁଠାରୁ ବଡ଼ କଥା ହେଉଛି ଯଦି ବାସ୍ତବରେ ନବୀନ ସରକାର ଶ୍ରୀମନ୍ଦିରର ପ୍ରଶାସନିକ ରୂପରେଖ ବଦଳାଇଦେଇ ପାରିବେ, ତେବେ ତାହା ହେବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ଐତିହାସିକ ତଥା ବହୁତ ବଡ଼ ପଦକ୍ଷେପ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

Comment