ହୃଦାନନ୍ଦ ରାୟ

ଶ୍ରୀଜଗନ୍ନାଥ ଉତ୍କଳର। ସେ ପୁଣି ସମଗ୍ର ଜଗତର। ଏହି ବିଶ୍ଵ-ଚେତନା ଓଡ଼ିଆଙ୍କୁ ସାରା ପୃଥିବୀରେ ଦେଇଛି ଭିନ୍ନ ପରିଚୟ।

ଜଗନ୍ନାଥଙ୍କୁ ଆମର ବୋଲି କହିଲେ ଅପରାଧ ହୁଏ ନାହିଁ, କିନ୍ତୁ ଜଗନ୍ନାଥ ଆମର ଓ ଆଉ କାହାର ନୁହନ୍ତି କହିଲେ ଅପରାଧ ହୁଏ। ଯେ ଜଗତର ନାଥ, ସେ ସର୍ବଭୂମିର ସର୍ବଲୋକଙ୍କର ନାଥ; ସେ ସାର୍ବଭୌମ। ତାଙ୍କୁ ନିର୍ଦ୍ଦିଷ୍ଟ ଅଞ୍ଚଳର ନାଥ କହି ଅଞ୍ଚଳରେ ବାନ୍ଧି ରଖିବା ଯାହା, ପାରଦକୁ ହାତମୁଠାରେ ବାନ୍ଧିରଖିବା ତାହା। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସର୍ବଭୂମିର ନାଥ, ସେ ନିଶ୍ଚିତ ରୂପେ କୌଣସି ଭୂମିବିଶେଷର ନାଥ। ତେଣୁ ତାଙ୍କୁ ଓଡ଼ିଶାର ବା ‘ଆମର’ ବୋଲି କହିଲେ ଦୋଷ ହୁଏ ନାହିଁ।

ଆଉ ଗୋଟିଏ ଦୃଷ୍ଟିରୁ ଓଡ଼ିଶାଭୂମି ଏକ ବିଶେଷ ଅର୍ଥରେ ତାଙ୍କର। ମହାରାଜ ଗଜପତି କପିଳେନ୍ଦ୍ର ଦେବ ହାତରେ ଜଳ ଧରି ମହାପ୍ରଭୁ ଜଗନ୍ନାଥଙ୍କୁ ଏ ଓଡ଼ିଶା ଖଣ୍ଡକ ଦାନ କରିଦେଇଛନ୍ତି। କହିଛନ୍ତି, “ମହାପ୍ରଭୁ ଏ ଓଡ଼ିଶା ଆମର ଅର୍ଜିତ ପଦାର୍ଥ। କୋଣାର୍କଠାରୁ ସୁବର୍ଣ୍ଣପୁର (ସୋନପୁର) ଯାଏ ଭୂମି ତରବାରୀ ବଳରେ ଆମେ ଅର୍ଜନ କରିଛୁ। ସେ ଭୂମିକୁ ଆମେ ଆପଣଙ୍କୁ ସମର୍ପଣ କରିଦେଲୁ। ଏଣିକି ଯାବତ୍‌ ଚନ୍ଦ୍ରାର୍କ ମେଦିନୀ ଏ ଭୂମି ଆପଣଙ୍କର। ଆପଣ ହିଁ ଏହାର ଅଧିକାରୀ। ଯେ ମତ୍ତଗର୍ବ ହୋଇ ଏହା ଅମାନ୍ୟ କରିବ ଓ ଏ ଭୂମିକୁ ନିଜର ବୋଲି କହିବ ସେ ଜଗନ୍ନାଥଦୋରେହା ହେବ।”

