ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜୟ ଜଗନ୍ନାଥହେଉଛି ସବୁଠାରୁ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର, ଯାହା ଜଗନ୍ନାଥ, ‘ବଳଭଦ୍ର ଲକ୍ଷ୍ମୀ’ଙ୍କ ଉପରେ ଆଧାରିତ ଏଥିରେ ଏହି ତିନି ପ୍ରମୁଖ ଭୂମିକା ନିଭାଇଥିବା କଳାକାରଙ୍କ ଅନୁଭୂତିର ସ୍ମୃତିକୁ ଆସନ୍ତୁ ତାଜା କରିବା

ଶ୍ରୀତମ ଦାସ

ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିବା ନିର୍ଦ୍ଦେଶକ ହେଲେ ସବ୍ୟସାଚୀ ମହାପାତ୍ର। ସେ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ। ଏହି ଫିଲ୍ମରେ ମହାପ୍ରଭୁ ଜଗନ୍ନାଥଙ୍କ ଭୂମିକା ନିଭାଉଥିଲେ ଶ୍ରୀତମ ଦାସ।

“ସବ୍ୟ ଦା’ ଯେତେବେଳେ ମୋତେ ଜଗନ୍ନାଥଙ୍କ ଭୂମିକା ନିଭାଇବା ଲାଗି ପ୍ରସ୍ତାବ ଦିଅନ୍ତି, ସେତେବେଳେ ତାହା ମୋ’ ପାଇଁ ଅପୂର୍ବ ଆନନ୍ଦକର ମୁହୂର୍ତ୍ତ ଥିଲା। ଆଗରୁ ମୁଁ ତାଙ୍କ ସହିତ ‘ବାହୁଡିବେ ମୋ’ ଜଗାବଳିଆ’ ସିନେମାରେ କାମ କରିଥିଲି। ‘ଜୟଜଗନ୍ନାଥ’ ସିନେମାର ସୁଟିଂ ସେଇଠି ହେଉଥିଲା, ଯେଉଁଠି ନିର୍ମାତା-ନିର୍ଦ୍ଦେଶକ ରାମାନନ୍ଦ ସାଗର ତାଙ୍କର ମେଗା ଧାରାବାହିକ ‘ରାମାୟଣ’ର ସୁଟିଂ କରୁଥିଲେ”, ନିଜର ଅନୁଭୂତିକୁ ତାଜା କରି କହନ୍ତି ଶ୍ରୀତମ।

‘ଜୟ ଜଗନ୍ନାଥ’ରେ ‘ଜଗନ୍ନାଥ’ଙ୍କ ଭୂମିକା ନିଭାଇବା ଲାଗି ମୋତେ ତାଙ୍କ ସମ୍ପର୍କରେ ଅଧିକ ଅଧ୍ୟୟନ କରିବାକୁ ପଡ଼ିଥିଲା। ସୁଟିଂ ସେଟ୍‌ରେ ମେକଅପ୍‌ ଦେବା ପରେ ମୁଁ ଠାକୁରଙ୍କୁ ନିଜ ଭିତରେ ପାଇଥିଲି। ଏଣୁ ସେ ସମୟର ଅନୁଭୂତି ଅବର୍ଣ୍ଣନନୀୟ। ଏହି ଭୂମିକାଟି ମୋ’ ଜୀବନର ସବୁଠୁଁ ଶ୍ରେଷ୍ଠ ବୋଲି ମୁଁ ବିବେଚନା କରେ। ଆଉ ଏକ ବଡ଼ କଥା ହେଲା ଯେ ‘ଜୟଜଗନ୍ନାଥ’ର ପ୍ରିମିଅର୍‌କୁ ବଲିଉଡର ସୁପରଷ୍ଟାର ଶାହରୁଖ୍ ଖାନ୍‌ ବି ଆସିଥିଲେ। ଏସବୁ କଥା ମୁଁ ଭୁଲିପାରିବି ନାହିଁ।

