ଓଡ଼ିଶାଲାଇଭ୍‍ ପ୍ରମୁଖ ପ୍ରତିନିଧି

ବଜାରରେ ମିଳୁଥିବା ଅନେକ ଜୁସ୍‌ ଶୁଦ୍ଧ ଫଳରସ ନୁହେଁ! ତେଣୁ ଏବେ ଓଡ଼ିଶାର ବ୍ରାଣ୍ଡଏହାଗ୍ରାହକମାନଙ୍କୁ ଆଣିଦେଇଛି ଶୁଦ୍ଧ ଫଳରସରୁ ପ୍ରସ୍ତୁତ ଜୁସ୍‌ର ସ୍ୱାଦ

ଫଳବଜାରରେ ପ୍ରାୟ ସବୁବେଳେ ଅଡ଼ୁଆ! ଫଳର ଅଭାବ ହେଲେ ବିପଦ, ବେଶୀ ଫଳ ଉତ୍ପାଦନ ହେଲେ ମଧ୍ୟ ବିପଦ। ବଜାରରେ ଫଳର ଅଭାବ ହେଲେ ଦରଦାମ ବଢ଼ି ମହଙ୍ଗା ମାଡ଼ ଖାଏ ଗ୍ରାହକ। ସେହିଭଳି କୌଣସି ସମୟରେ ବହୁତ ପରିମାଣରେ ଫଳ ଉତ୍ପାଦନ ହେଲେ ଚାଷୀ ଅଭାବୀ ବିକ୍ରିର ଶିକାର ହୁଏ। ବେଳେବେଳେ ଚାଷୀମାନେ ଫଳ ଅମଳ କରିବାକୁ ବି ସାହସ ନ କରି ଗଛରେ ତାହା ପଚିଯିବାକୁ ଛାଡ଼ିଦିଅନ୍ତି। ଏହି ସମସ୍ୟା ବିଭିନ୍ନ ରାଜ୍ୟରେ ରହିଛି। ହେଲେ ଓଡ଼ିଶାରେ ଏହାର ମାତ୍ରା ଏକପ୍ରକାର ଗୁରୁତର।

“ଆମେ ଅନେକ ସମୟରେ ଭାବୁ ଯେ ରାଜ୍ୟରେ ଆବଶ୍ୟକ ସଂଖ୍ୟକ କୋଲ୍‌ଡ ଷ୍ଟୋରେଜ ତିଆରି ହେଲେ ଓଡ଼ିଶାର ଚାଷୀ ବଞ୍ଚିଯିବ। ହେଲେ ଏହା ସମ୍ପୂର୍ଣ୍ଣ ସତ ନୁହେଁ। ବିଶେଷକରି ରାଜ୍ୟର ଫଳଚାଷୀ ବା ଉଦ୍ୟାନ କୃଷି ଉପରେ ନିର୍ଭରଶୀଳ ଚାଷୀ, ଉଦ୍ୟୋଗୀ, ବ୍ୟବସାୟୀ ଏବଂ ଗ୍ରାହକ – ଯଦି ଆମେ ସମସ୍ତଙ୍କ ସ୍ୱାର୍ଥ କଥା ବିଚାର କରୁ, ତେବେ ଆମକୁ ଫୁଡ ପ୍ରୋସେସିଂ ବା ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବାକୁ ହେବ”, ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଓଡ଼ିଶାର ଉଦୀୟମାନ କୃଷିଉଦ୍ୟୋଗୀ କର୍ଣ୍ଣେଲ ଅସିତ ମହାପାତ୍ର। ଆମେ ସାଧାରଣତଃ ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ କଥା ଆଲୋଚନା କରୁଥିବା ବେଳେ କର୍ଣ୍ଣେଲ ମହାପାତ୍ରଙ୍କ ଭଳି ଉଦ୍ୟୋଗୀମାନେ ତା’ଠାରୁ ଦି’ପାଦ ଆଗକୁ ଚିନ୍ତା କରୁଛନ୍ତି।