ଗଜପତି କପିଳେନ୍ଦ୍ର ଦେବଙ୍କ ଏହି ଉକ୍ତି ଐତିହାସିକ ବାସ୍ତବତାରେ ଓଡ଼ିଶାକୁ ଜଗନ୍ନାଥଙ୍କର କରିଦେଇଛି। ଏହା ଏକ ଅଣଲେଉଟାଣ ବାସ୍ତବତା। ତେଣୁ ସେହି ଐତିହାସିକ ମୁହୂର୍ତ୍ତରେ ଓଡ଼ିଶାଭୂମି ଜଗନ୍ନାଥଙ୍କର ହୋଇଯାଇଛି। ଆଉ ଏକ ଦୃଷ୍ଟିରୁ ସେ ଓଡ଼ିଶାକୁ ନିଜ ଭୂମି ବୋଲି ସ୍ଵୀକାର କରିଛନ୍ତି। ଶ୍ରୀକ୍ଷେତ୍ରରେ ଯେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ପ୍ରଥମ ଦେଉଳ ପ୍ରତିଷ୍ଠା କରି ମହାପ୍ରଭୁଙ୍କୁ ରତ୍ନସିଂହାସନରେ ବିଜେ କରାଇଲେ, ମହାପ୍ରଭୁ ପ୍ରସନ୍ନ ହୋଇ ବରଦାନ କରିଥିଲେ, “ଯଦି କେହି ମୋର ମନ୍ଦିରକୁ ଭାଙ୍ଗିଦିଏ ବା ପ୍ରତିମାକୁ ଅପସାରଣ କରିନିଏ, ମୁଁ କଦାଚ ଏ ନୀଳାଦ୍ରିଧାମ ଛାଡ଼ି କୁଆଡ଼େ ଯିବି ନାହିଁ।”

ମନ୍ଦିର ଓ ପ୍ରତିମା ଅଛନ୍ତି ବୋଲି ଜଗନ୍ନାଥ ଶ୍ରୀକ୍ଷେତ୍ର ନୀଳାଚଳରେ ଅଛନ୍ତି ଭାବିବା ଭୁଲ ହେବ। ବରଂ ମନ୍ଦିର ଓ ପ୍ରତିମା ନ ଥାଇ ସେ କ୍ଷେତ୍ରରେ ମହାପ୍ରଭୁ ବିରାଜିତ ଅଛନ୍ତି ବୋଲି ଭାବିବା ଠିକ୍ ହେବ।

କେବେ ଶୂନ୍ୟରୂପରେ, ଅବା ଜ୍ୟୋତିରୂପରେ ଅଥବା ପ୍ରତିମା ରୂପରେ ସେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି କିନ୍ତୁ କେଉଁ ରୂପରେ ସେ ନୀଳାଚଳରେ ଅଛନ୍ତି ତାହା ସେ ନ ଜଣାଇଲେ ଜାଣିହେବ ନାହିଁ। ତଥାପି ଆମେ ଜାଣିଛୁ ଯେ ସେ ସ୍ଥିତିରୂପରେ ଅଭିନ୍ନ ହୋଇ ନୀଳାଚଳରେ ବାସ କରୁଛନ୍ତି।

କପିଳେନ୍ଦ୍ର ଦେବଙ୍କ ଦାନସୂତ୍ରରେ ଗଙ୍ଗାଠାରୁ ଗୋଦାବରୀ ଓଡ଼ିଶାଭୂମି ହେଉଛି ତାଙ୍କର। ସେ ହିଁ ଓଡ଼ିଶାର ରାଜା। ସୁନିଆଁ ଦିନ ତାଙ୍କ ରତ୍ନ ସିଂହାସନ ପାଖରେ ଓଡ଼ିଶା ରାଜ୍ୟର ଆୟବ୍ୟୟ, ହାନିଲାଭ ବୈଧାନିକ ଭାବରେ ପାଠ କରାଯାଇଥାଏ। ଏଭଳି ନୀତି କାହିଁ କେଉଁଠି ତ ପ୍ରଚଳିତ ନାହିଁ! ତେଣୁ ଏକ ଐତିହାସିକ ଅର୍ଥରେ ଓଡ଼ିଶାଭୂମି ଜଗନ୍ନାଥ ମହାପ୍ରଭୁଙ୍କର। ଯେ ପର୍ଯ୍ୟନ୍ତ ମହାପ୍ରଭୁ ଓଡ଼ିଶାକୁ ଅନ୍ୟକୁ ଦାନସୂତ୍ରରେ ହେଉ ଅଥବା ଅନ୍ୟ କୌଣସି ସୂତ୍ରରେ ହେଉ, ଅର୍ପଣ କରିଦେଇନାହାନ୍ତି ସେ ପର୍ଯ୍ୟନ୍ତ ସେ ଭୂମି ତାଙ୍କର ହୋଇରହିଛି।

