ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇତିହାସ ରଚିଛନ୍ତି ଭାରତୀୟ ଧାବିକା ହିମା ଦାସ। ଫିନ୍‌ଲାଣ୍ଡ୍‌ର ଟାମ୍ପରେଠାରେ ଆୟୋଜିତ ଆଇଏଏଏଫ୍‌ ବିଶ୍ୱ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାର ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ଏହି ସଫଳତାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।

ପ୍ରଥମ ଭାରତୀୟ ମହିଳା ଆଥ୍‍ଲେଟ୍‍ ଭାବେ ବିଶ୍ୱ ୨୦ ବର୍ଷରୁ କମ୍‍ ଦୌଡ଼କୁଦ ଚାମ୍ପିଅନ୍‍ସିପ୍‍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ହିମା ଦାସ। ଆସାମର ଏହି ୧୮ ବର୍ଷୀୟା ଝିଅ ଫିନ୍‍ଲାଣ୍ଡର ଟାମ୍ପିଅରରେ ଚାଲିଥିବା ଏହି ଚାମ୍ପିଅନ୍‍ସିପ୍‍ରେ ହିମା ଗୁରୁବାର ମହିଳା ୪୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣପଦକ ଜିତିଛନ୍ତି।

ବୁଧବାର ହିଟ୍‍ସରେ ୫୨.୨୫ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହି ଫାଇନାଲରେ ପହଞ୍ଚିଥିବା ହିମା ଦାସ ଫାଇନାଲରେ ୫୧.୪୬ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ। ୫୨.୦୭ ସେକେଣ୍ଡ ସହ ରୋମାନିଆର ଆଣ୍ଡ୍ରିଆ ମିକ୍ଲୋସ୍‍ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଥିବାବେଳେ ଆମେରିକାର ଟେଲର ମାନ୍‍ସନ ୫୨.୨୮ ସେକେଣ୍ଡ ସମୟ ନେଇ ୩ୟ ସ୍ଥାନରେ ରହି ବ୍ରୋଞ୍ଜ୍‍ପଦକ ଜିତିଛନ୍ତି।

ହିମାଙ୍କ ଏହି ସଫଳତା ଭାରତୀୟ ଆଥ୍‍ଲେଟିକ୍‍ସ ଇତିହାସରେ ସ୍ୱର୍ଣ୍ଣିମ ଫର୍ଦ୍ଦ ହୋଇରହିବ। ଗତ ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହିମା ଦାସ ମହିଳା ୪୦୦ ମିଟର ଦୌଡ଼ରେ ୫୧.୩୨ ସେକେଣ୍ଡ ସମୟ ନେଇ ନୂତନ ଭାରତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ହେଁ ତାଙ୍କୁ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା।

ନିକଟରେ ଗୁଆହାଟୀରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ହିମା ଦାସ ୫୧.୧୩ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣପଦକ ଜିତିଥିଲେ।

ହେଲେ ହିମାଙ୍କ ପୂର୍ବରୁ ଦୌଡ଼କୁଦରେ କୌଣସି ଭାରତୀୟ ପଦକ ଜିତିବାର ସୌଭାଗ୍ୟ ଲାଭ କରି ନଥିଲେ। କେବଳ ୨୦୦୨ରେ ସୀମା ପୁନିଆ ଏବଂ ୨୦୧୪ରେ ନଭଜ୍ୟୋତ ସିଂହ ଢିଲୋଁ ଡିସ୍‌କସ୍‌ରେ କାଂସ୍ୟ ପଦକ ଜିତିଥିଲେ।

ହିମାଙ୍କୁ ଏହି ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥ କୋଭିନ୍ଦ ଅଭିନନ୍ଦନ ଜଣାଇଛନ୍ତି।

Comment