ଓଡ଼ିଶାଲାଇଭ୍‌ ବ୍ୟୁରୋ 

ସମଲିଙ୍ଗୀ ସମ୍ପର୍କ ଅପରାଧ କି ନୁହେଁ ଏ ବିଷୟରେ ନିଷ୍ପତ୍ତି ନେବେ ମାନ୍ୟବର ସୁପ୍ରିମକୋର୍ଟ। ଏହାପୂର୍ବରୁ ଧାରା ୩୭୭ କ’ଣ ଆସନ୍ତୁ ଜାଣିବା।

ବହୁଚର୍ଚ୍ଚିତ ଧାରା ୩୭୭ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଚାଲିଛି। ଏହି ଧାରାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରାଯାଉଥିବାବେଳେ ଏହାକୁ ବିରୋଧ କରି ସୁପ୍ରିମ୍‌କୋର୍ଟଙ୍କ ନିକଟରେ ହୋଇଥିବା ଏକ ଆବେଦନର ବିଚାର କରାଯାଉଛି। ଏହି ମାମଲାର ଶୁଣାଣି ବୁଧବାର ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି।

ସୁପ୍ରିମକୋର୍ଟର ପାଞ୍ଚଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ ଆରଏଫ ନରିମନ, ଏଏମ ଖାନ ୱାଲକର, ଡି ୱାଇ ଚନ୍ଦ୍ରଚୂଡ, ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ଆବେଦନକାରୀଙ୍କ ପିଟିସନକୁ ତର୍ଜମା କରୁଛନ୍ତି।

କ’ଣ କହୁଛି ଆଇପିସି ଧାରା ୩୭୭?

ଆଇପିସି ଧାରା ୩୭୭ରେ ରହିଥିବା ବ୍ୟବସ୍ଥା ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପ୍ରାଣୀ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏଥିରେ ଜଡ଼ିତ ହୋଇ ଦୋଷୀ ପ୍ରମାଣିତ ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ମିଳିବ ବୋଲି ବ୍ୟବସ୍ଥା ରହିଛି।

କିଏ ଦେଇଥିଲା ଚ୍ୟାଲେଞ୍ଜ୍‌

ଦିଲ୍ଲୀ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନାଜ୍‌ ଫାଉଣ୍ଡେସନ୍‌’ ପକ୍ଷରୁ ୨୦୦୯ ଜୁଲାଇ ୩ରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ଋଜୁ ହୋଇଥିଲା। ସେଥିରେ ଜଣେ ନାଗରିକକୁ ସମ୍ବିଧାନ ପ୍ରଦାନ କରିଥିବା ମୌଳିକ ଅଧିକାର ସମେତ ସ୍ୱାଧୀନତା ଓ ସମାନତା ଆଦି ଅଧିକାରଗୁଡ଼ିକ ଧାରା ୩୭୭ ଦ୍ୱାରା କ୍ଷୁଣ୍ଣ ହେଉଛି ବୋଲି ଦର୍ଶାଯାଇଥିଲା।

ଏହି ଧାରା ବଳରେ ସହମତି ଭିତ୍ତିକ ଯୌନକାର୍ଯ୍ୟକୁ ଅପରାଧ ଭାବେ ବିବେଚନା କରାଯାଉଥିବାରୁ ଏହା ସମ୍ବିଧାନର ଧାରା ୨୧(ଜୀବନ ଓ ବ୍ୟକ୍ତିଗତ ସୁରକ୍ଷା ଅଧିକାର), ଧାରା ୧୪(ଆଇନ ଆଖିରେ ସମସ୍ତେ ସମାନ ଏବଂ ଧାରା ୧୫ (ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ-ଜନ୍ମସ୍ଥାନ ନିର୍ବିଶେଷରେ ପାତରଅନ୍ତର ନକରିବା)ର ଉଲ୍ଲଂଘନ କରୁଛି ବୋଲି ଆବେଦନରେ କୁହାଯାଇଥିଲା।

୨୦୦୯ମସିହା ଜୁଲାଇ ୨ ତାରିଖ, ଦିଲ୍ଲୀ ହାଇକୋର୍ଟଙ୍କ ରାୟ

୨୦୦୯ରେ ହୋଇଥିବା ଏକ ଆବେଦନର ବିଚାର କରି ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଆଇନସମ୍ମତ କରିବା ସପକ୍ଷରେ ରାୟ ଦେଇଥିଲେ।

୨୦୧୩ରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅଯୁକ୍ତିକର କହିଥିଲେ

୨୦୧୩ ଡିସେମ୍ବରରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଖାରଜ କରି ୩୭୭ ଧାରା ଯୁକ୍ତିଯୁକ୍ତ ଏବଂ ସାମ୍ବିଧାନିକ ବୋଲି ଶୁଣାଣି କରିଥିଲେ।

କ’ଣ କହୁଛନ୍ତି ଆବେଦନକାରୀ?