“ଆପଣ ଆମ୍ବଚାଷକୁ ଉଦାହରଣ ଭାବେ ନିଅନ୍ତୁ। ଆନ୍ଧ୍ରପ୍ରଦେଶ ବା ଉତ୍ତରପ୍ରଦେଶ ସହ ତୁଳନା କଲେ ଓଡ଼ିଶାର ଆମ୍ବ କୌଣସି ଗୁଣରେ କମ୍‌ ନୁହେଁ। ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୫୦ ହଜାର ଟନରୁ ଅଧିକ ଆମ୍ବ ଉତ୍ପାଦନ ହେଉଛି। ତା’ ଭିତରେ ରହିଛି ରସାଳ ଆମ୍ରପଲ୍ଲୀ, ତୋଟାପୁରୀ, ଦଶେରୀ ଏବଂ ବାଇଗଣପଲେଇ ଭଳି ବିଭିନ୍ନ ଜାତିର ଆମ୍ବ। ହେଲେ ରାଜ୍ୟରେ ଆବଶ୍ୟକ ପଲ୍‌ପ ପ୍ରକ୍ରିୟାକରଣ ଶିଳ୍ପ ନଥିବାରୁ ଓଡ଼ିଶାର ଆମ୍ବଚାଷୀମାନେ ମୁଖ୍ୟତଃ ସ୍ଥାନୀୟ ବଜାର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଯଦି ଫଳ ପ୍ରକ୍ରିୟାକରଣ ଶିଳ୍ପରେ ଆବଶ୍ୟକ ବିକାଶ ହୋ‍ଇପାରନ୍ତା, ତେବେ ଓଡ଼ିଶା ଆମ୍ବରୁ ବହୁପରିମାଣର ଜୁସ୍‌ ତିଆରି ହୋ‍ଇ ତାହା ଦେଶବିଦେଶ ବଜାରକୁ ଯାଇପାରନ୍ତା”, କହିଛନ୍ତି କର୍ଣ୍ଣେଲ ଅସିତ ମହାପାତ୍ର।

ଆଜି ରାଜ୍ୟରେ ମିଲ୍‌କି ମୁ’ ବ୍ରାଣ୍ଡ କ୍ଷୀରର ଯେଉଁ ଲୋକପ୍ରିୟତା ଦେଖିବାକୁ ମିଳୁଛି, ଦିନେ ତା’ ପଛର ଅନ୍ୟତମ ମେରୁଦଣ୍ଡ ଥିଲେ କର୍ଣ୍ଣେଲ ମହାପାତ୍ର। କୋଣାର୍କ ନିକଟରେ ଏହି କମ୍ପାନିର ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ରହିଛି। ପ୍ଲାଣ୍ଟ ପ୍ରତିଷ୍ଠାଠାରୁ ଦୁଗ୍ଧଚାଷୀମାନଙ୍କୁ ଏକାଠି କରିବା, ସେମାନଙ୍କୁ ବୈଷୟିକ ତାଲିମ ଓ ସାହାଯ୍ୟ ଯୋଗାଇଦେବା ଏବଂ ଚାଷୀଙ୍କ ଦୁଆରୁ ସଂଗୃହୀତ କ୍ଷୀର ଅତ୍ୟାଧୁନିକ ପ୍ଲାଣ୍ଟରେ ପ୍ରକ୍ରିୟାକରଣ ହୋ‍ଇ ପୁଣି ଗ୍ରାହକଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ, ସେହି ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ଅନ୍ୟତମ ଆଧାର ଥିଲେ ଅସିତ ବାବୁ।

ସେ ଆରମ୍ଭରୁ ମିଲ୍‌କ ମୁ’ର ସିଓ‌ଓ ପଦବୀରେ ରହିଥିଲେ। ନିଜକୁ ଜଣେ କୃଷିଉଦ୍ୟୋଗୀ ଭାବେ ଠିଆ କରିବାକୁ ଉଦ୍ୟମ କରୁଥିବା କର୍ଣ୍ଣେଲ ମହାପାତ୍ର ମିଲ୍‌କି ମୁରୁ ଆସିବା ପରେ ଏବେ ଆଗ୍ରି ଲିଙ୍କ ଫୁଡ୍‌ ପ୍ରୋସେସିଂ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ନୂଆ କମ୍ପାନି ପ୍ରତିଷ୍ଠା କରିଛନ୍ତି| ତାଙ୍କ ସହିତ ଏହି ଉଦ୍ୟୋଗରେ କୋ-ଫାଉଣ୍ଡର ଓ ଡାଇରେକ୍ଟର ହିସାବରେ ଯୋଡ଼ି ହୋ‍ଇଛନ୍ତି (ତାଙ୍କ ସ୍ତ୍ରୀ) ଶର୍ମିଲୀ ମହାପାତ୍ର।