ଓଡ଼ିଆମାନଙ୍କ ଅବଚେତନ ମନରେ ସେଥିପାଇଁ ବସା ବାନ୍ଧିଯାଇଛି ଯେ ସେମାନେ ଜଗନ୍ନାଥଙ୍କର ଓ ଜଗନ୍ନାଥ ସେମାନଙ୍କର। ସେଥିପାଇଁ ଓଡ଼ିଆମାନେ ସ୍ଵାଭିମାନର ସହିତ କହିଥା’ନ୍ତି ଜଗନ୍ନାଥ ଆମର; ସେଥିରେ ସେମାନଙ୍କର କିଛି ଭୁଲ୍ ହୁଏ ନାହିଁ। ଓଡ଼ିଆମାନେ କେବେହେଲେ କହନ୍ତି ନାହିଁ ଯେ ଜଗନ୍ନାଥ ଆମର, କିନ୍ତୁ ଆଉ କାହାର ନୁହନ୍ତି। ସେ ସମସ୍ତଙ୍କର ହୋଇଥିବା ହେତୁ ଆମର ମଧ୍ୟ।

ଓଡ଼ିଶା ଜଗନ୍ନାଥଙ୍କ ଭୂମି; ଏହି ଧାରଣା ଭାରତୀୟ ରାଜନୀତିକୁ ପ୍ରଭାବିତ କରିଛି। ଅନ୍ୟ ପ୍ରଦେଶର ହିନ୍ଦୁ ରାଜାମାନେ ଓଡ଼ିଶା ଆକ୍ରମଣ କରିବାକୁ ଇଚ୍ଛା କରି ନ ଥିବେ ଓ ଯେତେବେଳେ ଅନ୍ୟ ଧର୍ମୀମାନଙ୍କ ଦ୍ଵାରା ଓଡ଼ିଆ ଆକ୍ରାନ୍ତ ହୋଇଥିବ, ଓଡ଼ିଶା ରାଜା ଅନ୍ୟ ହିନ୍ଦୁ ରାଜାମାନଙ୍କଠାରୁ ଗୋପନରେ ହେଉ ଅଥବା ପ୍ରକାଶ୍ୟରେ ହେଉ ପ୍ରତିରୋଧ କରିବା ପାଇଁ ସାହାଯ୍ୟର ପ୍ରତିଶ୍ରୁତି ପାଇଥିବେ। ଏ କଥା ଓଡ଼ିଶା ଆକ୍ରମଣ କରୁଥିବା ବ୍ୟକ୍ତିମାନଙ୍କୁ ଅଜଣା ନ ଥିବ। ତେଣୁ ଆକ୍ରମଣକାରୀମାନେ ଓଡ଼ିଶାର ରାଜାଙ୍କୁ ପରାଜିତ କରିବା ଅଭିଳାଷ ପୋଷଣ କରି ସନ୍ତୁଷ୍ଟ ରହି ନଥିବେ। ଚାକ୍ଷୁସ ଭାବରେ ଜଗନ୍ନାଥଙ୍କୁ ପରାଜିତ କରିବାର ଉଦ୍ଦେଶ୍ୟ ସେମାନେ ପୋଷଣ କରିଥିବେ। ଇତିହାସରେ ଜଗନ୍ନାଥଙ୍କ ଉପରେ ସେମାନଙ୍କ ଘନ ଘନ ଆକ୍ରମଣ ଏହି ଭାବନାର ସୂଚନା ଦିଏ। ରାଜା ପରାଜିତ ହୋଇଗଲେ ଯଥେଷ୍ଟ ନୁହେଁ; ଜଗନ୍ନାଥଙ୍କୁ ପରାଜିତ କରିବାକୁ ହେବ। ତା’ ନହେଲେ ଓଡ଼ିଆମାନଙ୍କ ଆତ୍ମବଳ ଭାଙ୍ଗିବ ନାହିଁ।