ସମଲିଙ୍ଗୀ ମହିଳା, ସମଲିଙ୍ଗୀ ପୁରୁଷ, ଉଭୟଲିଙ୍ଗୀ ଏବଂ ତୃତୀୟଲିଙ୍ଗ (ଏଲ୍‌ଜିବିଟି) ସମ୍ପ୍ରଦାୟର ନବତେଜ ଜୋହର, ସୁନୀଲ ମେବରା, ଅମନ୍‌ ନାଥ, ଋତୁ ଡାଲମିଆ ଏବଂ ଆୟେଶା କପୁର ଆଦି ପାଞ୍ଚ ଜଣ ଆବେଦନକାରୀ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଜୀବନ କାଟୁଥିବା ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ନିଜ ସ୍ୱାଭାବିକ ପସନ୍ଦ ମୁତାବକ ଯୌନସାଥୀ ଚୟନ ଯୋଗୁଁ ପୁଲିସ ସେମାନଙ୍କୁ ହଇରାଣ କରୁଥିବା ନେଇ ସେମାନେ ଆବେଦନରେ ଦର୍ଶାଇଥିଲେ। ନିଜ ଯୌନସାଥୀ ପସନ୍ଦ କରିବାଟା ବ୍ୟକ୍ତିର ମୌଳିକ ଅଧିକାର ଅନ୍ତର୍ଭୁକ୍ତ ବୋଲି ସେମାନେ ଦାବି କରିଛନ୍ତି।

ଏପରିକି ସହମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କ ସ୍ଥାପନ କରୁଥିବା ପ୍ରାପ୍ତବୟସ୍କମାନଙ୍କୁ ଦଣ୍ଡିତ କରୁଥିବା ଧାରା ୩୭୭କୁ ଅସାମ୍ବିଧାନିକ ବୋଲି ଘୋଷଣା କରିବାକୁ ଆବେଦନକାରୀମାନେ ନିବେଦନ କରିଥିଲେ।

ଜାନୁଆରି ୮, ୨୦୧୮ – ପଲଟିଲେ ସୁପ୍ରିମକୋର୍ଟ

ସ୍ୱଇଚ୍ଛାରେ ପାରସ୍ପରିକ ସମଲିଙ୍ଗୀ ସମ୍ପର୍କ ସ୍ଥାପନ କରୁଥିବା ବ୍ୟକ୍ତିମାନେ ସମାଜରେ ଭୟଭୀତ ଅବସ୍ଥାରେ ରହିବା ଉଚିତ୍‌ ନୁହେଁ। ସୁତରାଂ ସମଲିଙ୍ଗୀ ସମ୍ପର୍କକୁ ଅପରାଧର ମାନ୍ୟତା ଦେଇଥିବା ଭାରତୀୟ ପିଙ୍ଗଳ ଆଇନର ଧାରା ୩୭୭ର ସାମ୍ବିଧାନିକ ବୈଧତାର ପୁନର୍ବିଚାର ହେବା ଜରୁରୀ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଥିଲେ।

୩୭୭ ଧାରାରେ ଏଯାବତ ଦଣ୍ଡିତ

ବିଗତ ୧୫୦ ବର୍ଷରୁ ଅଧିକ ସମୟ ଭିତରେ ମାତ୍ର ୨୦୦ରୁ କମ୍‌ ବ୍ୟକ୍ତି ଏହି ଧାରା ଦ୍ୱାରା ଦଣ୍ଡିତ ହୋଇଛନ୍ତି।

ସମଲିଙ୍ଗୀଙ୍କୁ ସମାନ ଅଧିକାର ଓ ସମ୍ମାନର ସହ ବଞ୍ଚିବାର ଅଧିକାର ଦେବା ପାଇଁ ଏବେ ଦେଶ ସାରା କେତେକ ସଂଗଠନ କାମ କରୁଛନ୍ତି। ଏଥି ସହିତ ବିଶ୍ଵର କେତେକ ଦେଶରେ ସମଲିଙ୍ଗୀମାନଙ୍କୁ ବିବାହର ଅଧିକାର ମିଳିଲାଣି। ଅଷ୍ଟ୍ରେଲିଆ ଭଳି ଦେଶରେ ସମଲିଙ୍ଗୀମାନଙ୍କୁ ବିବାହ କରିବାର ଅଧିକାର ଦେଇଛି।

Comment