ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ୧୮ଦିନ ଧରି ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ମରଣ ଗୁମ୍ଫାରୁ ସୁରକ୍ଷିତ ଭାବେ ବାହାରିଛନ୍ତି ୧୨ଫୁଟବଲ ଖେଳାଳିଙ୍କ ସମେତ ସେମାନଙ୍କ ଜଣେ କୋଚ।

ଥାଇଲାଣ୍ଡ ଚିଆଙ୍ଗ ରାଇ ପ୍ରଦେଶରେ ଥିବା ଥାମ ଲୁଆଙ୍ଗ ଗୁମ୍ଫାରେ ଫସିଥିବା ୧୬ ବର୍ଷରୁ କମ୍ ଫୁଟବଲ ଦଳର ଖେଳାଳି ଓ ସେମାନଙ୍କ କୋଚଙ୍କୁ ଉଦ୍ଧାର କରାଯାଇଛି।

ରବିବାରଦିନ ୪ଜଣ ଖେଳାଳିଙ୍କୁ ଉଦ୍ଧାର କରାଯାଇଥିବାବେଳେ ସୋମବାରଦିନ ଆଉ ୪ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମଙ୍ଗଳବାରଦିନ ବାକି ୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ୮ଟି ଦେଶର ପ୍ରାୟ ୧୨୦୦ କର୍ମଚାରୀ। ମୁଖ୍ୟତଃ ଅଷ୍ଟ୍ରେଲିଆ, ବ୍ରିଟେନ ଓ ଏସିଆ ଦେଶର ବଡ଼ବଡ଼ ସ୍ପେଶାଲିଷ୍ଟ ଡାଇଭର୍ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ।

ଥାଇଲାଣ୍ଡର ଫୁଟବଲ୍ ଟିମ୍ ‘ୱାଇଲ୍ଡ ବୋରସ’ ପାଇଁ ଜୁନ୍ ୨୩ ତାରିଖ ଦିନ ଟିମର ଜଣେ ଖେଳାଳିଙ୍କ ଜନ୍ମଦିନ ପାଳନ କରିବାକୁ ଥାମଲୁଆଙ୍ଗ ଗୁମ୍ଫା ବୁଲିବାକୁ ଯାଇଥିଲେ। ୧୬ ବର୍ଷରୁ କମ୍ ଫୁଟବଲ୍ ଟିମର ୧୨ ଜଣ ଖେଳାଳି ଓ ସେମାନଙ୍କ ୨୫ ବର୍ଷୀୟ କୋଚ ଗୁମ୍ଫା ଭିତରକୁ ଯାଇଥିଲେ।

ଗୁମ୍ଫା ଭିତରକୁ ଯିବା ପରେ ପ୍ରବଳ ବର୍ଷା ହୋଇ ବାହାରେ ସୃଷ୍ଟି ହୋଇଥିଲା ବନ୍ୟା। ଗୁମ୍ଫା ଭିତରେ ବନ୍ୟା ଜଳ ପଶି ସମ୍ପୂର୍ଣ୍ଣ ଭାବେ ଗୁମ୍ଫାଦ୍ୱାର ଅବରୋଧ ହୋଇଯାଇଥିଲା। ପିଲାମାନେ କେହି ସେଭଳି ପହଁରା ଶିଖି ନ ଥିବାରୁ ସେମାନେ ଗୁମ୍ଫା ଭିତରେ ଫସିଯାଇଥିଲେ।

ନିଖୋଜ ହେବାର ୪ଦିନ ପରେ ଥାଇଲାଣ୍ଡ ସରକାର ଖୋଜିବା ଆରମ୍ଭ କରିଥିଲେ। ପ୍ରାୟ ୧୦ଦିନ ପରେ ଜଣାପଡ଼ିଥିଲା ଫୁଟବଲ ଖେଳାଳିମାନେ ଗୁମ୍ଫା ଭିତରେ ଫସିଯାଇଛନ୍ତି। ତା’ପରେ ଆରମ୍ଭ ହୋଇଥିଲା ସେମାନଙ୍କୁ ଉଦ୍ଧାର କରିବାର କାର୍ଯ୍ୟ। ‘କେଭ୍ ମେଜ୍ ବଟଲ୍ ନେକ୍’ ନାମରେ ଏକ ଅପରେସନ୍ କାର୍ଯ୍ୟ ଆରମ୍ଭ ହୋଇଥିଲ।

Comment