ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଥିବା ଉର୍ଦ୍ଦୁ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟିକା ଭାବେ ଚାକିରି କରୁଥିବା ଆଫ୍ରୋଜ ପରବିନ ନାମରେ ସାଂଘାତିକ ଅଭିଯୋଗ। ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ କରିଛନ୍ତି ତାଙ୍କର ପ୍ରଥମ ସ୍ଵାମୀ ଜମିଲ୍ ଅହେମଦ୍।

ଆଫ୍ରୋଜ ପରବିନ୍ ୨୦୦୭ ମସିହାରେ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟରେ ନିୟମିତ ଛାତ୍ରୀ ଭାବରେ +୩ ପାସ୍ କରିଛନ୍ତି। ସେ ପୁଣି ସେହି ୨୦୦୭ ମସିହାରେ ନିୟମିତ୍ର ଛାତ୍ରୀ ଭାବରେ କଟକ ସହରର ଶେଖ୍ ବଜାରଠାରେ ଥିବା ଉର୍ଦ୍ଦୁ ସେକେଣ୍ଡାରୀ ଟ୍ରେନିଂ ସ୍କୁଲରୁ ସିଟି ପାସ୍ କରିଛନ୍ତି। ଗୋଟିଏ ବର୍ଷରେ କିପରି ଶିକ୍ଷୟତ୍ରୀ ଜଣକ ଦୁଇଟି ଶିକ୍ଷା ଅନୁଷ୍ଠାନରୁ ନିୟମିତ ଛାତ୍ରୀ ହୋଇପାରିଲେ ସେ ସମ୍ପର୍କରେ ଆପତ୍ତି ଉଠାଇଛନ୍ତି ଜମିଲ ଅହେମଦ୍। ପରବିନଙ୍କର ଏହି ସମସ୍ତ ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ସହିତ ଏକ ଅଭିଯୋଗ ଫର୍ଦ୍ଦ ନେଇ ସର୍ବଶିକ୍ଷା ଅଭିଯାନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜମିଲ୍।

୨୦୦୯ ମସିହାରେ ଆଫ୍ରୋଜ ପରବିନଙ୍କ ସହିତ ଜମିଲ୍ ଅହେମଦଙ୍କ ବିବାହ ହୋଇଥିଲା। କୌଣସି କାରଣରୁ, ୨୦୧୯ ମସିହାରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏବେ ପରବିନଙ୍କ ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଜମିଲଙ୍କ ପାଖରେ ରହିଛି। ଜମିଲଙ୍କ ଏହି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗର ଉପ ସଚିବ ଡି ରାଉତରାୟ ଓସେପା ବିଭାଗକୁ ପଠାଇଛନ୍ତି।

ଏହାସହ ଏହାର ତଦନ୍ତ ପାଇଁ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ ସିଂହ ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଓସେପାଙ୍କୁ ତାଙ୍କର ତଦନ୍ତ ରିପୋର୍ଟ ପଠାଇଛନ୍ତି।

ଆଳି ଉର୍ଦ୍ଦୁ ବାଳିଆ ବିଦ୍ୟାଳୟର ଶିକ୍ଷୟତ୍ରୀ ଆଫ୍ରୋଜ ପରବିନ ମଧ୍ୟ ତଦନ୍ତ ସମୟରେ ଏହି ଅଭିଯୋଗକୁ ସ୍ଵୀକାର କରିଛନ୍ତି ବୋଲି, ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ ସିଂହ ସୂଚନା ଦେଇଛନ୍ତି। ରାଜ୍ୟ ଗଣଶିକ୍ଷା ବିଭାଗର ପରବର୍ତ୍ତୀ ନିର୍ଦ୍ଦେଶ ଆସିଲେ ଏହି ଅଭିଯୋଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂହ କହିଛନ୍ତି।

ଆଫ୍ରୋଜ ପରବିନଙ୍କ ଅବୈଧ ସରକାରୀ ଚାକିରୀ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ହେବା ସହିତ ଏହି ଦୁଇ ଶିକ୍ଷାନୁଷ୍ଠାନର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସମ୍ପର୍କରେ ଯାଞ୍ଚ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି ଜମିଲ। ଏହି ଦୁଇ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରରେ କିଏ ଅସଲି ଓ କି କିଏ ନକଲି ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି ଜମିଲ୍।

Comment