ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେତେ ଚେଷ୍ଟା କଲେ ବି କଂଗ୍ରେସରେ ଫାଟ ଲୁଚୁନି। ବିଶେଷକରି କୋରାପୁଟ ଜିଲ୍ଲା କଂଗ୍ରେସ ନେତାଙ୍କ ମଧ୍ୟରେ ଯେଉଁ ତୁତୁ ମେମେ ଚାଲିଥିଲା ତାହା ଦିନକୁ ଦିନ ଜଟିଳ ହେଉଛି। ଜୟପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ଯୁବ ଅଧିକାର ସମାବେଶରେ ଏହି ଜିଲ୍ଲାର ତିନି ଜଣ କଂଗ୍ରେସ ନେତା ଅନୁପସ୍ଥିତ ଥିବାରୁ ଦଳରେ କିଛି ଠିକ୍ ଚାଲି ନଥିବା ସ୍ପଷ୍ଟ ହୋଇଛି।

ଜୟପୁରଠାରେ ଯୁବକଙ୍କ ହକ୍ ପାଇଁ ଆଜି ଆୟୋଜନ କରାଯାଇଥିଲା ଯୁବ ଅଧିକାର ସମାବେଶ। ଏହି ସମାବେଶରେ ଯୋଗ ଦେଇଥିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ସମାବେଶକୁ ଯାଇ ନଥିଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି। ଏହି ତିନି ନେତା ଅନୁପସ୍ଥିତ ଥିବାରୁ କୋରାପୁଟ କଂଗ୍ରେସରେ କେଁ ରହିଥିବା ଆଲୋଚନା ହେଉଛି।

“ଏହି ସମାବେଶ ହେଉଛି ବୋଲି ମୁଁ ଜାଣିନାହିଁ। ମତେ ନିମନ୍ତ୍ରଣ ମିଳି ନଥିଲା। ବିନା ନିମନ୍ତ୍ରଣରେ ମୁଁ କୌଣସି ଜାଗାକୁ ଯାଏ ନାହିଁ। କାରଣ ମୋର ସ୍ୱାଭିମାନ ରହିଛି”, କହିଛନ୍ତି ତାରା ପ୍ରସାଦ ବାହିନୀପତି।

କିଛିଦିନ ତଳେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତାରୁକଙ୍କ ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। କିନ୍ତୁ ଏହି ସଭାରେ ତିନି ନେତା ଉପସ୍ଥିତ ନଥିଲେ। ଏହାକୁ ନେଇ ମଧ୍ୟ ଝଡ଼ ଉଠିଥିଲା। ତାରା ଏବଂ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସଭାପତିଙ୍କ ବୈଠକରେ ମିନାକ୍ଷୀ ବାହିନୀପତି ଯୋଗଦେଇ ନଥିବାରୁ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି ଆକ୍ଷେପ କରିଥିଲେ।

ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ହେଁ ଏହାର ପ୍ରଭାବ ନେତାଙ୍କ ଉପରେ ପଡ଼ୁନି। କୋରାପୁଟ କଂଗ୍ରେସ ନେତାଙ୍କ ଭିତରେ ତାଳମେଳ ରହୁ ନଥିବାରୁ ଦଳ କେମିତି ଆଗକୁ ବଢ଼ିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here