ଆଗ୍ରିଲିଙ୍କର ପ୍ରଥମ ପ୍ରଡକ୍ଟ ହିସାବରେ ‘ଏହା’ଜୁସ୍‌ ନିକଟରେ ଓଡ଼ିଶା ବଜାରରେ ପ୍ରବେଶ କରିଛି। “ପ୍ରଥମ ଦଫାରେ ଆମେ ଆମ୍ବ ଓ ଲିଚୁ ଜୁସ୍‌ ପ୍ରସ୍ତୁତ କରିଛୁ। ଏହା ଅତ୍ୟନ୍ତ ସ୍ୱାସ୍ଥ୍ୟକର ଢାଞ୍ଚାରେ ଟେଟ୍ରାପ୍ୟାକ୍‌ରେ ବଜାରରେ ମିଳୁଛି। ଏହା ଏକ ଶୁଦ୍ଧ ଜୁସ୍‌। ଏଥିରେ ଆମେ କୌଣସି ପ୍ରିଜରଭେଟିଭ୍‌ ମିଶାଉ ନାହୁଁ”, ସୂଚନା ଦେଇଛନ୍ତି କର୍ଣ୍ଣେଲ ମହାପାତ୍ର।

ଏକ ଆକର୍ଷଣୀୟ ଟେଟ୍ରାପ୍ୟାକ୍‌ରେ ଏବେ ମିଳୁଛି ‘ଏହା’ଜୁସ୍‌ । ପ୍ରଥମ ଦଫାରେ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଆଦି ୧୦ଟି ଜିଲ୍ଲାର ୧୦,୦୦୦ରୁ ଅଧିକ ଆଉଟଲେଟରେ ଓଡ଼ିଶା ତିଆରି ଏହି ନୂଆ ଜୁସ୍‌ ‘ଏହା’ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି କର୍ଣ୍ଣେଲ ଅସିତ ମହାପାତ୍ର ଓ ତାଙ୍କ ଟିମ୍‍।

ଆଜି ବଜାରରେ ଅନେକ ବଡ଼ ବଡ଼ କମ୍ପାନିର ଜୁସ୍‌ ବ୍ରାଣ୍ଡ ରହିଛି। ତେବେ ‘ଏହା’ କିଭଳି ସ୍ୱତନ୍ତ୍ର ଏବଂ ଏହି ପ୍ରଡକ୍ଟ କିଭଳି ପ୍ରତିଯୋଗିତା ଭିତରେ ଠିଆ ହେବ? ଏ ପ୍ରଶ୍ନର ଉତ୍ତରରେ କର୍ଣ୍ଣେଲ ମହାପାତ୍ର କହନ୍ତି, “‘ଏହା’ ସମ୍ପୂର୍ଣ୍ଣ ହୋମ୍‌ଗ୍ରୋନ୍‌। ଅର୍ଥାତ୍‌ ଓଡ଼ିଶାର ଉଦ୍ୟୋଗୀଙ୍କ ହାତରେ ଏବଂ ଓଡ଼ିଶାରେ ସୃଷ୍ଟି। ତା’ଛଡ଼ା ଆମର ପ୍ରଡକ୍ଟ ଶୁଦ୍ଧ ଫଳରସରୁ ପ୍ରସ୍ତୁତ। ଏହାର ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ବେଳେ ଆମେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦେଉଛୁ| ଆମ ପ୍ରଡକ୍ଟ କିଭଳି ସ୍ୱାସ୍ଥ୍ୟପ୍ରଦ ହେବ, ସେ ଦିଗରେ ଆମେ ପୂର୍ଣ୍ଣ ଯତ୍ନବାନ| ତେଣୁ ମୋର ବିଶ୍ୱାସ, ଗ୍ରାହକମାନେ ‘ଏହା’ର ସ୍ୱାଦ ଚାଖିଲେ, ବାରମ୍ବାର ବଜାରରେ ଆମ ପ୍ରଡକ୍ଟ ନିଶ୍ଚୟ ଖୋଜିବେ।” ତା’ ସାଙ୍ଗକୁ ୨୦୦ ମିଲିଲିଟର ଜୁସର ଦର ମାତ୍ର ୧୫ ଟଙ୍କା ରଖାଯାଇଥିବାରୁ ଏହା ମଧ୍ୟ ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ଏକ ଆକର୍ଷଣ ହେବ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

