ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ି ଆସିଛନ୍ତି ମହାବାହୁ। ସୋମବାର ଦିନ ରଥରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥ ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଦିଘୋଷ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଆଗରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି। ବର୍ଷାକୁ ଖାତିର୍ ନକରି ଭକ୍ତି ରସରେ ଭିଜିଥିଲେ ଭକ୍ତ।

କିଏ ମହାପ୍ରଭୁଙ୍କୁ ହାତଟେକି ନିଜକୁ ସମର୍ପଣ କରିଦେଇଥିଲା ତ ପୁଣି ଆଉ କିଏ ବଡ଼ଦାଣ୍ଡରେ ଗଡ଼ି ଯାଇଥିଲା। ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଭଜନ, କୀର୍ତ୍ତନରେ ମଜ୍ଜି ଯାଇଥିଲେ। ହରିବୋଲ, ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ।

ଶୃଙ୍ଖଳିତ ନୀତିକାନ୍ତି

ଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ଶୃଙ୍ଖଳିତ ହୋଇଥିଲା। ସେବାୟତମାନେ ମହାପ୍ରଭୁଙ୍କ ସେବା ପୂଜା ଠିକ୍ ସମୟରେ ଶେଷ କରିଥିବାରୁ ଆଜି ଦୀର୍ଘ ବର୍ଷ ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ହୋଇଥିଲା ଏବଂ ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିଲା। ୭ ଦିନ ହେଲା ମହାପ୍ରଭୁ ଆଡ଼ପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ। ଶନିବାର ଦିନ ସନ୍ଧ୍ୟା ଦର୍ଶନ ଶେଷ ହେବା ପରେ ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ଭୋର୍ ୪ଟାରୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମଇଲମ୍, ତଡ଼ପଲାଗି, ରୋଷହୋମ, ଅବକାଶ ନୀତି ଶେଷ ହେବା ପରେ ସକାଳଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସେନାପଟା ଲାଗି ହେବା ପରେ ତିନିଠାକୁର ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସିଥିଲେ। ରଥାରୂଢ଼ ମହାପ୍ରଭୁଙ୍କ ଛେରାପହଁରା ଶେଷ ହେବା ପରେ ନିର୍ଦ୍ଧାରିତ ସମୟର ଅଢ଼େଇ ଘଣ୍ଟା ପୂର୍ବରୁ ରଥଟଣା ହୋଇଥିଲା।

ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ମା’ ସୁଭଦ୍ରାଙ୍କର ରଥ ଲାଗିଥିଲା। ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହ ରଥ ଟାଣିଥିଲେ। ପଛରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭକ୍ତଙ୍କ ମେଳରେ ରହି ରହି ଆସିଥିଲା।

ଲକ୍ଷ୍ମୀ ନାରାୟଣ ଭେଟ

ବାହୁଡ଼ାଯାତ୍ରାର ସବୁଠାରୁ ଆକର୍ଷଣୀୟ ଥିଲା ଲକ୍ଷ୍ମୀ ନାରାୟଣ ଭେଟ। ଏହି ଭେଟ ନିଜେ ସ୍ୱୟଂ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୂଜାର୍ଚ୍ଚନା ସହ ସମାପନ କରିଥିଲେ। କାଳିଆର ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ରହିଥିଲା। ଏହି ସମୟରେ ଶ୍ରୀମନ୍ଦିରରେ ମହାଜନ ସେବକମାନେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟ୍ଟବସ୍ତ୍ର, ଫୁଲମାଳ, ଅଳଙ୍କାରରେ ସଜ୍ଜିତ କରି ସାତ ପାହାଚ ପାଲିଙ୍କିରେ ବିଜେ କରାଇଥିଲେ।

ପାଲିଙ୍କିରେ ମା’ ବସି ଆନନ୍ଦ ବଜାର ପାଣିଟାଙ୍କି ପାଖରେ ଥିବା ଚାହାଣି ମଣ୍ଡପକୁ ଯାଇ ନନ୍ଦିଘୋଷ ରଥକୁ ଦେଖିଥିଲେ। ପରେ ଶ୍ରୀନଅର ପାଖକୁ ଯାଇଥିଲେ। ବାଟରେ ସିଂହଦ୍ୱାର ନିକଟରେ ଦେଢ଼ଶୁର ଥିବାରୁ ତାଙ୍କୁ ରଥକନା ଘେରରେ ଲୁଚାଇ ରଖାଯାଇଥିଲା।

ଗଜପତି ଦହିପଟି ମଣୋହି ପୂଜା କରିଥିଲେ। ଗଜପତି ନିଜ ହାତରେ ମା’ ଲକ୍ଷ୍ମୀଙ୍କୁ ଧରି ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଦର୍ଶନ କରାଇବା ପରେ ରଥ ଚାରିପଟ ବୁଲିଥିଲେ। ପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ମା’ ଶ୍ରୀମନ୍ଦିରକୁ ଫେରିଥିଲେ। ଏହି ଭେଟ ବେଳେ ଭିତରଛୁ, ପତି ମହାପାତ୍ର, ଗରାବଡ଼ୁ, ବିମାନବଡ଼ୁ, ମହାଜନ, ବଜନ୍ତରୀ  ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପରେ ନନ୍ଦିଘୋଷ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା।

ରେକର୍ଡ ଭାଙ୍ଗିଲା ଚଳିତ ବର୍ଷର ରଥଯାତ୍ରା

ପୂର୍ବ ବର୍ଷମାନଙ୍କରେ ହୋଇଥିବା ରଥଯାତ୍ରାରେ ବିଭ୍ରାଟ ଦେଖାଦେଇଥିଲା। କିନ୍ତୁ ଚଳିତ ବର୍ଷର ରଥଯାତ୍ରା ରେକର୍ଡ ଭାଙ୍ଗିଛି। ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ତିନି ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଅପରାହ୍ଣ ୩ଟା ୩୦ରେ ବଡ଼ଭାଇ ବଳଭଦ୍ରଙ୍କ ରଥ ପହଞ୍ଚିବା ପରେ ୩ଟା ୫୦ରେ ସୁଭଦ୍ରାଙ୍କ ରଥ ଏବଂ ୫ଟା ୩୫ରେ ଜଗନ୍ନାଥଙ୍କ ରଥ ଶ୍ରୀମନ୍ଦିର ପାଖରେ ପହଞ୍ଚିଥିଲା। ସକାଳ ୯ଟାରୁ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ପ୍ରାୟ ୧୨ଟା ବେଳକୁ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ୧ଟା ୩୦ରେ ରଥଟଣା ଆରମ୍ଭ ହୋଇଥିଲା।

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୁରୀ ସହର ପୋଲିସ ଛାଉଣୀରେ ପରିଣତ ହୋଇଥିଲା। ୧୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ୧୦୦୦ ବରିଷ୍ଠ ଅଧିକାରୀ ମୁତୟନ ହୋଇଥିଲେ।

ପୁରୀ ସହରକୁ ୩ଟି ଡିଭିଜନରେ ବିଭକ୍ତ କରାଯାଇ ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା ପୋଲିସ। ସିସିଟିଭି ମଧ୍ୟ ପୂରା ସହର ଉପରେ ନଜର ରଖିଛି। ୧୦୦ ହୋମଗାର୍ଡ, ବିଭିନ୍ନ ସ୍ୱେଚ୍ଛାସେବୀ ମଧ୍ୟ ପୁରୀରେ ମୁତୟନ ହୋଇଛନ୍ତି। ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ପୁରୀରେ ବଳବତ୍ତର ରହିବ।

Comment