ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶହେ ବର୍ଷରୁ ଅଧିକ ବୟସର ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରି ଏକ ବିରଳ ରେକର୍ଡ କରିଛି କ୍ୟାପିଟାଲ ହସ୍ପିଟାଲ।

ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ କରିଛି। ଶହେ ବର୍ଷରୁ ଅଧିକ ବୟସର ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି।

ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଡୁଗଲ ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କ ଚକ୍ଷୁରେ କ୍ୟାପିଟାଲ ହସ୍ପିଟାଲରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଶ୍ୱନୀ ମେହେର୍ଦ୍ଧା ଓ ତାଙ୍କ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି। ଜୟକୃଷ୍ଣଙ୍କ ଦୁଇଟି ଯାକ ଆଖିରେ ମୋତିଆ ବିନ୍ଦୁ ହେବାଦ୍ୱାରା ତାଙ୍କୁ ଠିକ୍ ଦେଖାଯାଉ ନଥିଲା।

ପ୍ରାୟ ଏକ ବର୍ଷ ପୂର୍ବେ ସେ କ୍ୟାପିଟାଲ ହସ୍ପିଟାଲକୁ ଆସି ଚକ୍ଷୁ ବିଭାଗରେ ଦେଖାଇଥିଲେ। କିନ୍ତୁ ତାଙ୍କ ପିଠିରେ ସମସ୍ୟା ଏବଂ ଅତ୍ୟଧିକ ବୟସ ଯୋଗୁ ସେତେବେଳେ ତାଙ୍କୁ ଡାକ୍ତରଖାନା ତରଫରୁ ଅପରେସନ ନକରି ଫେରାଇ ଦିଆଯାଇଥିଲା।

୧୯୧୭ ମସିହା ଏପ୍ରିଲ ମାସରେ ଜନ୍ମିତ ଜୟକୃଷ୍ଣ ପିଠିରେ କୁଜ ଥିବାରୁ ସେ ଖଟିଆରେ ସିଧା ହୋଇ ଶୋଇପାରୁ ନାହାଁନ୍ତି । ବୟସ ଅଧିକ କାରଣରୁ ଭଲଭାବେ ଶୁଣିପାରୁ ନାହାଁନ୍ତି । ଆଖି ଅପରେସନ ପାଇିଁ ସିଧାହୋଇ ଶୋଇବା ଏକାନ୍ତ ଜରୁରୀ ଥିବାରୁ ଏ ଭଳି ଅପରେସନ ଡାକ୍ତରମାନଙ୍କ ପାଇଁ ଏକ ଚାଲେଞ୍ଜ ଥିଲା।

ଆଖିକୁ ଆଦୌ ଦେଖା ନଯିବା ପରେ ଜୟକୃଷ୍ଣଙ୍କୁ ପୁଣିଥରେ ତାଙ୍କ ପୁଅ କ୍ୟାପିଟାଲ ହସପିଟାଲକୁ ଆଣିଥିଲେ। ଏଥର କିନ୍ତୁ ଆଖି ପରୀକ୍ଷା ପରେ ତାଙ୍କର ମୋତିଆ ବିନ୍ଦୁ ଅପରେସନ ପାଇଁ ଡାକ୍ତର ମେହେର୍ଦ୍ଧା ନିଷ୍ପତି ନେଇଥିଲେ। ଚିତ୍ ହେଇ ଶୋଇବା ସମସ୍ୟା ଥିବାରୁ ଏହି ଅପରେସନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥିବା ବେଳେ ଡାକ୍ତର ମେହେର୍ଦ୍ଧା ଓ ତାଙ୍କ ଟିମ୍ କିନ୍ତୁ ପଛଘୁଞ୍ଚା ଦେଇନଥିଲେ।

“ଏହି ବିରଳ ଅପରେସନବେଳେ ୩-୪ ଜଣ ସହାୟକ ଜୟକୃଷ୍ଣଙ୍କୁ ଧରି ଉପର ମୁହାଁ ଶୁଆଇବାକୁ ପଡିଥିଲା”, କହିଛନ୍ତି ଡାକ୍ତର ମେହେର୍ଦ୍ଧା। ଏହି ଜଟିଳ ଅପରେସନକୁ ଡାକ୍ତର ମେହେର୍ଦ୍ଧା ଓ ତାଙ୍କ ଟିମ୍ ମାତ୍ର ୫ ମିନିଟ ମଧ୍ୟରେ ସାରିଥିଲେ। ପ୍ରଥମେ ତାଙ୍କ ଡାହାଣ ଅଖିରେ ଅପରେସନ କରାଯାଇଛି ଓ ସେ ଏବେ ଭଲଭାବେ ଦେଖିପାରୁଛନ୍ତି।

ଆଉ ୧୫ ଦିନ ପରେ ତାଙ୍କର ବାମ ଆଖିରେ ମୋତିଆ ବିନ୍ଦୁ ଅପରେସନ କରାଯିବ ବୋଲି ଡାକ୍ତର ମେହେର୍ଦ୍ଧା ସୂଚନା ଦେଇଛନ୍ତି। ବହୁ ପୂର୍ବରୁ ସରକାରୀ ଚିକିତ୍ସାଳୟରେ ଜଣେ ଅତି ବୟସ୍କ ଲୋକଙ୍କର ମୋତିଆ ବିନ୍ଦୁ ଅପରେସନ ହୋଇଥିଲେ ମଧ୍ୟ ଉପଯୁକ୍ତ ପ୍ରମାଣ ଅଭାବରୁ ପ୍ରକୃତ ବୟସ ଜଣାପଡୁନଥିଲା। ହେଲେ ଜୟକୃଷ୍ଣଙ୍କୁ ଭୋଟର ପରିଚୟ ପତ୍ର ଥିବାରୁ ତାଙ୍କର ବୟସ ଏବେ ୧୦୧ ବର୍ଷରୁ ଅଧିକ ବୋଲି ଜଣାପଡିଛି। ଏଭଳି ଅପରେସନ କ୍ୟାପିଟାଲ ହସ୍ପିଟାଲ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇଛି।

Comment