ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବେଶିକା ପରୀକ୍ଷା ‘ନିଟ୍’ରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ଶୂନ ରଖିଥିବା ପରୀକ୍ଷାର୍ଥୀମାନେ ବି ଡାକ୍ତରୀ କଲେଜରେ ନାମ ଲେଖାଇଛନ୍ତି। ‘ମାଇନସ୍ ମାର୍କ’ ରଖିଥିବା ପିଲାମାନେ ବି ଏମ୍ବିବିଏସ୍ ପଢ଼ିବାକୁ ଯୋଗ୍ୟ ବିବେଚତିତ ହୋଇଛନ୍ତି।
ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଆୟୋଜିତ ହେଉଥିବା ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ବା ‘ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ’ (NEET)ର ମୂଲ୍ୟାୟନ ପ୍ରଣାଳିକୁ ନେଇ ପ୍ରଶ୍ନ ଉଠିଛି। ୨୦୧୭ରେ ହୋଇଥିବା ଏହି ପରୀକ୍ଷାର ଫଳାଫଳ ବିଶ୍ଳେଷଣରୁ ଯାହା ଜଣାପଡ଼ିଛି, ତାହା ପ୍ରଥମ ଦୃଷ୍ଟିରେ ରୋଚକ ମନେ ହେଉଥିଲେ ହେଁ ବାସ୍ତବରେ ଯେ ସାଂଘାତିକ, ଏହା ନିଃସନ୍ଦେହରେ କୁହାଯାଇପାରେ।
ପ୍ରବେଶିକା ପରୀକ୍ଷା ‘ନିଟ୍’ରେ ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ଓ ରସାୟନ ବିଜ୍ଞାନ ବା କେମିଷ୍ଟ୍ରିରେ ଶୂନ ରଖିଥିବା ପରୀକ୍ଷାର୍ଥୀମାନେ ବି ଡାକ୍ତରୀ କଲେଜରେ ନାମ ଲେଖାଇଛନ୍ତି। ଏମିତି କି ଶୂନରୁ କମ ଅର୍ଥାତ୍ ‘ମାଇନସ୍ ମାର୍କ’ ରଖିଥିବା ପିଲାମାନେ ବି ଏମ୍ବିବିଏସ୍ ପଢ଼ିବାକୁ ଯୋଗ୍ୟ ବିବେଚତିତ ହୋଇଛନ୍ତି। ଏଭଳି ୧୧୦ ଜଣ ଛାତ୍ରଛାତ୍ରୀ ଏବେ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାଗ୍ରହଣ କରୁଛନ୍ତି।
ପରୀକ୍ଷା ଫଳାଫଳ ଅନୁଶୀଳନରୁ ଲୋକଲୋଚନକୁ ଆସିଥିବା ତଥ୍ୟ ଅନୁସାରେ ୨୦୧୭ରେ ୧୯୯୦ ଜଣ ପରୀକ୍ଷାର୍ଥୀ ଡାକ୍ତରୀ ଶିକ୍ଷା ପାଇଁ ମନୋନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫୩୦ ଜଣ ଫିଜିକ୍ସ ଏବଂ କେମିଷ୍ଟ୍ରିରେ ଏକ ଅଙ୍କ ବିଶିଷ୍ଟ ମାର୍କ ରଖିଥିଲେ। ଉଭୟ ବିଷୟରେ ଶୂନ କିମ୍ବା ନେଗେଟିଭ୍ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୧୦। ଏହି ୫୩୦ ଜଣଙ୍କ ମଧ୍ୟରୁ ୫୦୭ ଜଣ ବିଭିନ୍ନ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇଥିଲେ। ସେମାନେ ଏବେ ପଢୁଛନ୍ତି। ଆଗାମୀ ଦିନରେ ଡାକ୍ତର ହୋଇ ରୋଗୀ ସେବା କରିବେ।