‘ଏହା’ର ବିଭିନ୍ନ ପ୍ରଡକ୍ଟକୁ ସ୍ୱାସ୍ଥ୍ୟକର କରିବା ପାଇଁ ଆବଶ୍ୟକ ପରିମାଣର ଭିଟାମିନ-ଏ, ଭିଟାମିନ-ସି ଏବଂ ଏଲୋବେରା ମିଶାଯାଉଛି। ବର୍ତ୍ତମାନ ବଜାରକୁ ‘ଏହା’ର ଆମ୍ବ ଓ ଲିଚୁ ଜୁସ୍‌ ଆସୁଥିବା ବେଳେ ଆଗାମୀ ଦିନରେ ସପୁରି, ଜାମୁକୋଳି ଏବଂ ଆଲୋବେରା ଜୁସ୍‌ ଆସିବ ବୋଲି ଆଗ୍ରି ଲିଙ୍କର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

କୃଷି ଉଦ୍ୟୋଗୀ କର୍ଣ୍ଣେଲ ଅସିତ ମହାପାତ୍ରଙ୍କ ଦୃଷ୍ଟିଭଙ୍ଗୀ ସ୍ପଷ୍ଟ। “ଆମେ ଯେଉଁ କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା କରିଛୁ, ତାହାର ମୂଳ ଆଧାର ହେଉଛି ଗ୍ରାହକମାନଙ୍କ ପାଇଁ ଉଚ୍ଚମାନର ତଥା ସ୍ୱାସ୍ଥ୍ୟକର ସାମଗ୍ରୀ ପ୍ରସ୍ତୁତ କରିବା, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦନ ପାଇଁ ଉଚିତ୍‍ ମୂଲ୍ୟ ଯୋଗାଇଦେବା ଏବଂ ଏହି ବଜାରକୁ ଏକ ଲାଭଜନକ କାରବାରରେ ପରିଣତ କରିବା। ବର୍ତ୍ତମାନ ପାଇଁ ଆମେ ମୁଖ୍ୟତଃ ହର୍ଟିକଲ୍‌ଚର ବା ଫଳଚାଷଜନିତ ସାମଗ୍ରୀ ଉପରେ ଜୋର ଦେଉଛୁ”, ଆଗ୍ରି ଲିଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ଏହାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମହାପାତ୍ର।

‘ଏହା’ର ପ୍ରୋସେସିଂ ଓ ପ୍ୟାକେଜିଂ ବର୍ତ୍ତମାନ ପାଇଁ ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ଥିବା ଦେଶର ଏକଅତ୍ୟାଧୁନିକ ପ୍ଲାଣ୍ଟରେ କରାଯାଉଛି। ଏହି ପ୍ଲାଣ୍ଟରେ ଭାରତର ବଡ଼ ବଡ଼ ଜୁସ୍‌ ବ୍ରାଣ୍ଡ ସେମାନଙ୍କର ବିଭିନ୍ନ ପ୍ରଡକ୍ଟର କୋ-ପ୍ୟାକେଜିଂ ମଧ୍ୟ କରିଆସୁଛନ୍ତି। “ଆମେ ଖୁବ୍‌ ଶୀଘ୍ର ଓଡ଼ିଶାରେ ଏକ ଷ୍ଟେଟ୍‌ ଅଫ୍‌ ଦ ଆର୍ଟ୍‌ ଜୁସ୍‌ ପ୍ରୋସେସିଂ ପ୍ଲାଣ୍ଟ ପ୍ରସ୍ତୁତ କରିବାକୁ ଯାଉଛୁ। ଭୁବନେଶ୍ୱର ନିକଟରେ ଏହି ପ୍ଲାଣ୍ଟ ତିଆରି ହେବ। ଆମେ କିଛି କିଛି ଫଳ ବାହାର ରାଜ୍ୟରୁ ଆଣିବୁ ସତ, ହେଲେ ଆମର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶାର ଫଳଚାଷୀଙ୍କୁ ପ୍ରୋତ୍ସାହିତ କରିବା”, କହିଛନ୍ତି ଆଗ୍ରିଲିଙ୍କର କୋ-ଫାଉଣ୍ଡର ଶର୍ମିଲୀ ମହାପାତ୍ର।

ଆଗ୍ରି ଲିଙ୍କ କମ୍ପାନି ରାଜ୍ୟର ପ୍ରମୁଖ ଫଳ ଉତ୍ପାଦନକାରୀ ଜିଲ୍ଲା ମଧ୍ୟରେ କଟକ, ମୟୂରଭଞ୍ଜ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କୋରାପୁଟ ଏବଂ ରାୟଗଡ଼ା ଆଦି ସ୍ଥାନରେ ଚାଷୀମାନଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି। ଆଗାମୀ ଦିନରେ କମ୍ପାନି ଫଳଚାଷୀମାନଙ୍କୁ ମଞ୍ଜି, ଔଷଧ ଏବଂ ବିଭିନ୍ନ ବୈଷୟିକ ସହାୟତା ପ୍ରଦାନ କରି ରାଜ୍ୟରେ ଫଳଚାଷକୁ ଏକ ସଫଳ ବ୍ୟବସାୟ ରୂପେ ଠିଆ କରିବା କ୍ଷେତ୍ରରେ ସହଯୋଗ ଜାରି ରଖିବ।