ଓଡ଼ିଆମାନଙ୍କର ପୂର୍ଣ୍ଣ ବିଶ୍ଵାସ ଯେ ଜଗନ୍ନାଥ ହେଉଛନ୍ତି ଅପରାଜେୟ ଶକ୍ତି। ସେ କେବେ ହାରିବେ ନାହିଁ। ଯଦି ହାରୁଛନ୍ତି ବୋଲି ଚାକ୍ଷୁସ ଜଣାଯାଉଛି, ତାହା ତାଙ୍କର ଲୀଳା: ଲୀଳାମୟଙ୍କ ଲୀଳା କିଏ ବୁଝିବ?

ଭଗବାନ୍ ଶ୍ରୀରାମଚନ୍ଦ୍ର କ’ଣ ରାବଣଠାରୁ ହାରି ବ୍ୟସ୍ତବିବ୍ରତ ହୋଇନାହାନ୍ତି? ତେବେ ଗୋଟିଏ ଯୁଦ୍ଧରେ ଜଗନ୍ନାଥ ହାରିଗଲେ ବୋଲି ଯାହା ଜଣାଯାଉଛି, ତାହା ତାଙ୍କର ରହସ୍ୟମୟ ଲୀଳା। ଓଡ଼ିଆମାନେ ଗ୍ରାମେ ଗ୍ରାମେ କହି ଚାଲିଲେ, ମହାଭାରତ ଯୁଦ୍ଧ ଓଳିଏ ବାକି ଅଛି। ସେହି ଓଳିକ ଯୁଦ୍ଧ ଲାଗି ସମୟର ପ୍ରତୀକ୍ଷା କରୁଛନ୍ତି ଜଗନ୍ନାଥ। ସେ ଯୁଦ୍ଧ ନିଶ୍ଚୟ ହେବ ଓ ସେହି ଶେଷ ଯୁଦ୍ଧରେ ଜଗନ୍ନାଥ ନିଶ୍ଚୟ ବିଜୟୀ ହେବେ। ଏହି ବାକ୍ୟ ଓଡ଼ିଆମାନଙ୍କ ମନୋବଳ ରକ୍ଷା କରିଆସିଛି।

ସକଳ ପରାଜୟ ଓ ବ୍ୟର୍ଥତା ମଧ୍ୟରେ ଓଡ଼ିଆଙ୍କ ଅତୁଟ ମନୋବଳ ରହିଛି ଯେ ଜଗନ୍ନାଥଙ୍କର କେବେ ପରାଜୟ ହେବ ନାହିଁ। କଳାପାହାଡ଼ ଯେତେବେଳେ ମହାପ୍ରଭୁଙ୍କୁ ବାନ୍ଧିନେଲା ଓ ବନ୍ଦୀକରି ବଙ୍ଗଦେଶକୁ ଘେନିଗଲା, ସମସ୍ତେ ଭାବିଲେ ଓଡ଼ିଆଙ୍କ ମନୋବଳ ଏଥର ଭାଙ୍ଗିଯିବ। କିନ୍ତୁ ଏ କି ବ୍ୟାପାର! ପ୍ରତ୍ୟେକ ଓଡ଼ିଆ ମନେକଲେ ଯେ ତାଙ୍କୁ କୃତାର୍ଥ କରିବା ପାଇଁ ମହାପ୍ରଭୁଙ୍କର ଏ ଅଭିନବ ରଥଯାତ୍ରା। ପୁରୀରୁ ବାଲେଶ୍ଵର ପର୍ଯ୍ୟନ୍ତ ଓଡ଼ିଆଙ୍କ ମନରେ ବିପୁଳ ଉତ୍ସାହ ଦେଖାଦେଲା ଓ ମହାପ୍ରଭୁଙ୍କ ଶଗଡ଼ିକୁ ଘେରି ହଜାର ହଜାର ଜନତା ପ୍ରଭୁଙ୍କୁ ପଣାପାଣି ଯୋଗାଇଲେ। ସଂକୀର୍ତ୍ତନ ରୋଳରେ ପଥ ଉଛୁଳି ପଡ଼ିଲା। ଶତ ଶତ ମୃଦଙ୍ଗନାଦରେ ସମୁଦ୍ର ଉଚ୍ଛୁଳିଲା ପରି ବୋଧ ହେଉଥିବ। କଳାପାହାଡ଼ଙ୍କ ସ୍ଵଳ୍ପ ସଂଖ୍ୟକ ସୈନିକଙ୍କୁ ଘେରି ଅଗଣିତ ଭକ୍ତମଣ୍ଡଳୀଙ୍କ ଉଦଣ୍ଡ କୀର୍ତ୍ତନ! କିଏ କହନ୍ତା ଯେ ଓଡ଼ିଆ ଜାତିର ମନୋବଳ ଭାଙ୍ଗିଯାଇଛି। ବରଂ ଏଥିରେ ଶତ ଗୁଣ ହୋଇ ତାହାର ମନୋବଳ ପ୍ରକଟିତ ହେଉଛି।

