ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୁଷିଆ ଫୁଟବଲ୍‌ ବିଶ୍ୱଯୁଦ୍ଧର ଅନ୍ତିମ ମୁକାବିଲାରେ ଦୁଇ ୟୁରୋପୀୟ ଶକ୍ତି ଫ୍ରାନ୍ସ ଏବଂ କ୍ରୋଏସିଆ ମୁହାଁମୁହିଁ ହେବେ।

ରୁଷରେ ପ୍ରାୟ ଏକ ମାସ ଧରି ଚାଲିଥିବା ଫୁଟବଲ ମହାସମରର ଆଜି ଅନ୍ତିମ ଦିନ। ଲୁଝ୍‍ନିକି ଷ୍ଟାଡିୟମରେ ୨୧ତମ ଫିଫା ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଫ୍ରାନ୍‍ସ ଓ କ୍ରୋଏସିଆ ମଧ୍ୟରେ ଖେଳାଯିବ।

ବିଶ୍ୱକପ ଇତିହାସରେ ଫ୍ରାନ୍‍ସ ତୃତୀୟ ଥର ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ କ୍ରୋଏସିଆ ପ୍ରଥମ ଥର ଏହି ସୌଭାଗ୍ୟ ଅର୍ଜନ କରିଛି। ଫ୍ରାନ୍ସ ଦ୍ୱିତୀୟ ଥର ବିଶ୍ୱବିଜେତା ହେବା ଲକ୍ଷ୍ୟରେ ରହିବ। ଅନ୍ୟ ପକ୍ଷରେ କ୍ରୋଏସିଆ ପ୍ରଥମ ଫାଇନାଲ୍‌ ପଦାର୍ପଣରେ ବିଶ୍ୱକପ୍‌ ଜିତିନେବାକୁ ଚେଷ୍ଟା କରିବ।

ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶର ପ୍ରଦର୍ଶନ

ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭରେ ଏହି ଦୁଇଟି ଦଳ ମଧ୍ୟରୁ କେହି ଫେଭରିଟ୍‍ ମାନ୍ୟତା ପାଇନଥିଲେ। ଫାଇନାଲକୁ ଉନ୍ନୀତ ହେବା ପୂର୍ବରୁ ଫ୍ରାନ୍‍ସ ପ୍ରିକ୍ୱାର୍ଟରରେ ଆର୍ଜେଣ୍ଟିନାକୁ, କ୍ୱାର୍ଟର ଫାଇନାଲରେ ଉରୁଗୁଏ ଓ ସେମିଫାଇନାଲରେ ବେଲଜିୟମକୁ ପରାସ୍ତ କରିଛି।

ସେହିପରି କ୍ରୋଏସିଆ ପ୍ରିକ୍ୱାର୍ଟରରେ ଡେନମାର୍କକୁ, କ୍ୱାର୍ଟରରେ ଆୟୋଜକ ରୁଷିଆକୁ ଓ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଫ୍ରାନ୍ସ ମଙ୍ଗଳବାରର ସେମିଫାଇନାଲରେ ବେଲଜିୟମକୁ ନିର୍ଦ୍ଧାରିତ ୯୦ ମିନିଟ୍‌ ଖେଳରେ ହରାଇ ଫାଇନାଲ୍‌ ଯାଇଥିଲା। କ୍ରୋଏସିଆକୁ କିନ୍ତୁ ଅତିରିକ୍ତ ସମୟ ପର୍ଯ୍ୟନ୍ତ ଲଢ଼ିବାକୁ ପଡ଼ିଥିଲା। ରବିବାର ଫାଇନାଲରେ ଅଭିଜ୍ଞତା ଓ ଦକ୍ଷତା ଦୃଷ୍ଟିରୁ ଫ୍ରାନ୍ସ ପଲ୍ଲା ଟିକିଏ ଭାରି ରହିବ।

ଉଭୟ ଦଳରେ ପ୍ରତିଭାସମ୍ପନ୍ନ ଖେଳାଳି

ଫ୍ରାନ୍‍ସ ଦଳରେ ଆଣ୍ଟୋଇନ ଗ୍ରିଜ୍‍ମ୍ୟାନ, ପଲ୍‍ ପଗ୍‍ବା, ଏମ୍‍ବାପେ ଓ ପାଭାର୍ଡଙ୍କ ଭଳି ଦକ୍ଷ ଖେଳାଳି‌‌ ଅଛନ୍ତି। ଅପରପକ୍ଷରେ କ୍ରୋଏସିଆ ଦଳରେ ଲୁକା ମୋଡ୍ରିକ୍‍, ମାରିଓ ମାଣ୍ଡ୍‍ଜୁସିଚ୍‍, ପେରିସିକ୍‍ ଓ ରାକିଟିକ୍‍ଙ୍କ ଭଳି ଓସ୍ତାଦ ଖେଳାଳି ଅଛନ୍ତି।
ଦୁଇ ଦଳର ଫରୱାର୍ଡ ବାହିନୀ ଶକ୍ତିଶାଳୀ ହୋଇଥିବାବେଳେ ଗୋଲରକ୍ଷକମାନେ ମଧ୍ୟ ଅନୁରୂପ ଭାବେ ଦକ୍ଷ।

ଦୁଇ ଦେଶର ଇତିହାସ

ପୂର୍ବରୁ ଫ୍ରାନ୍‍ସ ଓ କ୍ରୋଏସିଆ ବିଶ୍ୱକପରେ ଥରେ ମାତ୍ର ପରସ୍ପରକୁ ଭେଟିଛନ୍ତି। ୧୯୯୮ ବିଶ୍ୱକପ ସେମିଫାଇନାଲର ଏହି ମୁକାବିଲାରେ ଫ୍ରାନ୍‍ସ ୨-୧ ଗୋଲରେ ବିଜୟୀ ହୋଇଥିଲା।

ଭାରତୀୟ ସମୟ ସନ୍ଧ୍ୟା ୮.୩୦ରେ ଏହି ମୁକାବିଲା ଖେଳାଯିବ।

ଆଜିର ମୁକାବିଲାରେ ଉଭୟ ସମ୍ଭାବ୍ୟ ଦଳ

ଫ୍ରାନ୍ସ: ହୁଗୋ ଲୋରିସ୍‌, ବେଞ୍ଜାମିନ ପଭାର୍ଡ, ରାଫେଲ ଭରାନେ, ସାମୁଏଲ ଉମତିତି, ଲୁକାସ ହର୍ନାଣ୍ଡେଜ୍‌, ପଲ୍‌ ପଗବା, ଏନ୍‌ଗୋଲୋ କାଣ୍ଟେ, କିଲିଆନ୍‌ ଏମବାପେ, ଆଣ୍ଟୋନି ଗ୍ରିଜମ୍ୟାନ୍‌, ବ୍ଲାଇସ୍‌ ମତଉଦି, ଅଲିଭର ଜିରାଡ।

କ୍ରୋଏସିଆ: ଡାନିଜେଲ୍‌ ସୁବାସିକ, ସିମେ ଭର୍ସାଲଜିକୋ, ଦିଜାନ ଲଭରେନ୍‌, ଦୋମାଗୋଜ ଭିଦା, ଇଭାନ ଷ୍ଟ୍ରିନିକ, ଇଭାନ ରାକିଟିକ୍‌, ମାର୍ସେଲୋ ବ୍ରାଜୋଭିକ, ଆଣ୍ଟେ ରେବିକ, ଲୁକା ମୋଡ୍ରିକ, ଇଭାନ ପେରିସିକ, ମାରିଓ ମଣ୍ଡଜୁକିକ୍‌।

Comment