ଓଡ଼ିଶାରେ ଆମ୍ବ ସହ ଅନ୍ୟ କେତେକ ଫଳଚାଷର ଅଧିକ ସମ୍ଭାବନା ରହିଥିଲେ ମଧ୍ୟ କୌଣସି ପଲ୍‌ପିଂ ଏବଂ ଫଳପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ପ୍ଲାଣ୍ଟ ନ ଥିବାରୁ ଓଡ଼ିଶାର ଚାଷୀ ଓ ଉଦ୍ୟୋଗୀମାନେ ଏ ଦିଗରେଲାଭବାନ ହୋ‍ଇପାରୁନାହାନ୍ତି ବୋଲି କହିଛନ୍ତି ଶ୍ରୀ ମହାପାତ୍ର।କେବଳ ସେତିକି ନୁହେଁ, ଏହି କାରଣରୁ ରାଜ୍ୟର ଫଳଚାଷୀମାନେ ବିଭିନ୍ନ ଏଜେଣ୍ଟ ବା ଫଳବେପାରିଙ୍କ ଦ୍ୱାରା ଶୋଷଣ ହେଉଥିବାର ଅଭିଯୋଗ ହୁଏ। ସେହିପରି ବଜାର ଦରରେ ତଳ-ଉପର ହେବା କାରଣରୁ ମଧ୍ୟମ ଓ ଛୋଟ ଧରଣର ଫଳଚାଷୀମାନେ ଅନେକ ସମୟରେ କ୍ଷତିଗ୍ରସ୍ତ ହୋ‍ଇଥାନ୍ତି ।ତେଣୁ ଆଗାମୀ ଦିନରେ ଆଗ୍ରିଲିଙ୍କ ପ୍ରତିଷ୍ଠା କରିବାକୁ ଯାଉଥିବା ଫଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଓଡ଼ିଶାର ଚାଷୀମାନଙ୍କ ପାଇଁ ଏକ ଭଲ ଖବର ନିଶ୍ଚୟ।

“ଭାରତୀୟମାନଙ୍କ ଖାଦ୍ୟ ଅଭ୍ୟାସ ଭିତରେ ଏବେ ଜୁସ୍‌ ସ୍ଥାନ ପାଇଛି। ତେଣୁ ଆଗାମୀ ଦିନରେ ଦେଶରେ ଜୁସ୍‌ ବଜାର ପାଇଁ ଏକ ବିରାଟ ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ଆଖି ଆଗରେ ରଖି ତଥା ଓଡ଼ିଶାରୁ ଆମଦାନି ହେଉଥିବାସ୍ୱାଦିଷ୍ଟ ଫଳର ବ୍ୟବହାର କରି ଆମେ ‘ଏହା’କୁ ଆପଣମାନଙ୍କ ପାଇଁ ବଜାରକୁ ଛାଡ଼ୁଛୁ”, କହିଛନ୍ତି କର୍ଣ୍ଣେଲ ମହାପାତ୍ର।

“ଆପଣମାନେ ଆଜି ବଜାରରୁ କିଣି ଯେଉଁ ଜୁସ୍‌ ପିଉଛନ୍ତି, ତା’ ଭିତରୁ ଅନେକ ପ୍ରକୃତ ଜୁସ୍‌ ନୁହେଁ। ହେଲେ ‘ଏହା’ ଶୁଦ୍ଧ ଫଳରସରୁ ପ୍ରସ୍ତୁତ ଜୁସ୍‍। ‘ଏହା’ ହିଁ ଆମର ଭିନ୍ନତା”, ଶେଷରେ ଗ୍ରାହକମାନଙ୍କ ପାଇଁ ଏହି ଭରସା ଦେଇଛନ୍ତି ଅବସରପ୍ରାପ୍ତ ଆର୍ମି କର୍ଣ୍ଣେଲ ତଥା ଓଡ଼ିଶାର ଉଦୀୟମାନ କୃଷି ଉଦ୍ୟୋଗୀ ଅସିତ ମହାପାତ୍ର।

Comment