ପିଣ୍ଟୁ ନନ୍ଦ

‘ଜୟଜଗନ୍ନାଥ’ ଚଳଚ୍ଚିତ୍ରରେ ପିଣ୍ଟୁ ନନ୍ଦ ବଳଭଦ୍ରଙ୍କ ଭୂମିକା ନିଭାଇଥିଲେ। ଏହି ସିନେମାର ଅନୁଭୂତିକୁ ସ୍ମରଣକରି କହନ୍ତି ଯେ ଏହି ଚରିତ୍ର ନିଭାଇବା ତାଙ୍କ ପାଇଁ ସୌଭାଗ୍ୟର କଥା। ଏଥିପାଇଁ ସେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିକଟରେ କୃତଜ୍ଞ। ପରଦାରେ ‘ବଳଭଦ୍ର’ ଚରିତ୍ର ନିଭାଇବେ ବୋଲି ସେ କେବେବି ଆଶା କରିନଥିଲେ। ଏହି ସିନେମାର ସୁଟିଂ ବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।’

ଜ୍ୟୋତି ମିଶ୍ର

‘ଜୟ ଜଗନ୍ନାଥ’ ହେଉଛି ଏକମାତ୍ର ସିନେମା, ଯାହା ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମିତ ହୋଇଥିଲା। ପରେ ଏହାକୁ ୧୫ଟି ଭାଷାରେ ଡବ୍‌ କରାଯାଇ ମଧ୍ୟ ରିଲିଜ୍‌ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ‘ଲକ୍ଷ୍ମୀ’ଙ୍କ ଭୂମିକାରେ ଅଭିନୟ କରିଥିଲେ ଜଣାଶୁଣା ନାୟିକା ଜ୍ୟୋତି ମିଶ୍ର।

ଏ ସମ୍ପର୍କରେ ଜ୍ୟୋତି ନିଜର ଅଭିଜ୍ଞତାକୁ ବଖାଣି କହିଥିଲେ ଯେ ‘ଜୟ ଜଗନ୍ନାଥ’ ହେଉଛି ତାଙ୍କ କ୍ୟାରିଅରର ସବୁଠାରୁ ଭଲ ସିନେମା। ‘ଏହି ସିନେମାରେ ସେ ମା’ ମହାଲକ୍ଷ୍ମୀଙ୍କ ଭୂମିକା ନିଭାଇବା ତାଙ୍କ ପାଇଁ ଖୁବ୍‌ କଷ୍ଟକର ଥିଲା। ପ୍ରଥମେ ତ ଜ୍ୟୋତି ଭାବିଥିଲେ ବୋଧହୁଏ ଏହି ଚରିତ୍ରଟିକୁ ସେ ଜୀବନ୍ତ କରିପାରିବେ ନାହିଁ। କିନ୍ତୁ ପରେ ନିର୍ଦ୍ଦେଶକ ସବ୍ୟସାଚୀଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଏବଂ ନିଜର ଦୃଢ଼ ନିଷ୍ପତ୍ତି ଯୋଗୁଁ ମହାଲକ୍ଷ୍ମୀଙ୍କ ଭୂମିକାକୁ ନିଭାଇବାରେ ସଫଳ ହୋଇଥିଲେ।

ଜ୍ୟୋତି ମିଶ୍ର କହିଥିଲେ ଯେ ‘ଲକ୍ଷ୍ମୀ’ଙ୍କ ଭୂମିକା ନିଭାଇବା ଲାଗି ସେ ପ୍ରଥମ ଦିନରୁ ହିଁ ସେହି ଚରିତ୍ର ଭିତରେ ସମ୍ପୂର୍ଣ୍ଣ ଭାବେ ପଶିଯାଇଥିଲେ। ଏହା ଥିଲା ତାଙ୍କ ପାଇଁ ସବୁଠାରୁ ବଡ଼ ଅଭିଜ୍ଞତା। କାରଣ ତା’ ଆଗରୁ ତାଙ୍କୁ କେବେ ବି ପୌରାଣିକ ଚରିତ୍ର ନିଭାଇବାର ସୁଯୋଗ ମିଳିନଥିଲା।

ଏହି ଫିଲ୍ମ ରିଲିଜ୍‌ ହେବା ପରେ ସେ ଯେଉଁ ଗାଁକୁ ଯାଉଥିଲେ ସେଠାରେ ମହିଳାମାନେ ତାଙ୍କୁ ‘ଜ୍ୟୋତି ମିଶ୍ର’ ନୁହେଁ, ବରଂ ‘ମହାଲକ୍ଷ୍ମୀ’ ଭାବେ ବିବେଚନା କରୁଥିଲେ। ଏହା ତାଙ୍କର ଏକ ସୁଖମୟ ଅନୁଭୂତି ବୋଲି ମନେ କରନ୍ତି ଜ୍ୟୋତି ମିଶ୍ର।

Comment