ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିପକ୍ଷରେ ଭାରତ ସିରିଜ୍‍ ହାରିବା ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଚର୍ଚ୍ଚା ଜୋର୍‍ଧରିଛି।

କ୍ରିକେଟକୁ ଅଲବିଦା କହିବେ କି ମହେନ୍ଦ୍ର ସିଂହ ଧୋନି? ମାହି କେବେ କହିବେ କ୍ରିକେଟକୁ ଅଲବିଦା? ଏବେ ଏହିସବୁ ପ୍ରଶ୍ନ ଧୋନିଙ୍କ ପ୍ରଶଂସକଙ୍କ ମଧ୍ୟରେ ଉଙ୍କି ମାରୁଛି।
ଲଡ୍ସ ଦିନିକିଆରେ ପରାଜିତ ହୋଇ ଫେରିବା ବେଳେ ଧୋନିଙ୍କ ଆଚରଣ ତାଙ୍କ ଅବସର ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

ଧୋନି ସାଧାରଣତଃ ଭାରତ ବିଜୟ ପରେ ଷ୍ଟମ୍ପ୍‌କୁ ସ୍ମରଣିକା ଭାବେ ନେଇଥାଆନ୍ତି। ହେଲେ ମଙ୍ଗଳବାର ସେ ଅମ୍ପାୟାରଙ୍କୁ ମ୍ୟାଚ୍‌ ବଲ୍‌ ମାଗୁଥିବାର ଭିଡିଓ ଏବେ ସୋସିଆଲ ଗଣମାଧ୍ୟମରେ ବ୍ୟାପି ଯାଇଛି।

ଧୋନିଙ୍କର ଏହି ଅଚାନକ ବଲ୍‌ ପ୍ରେମ ପରେ ତାଙ୍କ ଅବସର ନେଇ ନାନା ପ୍ରକାର କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଧୋନି ଚଳିତମାସରେ କିମ୍ବା ସେପ୍ଟେମ୍ବରରେ ୟୁଏଇରେ ହେବାକୁ ଥିବା ଏସିଆ କପ୍‍ ପରେ ସମସ୍ତ ପ୍ରକାର କ୍ରିକେଟ୍‍ରୁ ଅବସର ନେବାର ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି।

ମଙ୍ଗଳବାର ୩ୟ ଦିନିକିଆରେ ଭାରତ ପରାସ୍ତହେବା ପରେ ଖେଳାଳି ପାଭିଲିଅନ୍‍ ଫେରୁଥିବା ବେଳେ ମହେନ୍ଦ୍ର ସିଂହ ଧୋନି ଅମ୍ପାୟାରଙ୍କଠାରୁ ମ୍ୟାଚ୍‍ ବଲ୍‍ ମାଗି ନେଇଥିଲେ। ସ୍ୱାଭାବିକ ଭାବେ ଧୋନି ଏପରି କରନ୍ତିନାହିଁ। କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‍ରେ ଭାରତର ବିଜୟ କିମ୍ବା ଏହି ମ୍ୟାଚ୍‍ରେ ଭାରତର ବିଜୟ ହୋଇଥିଲେ; ଧୋନି ମ୍ୟାଚ୍‍ ବଲ୍‍ ମାଗିରଖିବା ଗ୍ରହଣୀୟ। ତେବେ ଭାରତ ପରାସ୍ତ ହୋଇଥିବା ମ୍ୟାଚ୍‍ର ବଲ୍‍ ଧୋନି ମାଗିବା ତାଙ୍କ ଅବସରର ଚର୍ଚ୍ଚାକୁ ଅଧିକ ଖୋରାକ୍‍ ଯୋଗାଇଛି।

୨୦୧୪ରେ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ୍‍ ମଝିରେ ଧୋନି ଟେଷ୍ଟ କ୍ରିକେଟ୍‍ରୁ ଅବସର ଘୋଷଣା କରିଥିଲେ। ତେବେ ଏହି ଘୋଷଣା ପୂର୍ବରୁ ଧୋନି ଖେଳିଥିବା ମେଲ୍‍ବୋର୍ଣ୍ଣ ଟେଷ୍ଟ ଶେଷରେ ସେ ମ୍ୟାଚ୍‍ର ଷ୍ଟମ୍ପ୍‍କୁ ଧରି ଚାଲି ଆସିଥିଲେ।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‍ରେ ଧୋନିଙ୍କ ଧିମା ବ୍ୟାଟିଂକୁ ନେଇ ସମାଲୋଚନା କରାଯାଉଛି। ଗତ ଆଇପିଏଲ୍‍ରେ ଚମତ୍କାର ପ୍ରଦର୍ଶନ କରିଥିବା ଧୋନି ଏହି ସିରିଜ୍‍ରେ ଦ୍ରୁତଗତିରେ ରନ୍‍ ସ୍କୋର୍‍ କରିବାରେ ଅସୁବିଧା ଅନୁଭବ କରିଥିଲେ।

