ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଇସ୍କନ ରଥଯାତ୍ରା

କେବଳ ପୁରୀରେ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳିତ ହୋଇଛି। ରାଜଧାନୀ ଭୁବନେଶ୍ୱର, ବାରିପଦା, କୋରାପୁଟର ସାବରଶ୍ରୀକ୍ଷେତ୍ର ଏବଂ କଟକ ଆଦି ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି।

ଜଗନ୍ନାଥମୟ ପାଲଟିଲା ଭୁବନେଶ୍ୱ

ଭୁବନେଶ୍ୱରର ଇସ୍କନ୍ ମନ୍ଦିର, କିଟ୍ ଜଗନ୍ନାଥ ମନ୍ଦିର, ପଟିଆରେ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ରଥଯାତ୍ରା। ବର୍ଷା ସତ୍ତ୍ବେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥ ଟାଣିଥିଲେ। ଘଣ୍ଟଘଣ୍ଟା, ବାଜାର ତାଳେତାଳେ ଭକ୍ତମାନେ ନାଚିନାଚି ରଥ ଟାଣିଥିଲେ। ଭକ୍ତଙ୍କ ଗହଳ ଚହଳରେ ରାଜଧାନୀ ଜଗନ୍ନାଥମୟ ପାଲଟିଯାଇଥିଲା।

ଭୁବନେଶ୍ୱର ଇସ୍କନ ରଥଯାତ୍ରା

୧୯୮୯ ମସିହାରୁ ପାଳିତ ହୋଇଆସୁଥିବା ଇସ୍କନ ଘୋଷଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ଏଠାରେ ସମସ୍ତ ବିଧିବିଧାନ ସମ୍ପାଦିତ ହୋଇଥିଲା। ରଥ ପ୍ରତିଷ୍ଠା ପରେ ପହଣ୍ଡିବିଜେ ଅନୁଷ୍ଠିତ ହୋଇଥିଲା। ଛେରାପହଁରା କରାଯିବା ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା। ତିନି ରଥରେ ଚତୁର୍ଦ୍ଧା ମୂର୍ତ୍ତି ଭକ୍ତମାନଙ୍କ ଗହଣରେ ପହଞ୍ଚିଥିଲେ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ।

ସେହିପରି କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କିଟ୍ ମନ୍ଦିର ଟ୍ରଷ୍ଟର ଶ୍ରୀ ଜଗନ୍ନାଥ ମନ୍ଦିର ରଥଯାତ୍ରା କାର୍ଯ୍ୟସୂଚୀ ଅନୁଯାୟୀ ସମ୍ପାଦିତ ହୋଇଯାଇଛି। ୨୦୦୬ରୁ ପାଳିତ ହୋଇଆସୁଛି ଏଠାରେ ରଥଯାତ୍ରା।

ରାଜଧାନୀର ସର୍ବପୁରାତନ ଘୋଷଯାତ୍ରା ଭାବେ ପ୍ରସିଦ୍ଧ ଓ.ୟୁ.ଏ.ଟି. କଲୋନୀର ରଥଯାତ୍ରା ମଧ୍ୟ ଭାବମୟ ପରିବେଶରେ ଅନୁଷ୍ଠିତ ହୋଇଛି।୧୯୭୨ ମସିହାରୁ ଏହା ପାଳିତ ହୋଇଆସୁଛି। ପାରମ୍ପରିକ ରୀତିନୀତି ଅନୁସାରେ ଏଠାରେ ରଥଟଣା ହୋଇଛି। ରଥ ଝାଡେଶ୍ୱରୀ ମନ୍ଦିର ନିକଟକୁ ଆସିଥିଲା।

ଭୁବନେଶ୍ୱର ୟୁନିଟ-୫

ରାଜଧାନୀ ଉପକଣ୍ଠରେ ଥିବା ପଟିଆଠାରେ  ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ଘୋଷଯାତ୍ରା। ଶତାଧିକ ବର୍ଷର ପୁରୁଣା ମନ୍ଦିର ହେଲେ ମଧ୍ୟ କୌଣସି କାରଣବଶତଃ ବନ୍ଦ ହୋଇଯାଇଥିବା ଏହି ଘୋଷଯାତ୍ରା ୨୦୧୦ ମସିହାରୁ ପୁନଃପାଳିତ ହୋଇଆସୁଛି। ଆଜି ମଙ୍ଗଳଆଳତୀ, ରୋଷହୋମ, ଅବକାଶ ନୀତି ପରେ ଠାକୁରଙ୍କୁ ପହଣ୍ଡି କରାଯାଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭକ୍ତମାନେ ଟାଣି ଟାଣି ନେଇଥିଲେ ଦୋଳମଣ୍ଡପ ସାହିରେ ଥିବା ଗୁଣ୍ଡିଚା ମନ୍ଦିର ନିକଟକୁ।

ବାରିପଦାରେ ମହାପ୍ରଭୁଙ୍କ ପହଣ୍ଡି

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା

ଦ୍ୱିତୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଜଗନ୍ନାଥ ମନ୍ଦିରରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ଆଜି ଏଠାରେ ଛେରାପହଁରା ପରେ ଠାକୁରଙ୍କ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହୋଇଛି। ରବିବାର ଦିନ ଏଠାରେ ରଥଟଣା ଯିବ। ମହାପ୍ରଭୁଙ୍କ ପହଣ୍ଡି ନୀତି ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା।

କୋରାପୁଟର ସାବରଶ୍ରୀକ୍ଷେତ୍ର

ପ୍ରତିବର୍ଷ ପରି କୋରାପୁଟ ସାବରଶ୍ରୀକ୍ଷେତ୍ରରେ ବି ଚଳିତବର୍ଷ ରଥଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି। ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦର୍ଶନ କରିଥିଲେ। ଠାକୁରଙ୍କ ପାଖରେ ପଣସ ଭୋଗ ଲାଗି କରିଥିଲେ। ଆନନ୍ଦ ଉଲ୍ଲାସର ସହ ରଥ ଟାଣିଥିଲେ।

କୋରାପୁଟ ସାବରଶ୍ରୀକ୍ଷେତ୍ରର ରଥଯାତ୍ରା

କଟକରେ ଗଡ଼ିଲା ରଥ

ହାଜାରେ ବର୍ଷର ପୁରୁଣା ସହର କଟକରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଦୋଳମୁଣ୍ଡାଇ ଏବଂ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନୀତିକାନ୍ତି ଶେଷ ହେବା ପରେ ପହଣ୍ଡି କରାଯାଇ ରଥରେ ବିଜେ କରାଯାଇଥିଲା। ଛେରାପହଁରା ପରେ ରଥଟଣା ହୋଇଥିଲା। ବର୍ଷାରେ ଭିଜି ଭିଜି ଲୋକେ ରଥ ଟାଣୁଥିବା ଦେଖିବାକୁ ମିଳିଥିଲା।

Comment