ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରାଟ କୋହଲି ଆଇସିସି ଦିନିକିଆ ମାନ୍ୟତାରେ ନିଜ ଶୀର୍ଷ ସ୍ଥାନକୁ ଆହୁରି ମଜବୁତ୍‌ କରିଛନ୍ତି।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଜୀବନର ଶ୍ରେଷ୍ଠ ଆଇସିସି ଦିନିକିଆ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତା ପଏଣ୍ଟ ୯୧୧ରେ ପହଞ୍ଚିଛନ୍ତି। ଘରୋଇ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‍ ପରେ କୋହଲି ଅଧିକ ୨ ମାନ୍ୟତା ପଏଣ୍ଟ ପାଇଛନ୍ତି। ଏହି ସିରିଜ୍‍ରେ କୋହଲି ଚମତ୍କାର ପ୍ରଦର୍ଶନ କରି ୩ଟି ଦିନିକିଆ ମ୍ୟାଚ୍‍ରେ ୭୫, ୪୫ ଓ ୭୧ ରନ୍‍ ସ୍କୋର୍‍ କରିଥିଲେ।

୯୧୧ ପଏଣ୍ଟ ୨୭ ବର୍ଷ ପରେ ଦିନିକିଆ ବ୍ୟାଟ୍‍ସମ୍ୟାନ୍‍ଙ୍କ ପାଇଁ ସର୍ବାଧିକ ମାନ୍ୟତା ପଏଣ୍ଟ। ୧୯୯୧ରେ ଅଷ୍ଟ୍ରେଲିଆର ଡିନ୍‍ ଜୋନ୍‍ସ ୯୧୮ ପଏଣ୍ଟ ପାଇଥିଲେ।

ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ହାରିବା ସତ୍ତ୍ୱେ କୋହଲିଙ୍କ ଉତ୍‌ଥାନରେ ଅଂକୁଶ ଲାଗିପାରିନି।
ଅନ୍ୟପକ୍ଷରେ ଲଗାତାର ଦ୍ୱିତୀୟ ଶତକ ଯୋଗୁଁ ଇଂଲଣ୍ଡର ଜୋ ରୁଟ୍‌ ମାନ୍ୟତା ତାଲିକାରେ କୋହଲିଙ୍କ ପଛକୁ ଦ୍ୱିତୀୟରେ ରହିଛନ୍ତି।

ପାକିସ୍ତାନର ବାବର ଆଜମ୍‌, ଭାରତର ରୋହିତ ଶର୍ମା, ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ଵର୍ନର ଓ ନ୍ୟୁଜିଲାଣ୍ଡ୍‌ର ରସ୍‌ ଟେଲର ଗୋଟିଏ ଲେଖାଏଁ ସ୍ଥାନ ଖସି ଯଥାକ୍ରମେ ତୃତୀୟରୁ ଷଷ୍ଠ ସ୍ଥାନରେ ରହିଛନ୍ତି।

ଭାରତ ବିପକ୍ଷ ଦୁଇଟି ଶତକ ବଳରେ ୪ ପଏଣ୍ଟ୍‌ ଆୟ କରିଥିବା ରୁଟ୍‌ ୩ ମଧ୍ୟ ଜୀବନର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ପୂର୍ବରୁ ରୁଟ୍‌ଙ୍କ ଶ୍ରେଷ୍ଠ ମାନ୍ୟତା ଚତୁର୍ଥ ସ୍ଥାନ (୨୦୧୬ ଅଗଷ୍ଟ) ଥିଲା। ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ୍‌ ଓ ଫାଫ୍‌ ଡୁ ପ୍ଲେସିସ୍‌, ନ୍ୟୁଜିଲାଣ୍ଡ୍‌ର କେନ୍‌ ଓ୍ଵିଲିୟମ୍‌ସନ୍‌ ଏବଂ ଭାରତର ଶିଖର ଧାଓ୍ଵନ୍‌ ଯଥାକ୍ରମେ ସପ୍ତମରୁ ଦଶମ ସ୍ଥାନରେ ରହିଛନ୍ତି।

ଭାରତୀୟ ସ୍ପିନର କୁଲ୍‌ଦୀପ୍‌ ଯାଦବ ପ୍ରଥମ ଥର ଲାଗି ନିଜ ଜୀବନର ଶ୍ରେଷ୍ଠ ମାନ୍ୟତା (ଶୀର୍ଷ-୧୦ ମଧ୍ୟରେ) ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ମୋଟ ୯ ଓ୍ଵିକେଟ୍‌ ଦଖଲ କରିଥିବା କୁଲ୍‌ଦୀପ୍‌ ବୋଲରଙ୍କ ମାନ୍ୟତାରେ ଏକାବେଳକେ ୯ ସ୍ଥାନ ଲମ୍ଫ ଦେଇ ଷଷ୍ଠରେ ପହଞ୍ଚି ଯାଇଛନ୍ତି।

ଏଥି ସହିତ ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଥିବା ଦ୍ରୁତ ବୋଲର ଜସ୍‌ପ୍ରୀତ୍‌ ବୁମ୍‌ରାଙ୍କ ପରେ କୁଲ୍‌ଦୀପ୍‌ ଦ୍ୱିତୀୟ ଭାରତୀୟ ତଥା ପଞ୍ଚମ ସ୍ପିନର ଭାବେ ଶୀର୍ଷ-୧୦ ମଧ୍ୟରେ ସ୍ଥାନ ଅକ୍ତିଆର କଲେ।
ଶୀର୍ଷ-୧୦ରେ ଥିବା ଅନ୍ୟ ୪ ସ୍ପିନର ହେଲେ ରସିଦ୍‌ ଖାନ୍‌ (ଦ୍ୱିତୀୟ), ଇମ୍ରାନ୍‌ ତାହିର (ସପ୍ତମ), ଆଦିଲ୍‌ ରସିଦ୍‌ (ଅଷ୍ଟମ) ଓ ୟୁଜ୍‌ବେନ୍ଦର ଚହଲ୍‌ (ଦଶମ)।

ଭାରତକୁ ହରାଇବା ପରେ ଦିନିକିଆ ଦଳଗତ ମାନ୍ୟତାରେ ଗୋଟିଏ ପଏଣ୍ଟ ଅଧିକ ପାଇ ୧୨୭ ପଏଣ୍ଟ ସହ ଇଂଲଣ୍ଡ ତା’ର ୧ନଂ ସ୍ଥାନକୁ ଆହୁରି ମଜ୍‍ଭୁତ କରିଛି। ପରାଜୟ ପରେ ଭାରତ ଗୋଟିଏ ପଏଣ୍ଟ ହରାଇବା ସହ ୧୨୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି।

Comment