ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୧୫ ଦିନର ଅଣସର ଘରେ ରହିବା ପରେ ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ନବଯୌବନ ରୂପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ସକାଳ ୬ଟାରେ ଚକା ଅପସର କରାଯାଇଛି। ୮ଟାରୁ ଶ୍ରୀଜୀଉଙ୍କ ପରିମାଣିକ ଦର୍ଶନ ଆରମ୍ଭ ହୋଇଛି।  ଶ୍ରଦ୍ଧାଳୁ ଦକ୍ଷିଣ ଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି।

ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ଚାଲିଥିଲା ସର୍ବସାଧାରଣ ଦର୍ଶନ। ଶାନ୍ତିଶୃଙ୍ଖଳା ପାଇଁ ମନ୍ଦିର ଏବଂ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି।

ସେପଟେ ଘୋଷଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ। ଏହାପରେ ତିନି ରଥକୁ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ।

ଆଜି ଅମାବାସ୍ୟା ତିଥିରେ ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ ଅନୁଷ୍ଠିତ ହେଉଛି। ପ୍ରଭୁଙ୍କ ଅଣସର ସମୟରେ ପୂଜା ପାଉଥିବା ପଟ୍ଟିଦିଅଁ ତଥା ଦଶାବତାର ଠାକୁର ବାହୁଡା ବିଜେ କରଛନ୍ତି। ଅଣସର ତାଟି ଫିଟାଯାଇଛି। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଭିତରକାଠ ପାଖରେ ପରିମାଣିକ ଦର୍ଶନ ଅନୁଷ୍ଠିତ ହୋଇଥିଲା।

ଏହାପରେ ଦିନ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନର କାର୍ଯ୍ୟକ୍ରମ ରହିଥିଲା। ଭିତରକାଠ ପାଖରୁ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି। ଏହାପରେ ଶ୍ରୀଜୀଉଙ୍କୁ ଚନ୍ଦନଲାଗି କରାଯାଇ ନେତ୍ରୋତ୍ସବ ବନ୍ଦାପନା, ରୋଷହୋମ ଏବଂ ଯାତ୍ରାଙ୍ଗୀ ମହାସ୍ନାନ କରାଯାଇଛି। ଦାରୁବ୍ରହ୍ମଙ୍କୁ ଗୋପାଳବଲ୍ଲଭ, ସକାଳଧୂପରେ ଖେଚୁଡିଭୋଗ ଓ ଭୋଗମଣ୍ଡପ କରାଯାଇଛି।

ଅପରାହ୍ଣ ୪ଟାରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବେ। ପୂଜାପଣ୍ଡା ସେବକ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ସହ ଶୋଭାଯାତ୍ରାରେ ରଥଖଳାକୁ ଯିବେ। ଶ୍ରୀନଅର ସମ୍ମୁଖ ରଥଖଳାରୁ ତିନିରଥ ସିଂହଦ୍ଵାରକୁ ଅଣାଯିବ।

ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ପହୁଡଆଳତି ପରେ ଦଇତାପତିମାନେ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ଏବଂ ସେନାପଟା ଲାଗି କରିବେ। ରଥଯାତ୍ରା ପହଣ୍ଡି ପାଇଁ ମହାପ୍ରଭୁଙ୍କୁ ପ୍ରସ୍ତୁତ କରାଯିବ। ଶ୍ରୀଜୀଉଙ୍କ ଦୁର୍ଲଭ ନବଯୌବନ ଦର୍ଶନ ପାଇଁ ହଜାର ହଜାର ଭକ୍ତ ପୁରୀରେ ସମାଗମ ହୋଇଛନ୍ତି।

Comment