ଯାହାକୁ କଳାପାହାଡ଼ ନିଜର ସଦର୍ପ ବିଜୟ ବୋଲି ଅନୁଭବ କରୁଥିଲା, ଦେଖିଲେ, ମହାପ୍ରଭୁ ହିଁ ବନ୍ଧନରେ ପଡ଼ି ବିଜୟଯାତ୍ରା କରୁଛନ୍ତି। ଲୋକେ କୁହାକୁହି ହେଉଛନ୍ତି – ଏ କି ପ୍ରକାର ବନ୍ଧନ! ସେହି ଲୋକମାନଙ୍କଠାରୁ ଉତ୍ତର ଆସୁଛି, ଏ ହେଉଛି ଭାବଗ୍ରାହୀଙ୍କର ଭାବବନ୍ଧନ। କିଏ କହିଲେ, କଳାପାହାଡ଼ ଚମଦଉଡ଼ିରେ ବାନ୍ଧି ଜଗନ୍ନାଥଙ୍କୁ ଘେନି ଯାଉଛି। ତାହାର ଉତ୍ତର ମିଳିଲା, ଚମଦଉଡ଼ିରେ କ’ଣ ମୃଦଙ୍ଗ ବନ୍ଧା ହୋଇନାହିଁ? ମୃଦଙ୍ଗ ତ ସଂକୀର୍ତ୍ତନର ଅଙ୍ଗ। ସେ ତ ମାରା ହେଉ ନାହିଁ, ଦେଉଳରେ ପଶୁଛି। ତେବେ ମହାପ୍ରଭୁଙ୍କର କାହିଁକି କ’ଣ ମାରା ହୋଇଯିବ?

କିନ୍ତୁ ଥରେ ଥରେ କରୁଣ ରସର ଅଗାଧ ସିନ୍ଧୁରେ, ଆଖିର ଲୋତକରେ ପହଁରି ପହଁରି ଜଗନ୍ନାଥଙ୍କ ଅସହାୟ ପହଣ୍ଡି ଯାତ୍ରାକୁ ଓଡ଼ିଆ କୁଳବଧୂମାନେ ଦେଖିଛନ୍ତି ଓ କହିଛନ୍ତି, “କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ, ଆମେ ଦର୍ଶନ କରିବୁ କାହାଙ୍କୁ?” କି ମର୍ମଦାତ୍ମକ ବିକଳ ସେ ବଚନ! ଭକ୍ତ ସାଲବେଗ ତାହାକୁ ଭାଷାଦାନ କରିଛନ୍ତି। ମୂର୍ତ୍ତିମନ୍ତ କାରୁଣ୍ୟ ହୋଇ ସେ ଗୀତ ଓଡ଼ିଆଙ୍କ କଣ୍ଠରେ ଶୋଭା ପାଉଛି।

