ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ବୋହୂ। ସ୍ୱାମୀ, ଶାଶୂ ଏବଂ ଶ୍ୱଶୁର ବୋହୂକୁ ମିଳିମିଶି ପୋଡ଼ିଦେବା ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଚହଳ ପକାଇ ଦେଇଛି।

“ବନ୍ଦ କୋଠରୀରେ ସ୍ୱାମୀ ଏବଂ ଶାଶୂ ମତେ ବାନ୍ଧି ଦେଇଥିଲେ। ମୋ’ ପାଟିକୁ ଚାପି ଦେଇଥିଲେ। ଶ୍ୱଶୁର କିରୋସିନ ଆଣି ମୋ ଦେହରେ ଢାଳିବା ପରେ ଦିଆସିଲି ମାରି ଦେଇଥିଲେ”, ଆଖି ବୁଜିବା ପୂର୍ବରୁ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବୋହୂ।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଯୌତୁକ ପାଇଁ ଶାଶୂ, ସ୍ୱାମୀ ଏବଂ ଶ୍ୱଶୁର କେତେ ନୃଶଂସ ପାଲଟି ପାରନ୍ତି ତାହା ଏହି ଗାଁର କାଳିକା ସାହିରେ ଘଟିଥିବା ଘଟଣାରୁ ସ୍ପଷ୍ଟ ଜଣାପଡ଼ିଛି। ଯୌତୁକ ପାଇଁ ଶାଶୂଘର ଲୋକେ ବୋହୂକୁ ପୋଡ଼ି ମାରିଦେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ବୁଧବାର ରାତିରେ ରବି ବାରିକଙ୍କ ଘରେ ଘଟିଥିଲା ଏହି ନୃଶଂସ କାଣ୍ଡ। ଭଗବାନ ଭଳି ଯେଉଁ ବୋହୂ ସ୍ୱାମୀ, ଶାଶୂ ଏବଂ ଶ୍ୱଶୁରଙ୍କୁ ପୂଜା କରୁଥିଲା ସେମାନେ ପାଲଟି ଯାଇଥିଲେ ରାକ୍ଷସ। ବୋହୂକୁ ଜବରଦସ୍ତ ଟେକି ନେଇଥିଲେ ସ୍ୱାମୀ ଓ ଶାଶୂ। ଗୋଟିଏ ଘରେ ତାଙ୍କୁ ବନ୍ଦ କରିଦେଇଥିଲେ। ଶ୍ୱଶୁର ରବି ବାରିକ କିରୋସିନ ଢାଳି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିଲେ।

ପଡ଼ୋଶୀମାନେ ବୋହୂକୁ ଗୁରୁତର ଭାବେ ପ୍ରଥମେ ବେଗୁନିଆ ଡାକ୍ତରଖାନା ନେଇଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଆଖି ବୁଜିବା ପୂର୍ବରୁ ବୋହୂ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ମୃତ ମହିଳାଙ୍କ ବାପା ଏବଂ ମା’ ବେଗୁନିଆ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Comment