ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀର ଉପରମୁଣ୍ଡରେ ହୋଇଛି ପ୍ରବଳ ବର୍ଷା। ବୁର୍ଲା ଏବଂ ସୋନପୁରରେ ରେକର୍ଡ ସଂଖ୍ୟକ ବର୍ଷା ହୋଇଥିବାରୁ ମହାନଦୀରେ ଦେଖାଦେଇଛି ବନ୍ୟା ଆଶଙ୍କା। ତେବେ ବଡ଼ ଧରଣର ବନ୍ୟା ହେବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି। କ୍ଷୁଦ୍ର ଏବଂ ମଧ୍ୟମ ଧରଣର ବନ୍ୟା ହେବ ବୋଲି ସେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଖଇରମାଳଠାରେ ମହାନଦୀରେ ୬.୮ ଲକ୍ଷ ବନ୍ୟା ଜଳ ପ୍ରବାହିତ ହେଉଛି। ସୋମବାର ସୁଦ୍ଧା ୭.୫ରୁ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ କଟକର ମୁଣ୍ଡୁଳି ବ୍ୟାରେଜଠାରେ ପହଞ୍ଚିବ। ଏଥିପାଇଁ ନଦୀ କୁଳିଆ ବାସିନ୍ଦାଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

ଆଜି ବୁର୍ଲା ଏବଂ ସୋନପୁରରେ ରେକର୍ଡ ସଂଖ୍ୟକ ବର୍ଷା ହୋଇଛି। ବୁର୍ଲାରେ ଗୋଟିଏ ଦିନରେ ୬୨୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୧୯୮୨ରେ ବୁର୍ଲାରେ ୫୮୧.୯ ମିଲିମିଟର ବର୍ଷା ହୋଇଥିଲା। ସମ୍ବଲପୁର ସହର ଜଳବନ୍ଦୀ ହୋଇଯାଇଛି। ମୁଖ୍ୟ ରାସ୍ତା ସମେତ କଲୋନୀ ରାସ୍ତାରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି।

ଲଗାଣ ବର୍ଷାରେ ବରଗଡ଼ ମଧ୍ୟ ଉବୁଟୁବୁ ହୋଇଛି। ଆଣ୍ଠୁଏ ଆଣ୍ଠୁଏ ପାଣିରେ ଲୋକେ ଯା ଆସ କରୁଛନ୍ତି। ମାଟି ଘର ଭାଙ୍ଗି ଯାଇଛି। କନ୍ଧମାଳ ଜିଲ୍ଲା ମଧ୍ୟ ବର୍ଷାରେ ବେହାଲ୍ ହୋଇଯାଇଛି। ବାଲିଗୁଡ଼ା-ତୁମୁଡ଼ିବନ୍ଧ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ୨ଟି କଲଭର୍ଟ ଧୋଇ ହୋଇଯିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here