ଥରେ ନୁହେଁ, ଦୁଇଥର ନୁହେଁ, ଜଗନ୍ନାଥ ବାରମ୍ବାର ରତ୍ନସିଂହାସନରୁ ଅପସାରିତ ହୋଇଛନ୍ତି, ସ୍ଥାନାନ୍ତରକୁ ଯାତ୍ରା କରିଛନ୍ତି। ତାଙ୍କୁ ପୁଣି ପାତାଳୀ ହେବାକୁ ହୋଇଛି। ଯବନ ରକ୍ତବାହୁ ଆକ୍ରମଣ ବେଳେ ପୁରୀ ସହରକୁ ସମୁଦ୍ର ମାଡ଼ି ଆସିଲା। ରାଜଶକ୍ତି ପରାଜିତ ହୋଇଗଲା। ଲୋକମାନେ ଅତ୍ୟାଚାର ଜର୍ଜ୍ଜରିତ ହୋଇଗଲେ। କିନ୍ତୁ ଜଗନ୍ନାଥଙ୍କୁ ନିରାପଦରେ ରଖିବାକୁ ଯୋଜନା ପ୍ରସ୍ତୁତ କରାଗଲା। ସେବକମାନେ ଗୋପନରେ ଜଗନ୍ନାଥଙ୍କୁ ତାଙ୍କ ଭୂମି ସୁବର୍ଣ୍ଣପୁର (ସୋନପୁର)କୁ ନେଇଗଲେ। ପଇଁଚାଳିଶ ବର୍ଷକାଳ ଚତୁର୍ଦ୍ଧାମୂର୍ତ୍ତିଙ୍କର ମୁକ୍ତ ମଣ୍ଡପରେ ପୂଜା ଆରାଧନା କରାଗଲା। ମହାପ୍ରଭୁଙ୍କ ସଙ୍ଗରେ ଯେଉଁ ସେବକମାନେ ଯାଇଥିଲେ, ସେମାନେ ଆଉ ଫେରିପାରିଲେ ନାହିଁ। ସେହିଠାରେ ବାସିନ୍ଦା ହୋଇ ରହିଗଲେ।

ତା’ପରେ ଯବନ ଆକ୍ରମଣର ସମ୍ଭାବନା ବଢ଼ିବାରୁ ମହାପ୍ରଭୁଙ୍କୁ ପାତାଳି କରିବାର ବ୍ୟବସ୍ଥା କରାଗଲା। ପର୍ବତ ଖୋଲରେ ପାତାଳି କରାଗଲା। ପ୍ରାୟ ଦେଢ଼ ବର୍ଷ ମାଟିତଳେ ରହିଗଲେ ଚତୁର୍ଦ୍ଧାମୂର୍ତ୍ତି, ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ। ପରେ ପୁଣି ମହାପ୍ରଭୁମାନଙ୍କୁ ଉଦ୍ଧାର କରି ନୀଳାଚଳକୁ ଅଣାଗଲା ଓ ଶ୍ରୀମନ୍ଦିର ରତ୍ନସିଂହାସନରେ ସ୍ଥାପନ କରାଗଲା। ମହାପ୍ରସାଦ ପୁଣି ପ୍ରଚଳନ ହେଲା। ଏମିତି ପ୍ରାୟ ଏକାଧିକବାର ମହାପ୍ରଭୁ ପାତାଳି ହୋଇଛନ୍ତି। ଏହାର କାରଣ ହେଉଛି ଜଗନ୍ନାଥଙ୍କ ପରାଜୟ ବିନା ଓଡ଼ିଆଙ୍କ ଅନ୍ତରାତ୍ମାର ପରାଜୟ ହୋଇପାରିବ ନାହିଁ। ଆକ୍ରମଣକାରୀଙ୍କ ଯାବତୀୟ ପ୍ରଚେଷ୍ଟା ସତ୍ତ୍ଵେ ଜଗନ୍ନାଥ ଏବେ ବି ଅପରାଜେୟ ହୋଇ ଅଛନ୍ତି। ଓଡ଼ିଆଙ୍କ ମନୋବଳ ଓ ସ୍ଵାଭିମାନ ଅତୁଟ ଅଛି।

(ସୌଜନ୍ୟ – ମହାନଦୀ)

Comment