ଏଭଳି କାହିଁକି ଓ କେମିତି ହେଲା? ପ୍ରବେଶିକା ପରୀକ୍ଷା ‘ନିଟ୍’ର ୪ଟି ବିଷୟ ପାଇଁ ମୋଟ ମାର୍କ ୭୨୦ ରହିଛି। ପୂର୍ବରୁ ପ୍ରତି ବିଷୟରେ ୫୦ ପ୍ରତିଶତ ମାର୍କ ରଖିଲେ ହିଁ ପରୀକ୍ଷାର୍ଥୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ। ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏହା ୪୦ ପ୍ରତିଶତ ଥିଲା। ୨୦୧୨ ମସିହାରେ ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଏକ ବିଜ୍ଞପ୍ତି ଅନୁସାରେ ଏହି ପ୍ରଣାଳୀକୁ ବଦଳାଇ ଦିଆଗଲା। ପରିବର୍ତ୍ତିତ ନିୟମ ଅନୁସାରେ ପ୍ରତି ବିଷୟରେ ୫୦ କିମ୍ବା ୪୦ ପ୍ରତିଶତ ରଖିବା ଅନିବାର୍ଯ୍ୟ ନୁହେଁ। ବରଂ ମୋଟ ଅଙ୍କର ୫୦ କିମ୍ବା ୪୦ ପ୍ରତିଶତ ରଖିବାକୁ ହେବ। ‘ନିଟ୍’ରେ ପ୍ରତି ବିଷୟ ପାଇଁ କଟ୍ ଅଫ୍ ମାର୍କ ବ୍ୟବସ୍ଥା ନାହିଁ। କୌଣସି ବିଷୟରେ ଅତି କମ୍ରେ କେତେ ମାର୍କ ରଖିଲେ ଜଣେ ଡାକ୍ତରୀ ପଢ଼ିପାରିବ ତାହା କୁହାଯାଇନାହିଁ। ତେଣୁ ଘରୋଇ ମେଡିକାଲ କଲେଜ ମୋଟା ଅଙ୍କର ଦେୟ ନେଇ ପିଲାମାନଙ୍କୁ ପଢ଼ିବାକୁ ଦେଲେ। ମୋଟ ଅଙ୍କ ୭୨୦ରୁ ୧୫୦ ବା ତା’ଠାରୁ କମ ରଖିଥିବା ପିଲାମାନେ ବି ଡାକ୍ତରୀ ଏବଂ ଦନ୍ତ ଚିକିତ୍ସା ପାଠ୍ୟକ୍ରମରେ ନାମ ଲେଖାଇଲେ।
୨୦୧୭ ‘ନିଟ୍’ରେ ୧୫୦ରୁ କମ୍ ମାର୍କ ରଖିଥିବା ୫୩୦ ଜଣଙ୍କ ମଧ୍ୟରୁ ୫୦୭ ଜଣ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇଥିଲେ। ଏହି କଲେଜଗୁଡ଼ିକରେ ବାର୍ଷିକ ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡ଼ିଥାଏ। ହଷ୍ଟେଲ, ଲାଇବ୍ରେରି ବା ଅନ୍ୟ ସୁବିଧା ପାଇଁ ଅଲଗା ଦେବାକୁ ପଡ଼େ। ଏଭଳି ଶିକ୍ଷାନୁଷ୍ଠାନ ପାଇଁ ପ୍ରବେଶିକା ପରୀକ୍ଷାରେ ପାଇଥିବା ଅଙ୍କ ତୁଳନାରେଛାତ୍ରଛାତ୍ରୀଙ୍କ ଦେୟଶକ୍ତି ଅଧିକ ମହତ୍ତ୍ୱପୂର୍ଣ୍ଣ। ଏଥିରେ କେତେକ ‘ଡିମ୍ଡ ୟୁନିଭର୍ସିଟି’ ମଧ୍ୟ ଅଛନ୍ତି। ଏହାର ସିଧାସଳଖ ଅର୍ଥ ହେଉଛି ଏହି ଛାତ୍ରଛାତ୍ରୀମାନେ ପାଠକ୍ରମ ଶେଷ କରିବା ପରେ ଡାକ୍ତର ରୂପେ କ୍ୟାରିଅର ଆରମ୍ଭ କରିବେ।
ସରକାରଙ୍କ ନୂତନ ନୀତି ଅନୁସାରେ ଇଞ୍ଜିନିୟରିଂ ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ମୁଖ୍ୟ) ବା ‘ଜେଇଇ’(ମେନ୍) ଏବଂ ଡାକ୍ତରୀ ପାଇଁ ‘ନିଟ୍’ ବର୍ଷକୁ ଦୁଇଥର ଆୟୋଜିତ ହେବ। ଜାନୁଆରି ଏବଂ ଏପ୍ରିଲରେ ‘ଜେଇଇ’ ଏବଂ ଫେବ୍ରୁଆରି ଏବଂ ମେ ମାସରେ ‘ନିଟ୍’। ଛାତ୍ରଛାତ୍ରୀ ଚାହିଁଲେ ଉଭୟ କିମ୍ବା ଯେ କୌଣସି ଗୋଟିଏ ପରୀକ୍ଷା ଦେଇପାରିବେ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏପରି କରାଯାଇଛି ସତ, କିନ୍ତୁ ମୂଲ୍ୟାୟନ ପ୍ରଣାଳୀରେ ପ୍ରତି ବିଷୟ ପାଇଁ କଟ୍ ଅଫ୍ ମାର୍କ ବ୍ୟବସ୍ଥା ନ ଥିବାରୁ ଏଣିକି ପ୍ରବେଶିକା ପରୀକ୍ଷାର କୌଣସି ବିଷୟରେ ଶୂନ ରଖି ବି ଜଣେ ଡାକ୍ତର ହୋଇପାରିବ।