ଶନିବାର ୨ୟ ଦିନିକିଆରେ ଭାରତ ୩୨୩ ରନ୍‍ର ପିଛା କରିଥିବା ବେଳେ ଧୋନି ୫୯ ବଲ୍‍ରୁ ମାତ୍ର ୩୭ ରନ୍‍ କରି ପାରିଥିଲେ।

୩ୟ ଦିନିକିଆରେ ମଧ୍ୟ ଧୋନି ଦୀର୍ଘ ସମୟ ବ୍ୟାଟିଂ କରିଥିଲେ ମଧ୍ୟ ୬୬ ବଲ୍‍ରୁ ୪୨ ରନ୍‍ କରିଥିଲେ। ତାଙ୍କର ଏପରି ୨ଟି ଇନିଂସ ପରେ ଧୋନିଙ୍କୁ ତୀବ୍ର ସମାଲୋଚନା କରା ଯାଇଥିଲା। ପୂର୍ବରୁ ସେଟ୍‍ ହେବା ପରେ ଧୋନି ସହଜରେ ସଟ୍‍ ଖେଳି ପାରୁଥିବା ବେଳେ ଗତ ୨ଟି ମ୍ୟାଚ୍‍ରେ ଏହା ଦେଖିବାକୁ ମିଳିନଥିଲା।

ଯେତେବେଳେ ଧୋନିଙ୍କୁ ଅବସରର ପ୍ରଶ୍ନ ପଚରା ଯାଇଥାଏ; ସେ ନିଜର ଫିଟ୍‍ନେସ କଥା କହିଥାଆନ୍ତି ଏବଂ ୨୦୧୯ ବିଶ୍ୱକପ୍‍ ଖେଳିବାକୁ ପ୍ରସ୍ତୁତ ବୋଲି ପରୋକ୍ଷରେ ସୂଚନା ଦେଇଥାଆନ୍ତି। ତେବେ ଇଂଲଣ୍ଡ ବିପକ୍ଷରେ ୨ଟି ଦିନିକିଆରେ ତାଙ୍କ ଧିମା ବ୍ୟାଟିଂ ଧୋନିଙ୍କୁ ଭାରାକ୍ରାନ୍ତ କରିଛି। ତେଣୁ ବିଶ୍ୱକପ ପର୍ଯ୍ୟନ୍ତ ଅପେକ୍ଷା ନକରି ସେ ଅବସର ନେଇପାରନ୍ତି ବୋଲି କ୍ରିକେଟ ସମୀକ୍ଷକ ମତ ଦେଇଛନ୍ତି।

ଧୋନି କ୍ରିକେଟ୍‍ରେ ଅନ୍ୟତମ ମହାନ୍‍ ଖେଳାଳି। ଦିନିକିଆରେ ବିଶ୍ୱର ୧୨ଶ ଏବଂ ଭାରତର ୪ର୍ଥ କ୍ରିକେଟର ଭାବେ ଧୋନି ୧୦ ହଜାର ଦିନିକିଆ ରନ୍‍ ପୂରଣ କରିଛନ୍ତି। ପୁଣି ବିଶ୍ୱର ପ୍ରଥମ ବ୍ୟାଟ୍‍ସମ୍ୟାନ୍‍ ଭାବେ ୩୭ ବର୍ଷ ବୟସ୍କ ଧୋନି ୫୦ରୁ ଅଧିକ ଆଭ୍‍ରେଜ୍‍ରେ ୧୦ ହଜାର ଦିନିକିଆ ରନ୍‍ କରିଛନ୍ତି।

ତାଙ୍କ ନେତୃତ୍ୱରେ ଭାରତ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଓ ୨୦୧୧ ବିଶ୍ୱକପ୍‍ ଚମ୍ପିଆନ୍‍ ହୋଇଥିଲା। ଏବେ ବି ୱିକେଟ ପଛରେ ଧୋନି ବେଶ୍‍ ଚପଳ ଥିଲେ ହେଁ ବୟସର ଛାପ ତାଙ୍କ ବ୍ୟାଟିଂରେ ଦେଖିବାକୁ ମିଳୁଛି। ଫିନିସର ଭାବେ ଧୋନିଙ୍କର ଯେଉଁ ଖ୍ୟାତି ଥିଲା; ତାହା ଆଉ ନାହିଁ। ଟୁଇଟରରେ ତାଙ୍କ ପ୍ରଶଂସକମାନେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି।

ଧୋନି ଏ ପର୍ଯ୍ୟନ୍ତ ୩୨୧ଟି ଦିନିକିଆ ଓ ୯୩ଟି ଟ୨୦ ମ୍ୟାଚ୍‌ ଖେଳି ସାରିଛନ୍ତି। ନିକଟରେ ସେ ଦିନିକିଆ ଫର୍ମାଟରେ ୧୦ ହଜାର ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି।

Comment