ଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୫୩ ବର୍ଷ ପରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଲକ୍ଷ୍ୟ ସେନ୍‌ ଏସିଆନ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍‌ରେ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି।

ଭାରତର ଲକ୍ଷ୍ୟ ସେନ୍‌ ଇତିହାସ ସୃଷ୍ଟି କରିଛନ୍ତି। ଜାକର୍ତ୍ତାରେ ଖେଳାଯାଇଥିବା ଏସିଆନ୍‌ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍‌ରେ ସେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଟାଇଟଲ ହାସଲ କରିଛନ୍ତି।

ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସେ ଟପ୍‌ ସିଡ୍‌ ତଥା ବିଶ୍ୱର ୧ ନମ୍ବର ଖେଳାଳି ଥାଇଲାଣ୍ଡର କୁନଲାଭୁଟ୍‌ ଭିଟିଡଶରନଙ୍କୁ ୨୧-୧୯, ୨୧- ୧୮ରେ ହରାଇ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛନ୍ତି।

ଦୀର୍ଘ ୫୩ ବର୍ଷ ପରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଲକ୍ଷ୍ୟ ଏହି ଟୁର୍ଣ୍ଣାମେଣ୍ଟ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ଏହା ଲକ୍ଷ୍ୟଙ୍କ କ୍ୟାରିୟରରେ ଶ୍ରେଷ୍ଠ ସଫଳତା ସାବ୍ୟସ୍ତ ହୋଇଛି।

ଫାଇନାଲରେ ପହଞ୍ଚିବା ପୂର୍ବରୁ ସେ ଦ୍ୱିତୀୟ ସିଡ ଖେଳାଳି ଲି ଶିଫେଣ୍ଡଙ୍କୁ କ୍ୱାର୍ଟର ଫାଇନାଲରେ ପରାସ୍ତ କରିଥିଲେ। ସେହିପରି ସେମିରେ ସେ ଚତୁର୍ଥ ସିଡ ଖେଳାଳି ଇଖଶାନ ରୁମ୍ବେଙ୍କୁ ହରାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ୟଙ୍କୁ ଷଷ୍ଠ ସିଡ୍‌ ମାନ୍ୟତା ମିଳିଥିଲା।

ପୂର୍ବରୁ ୧୯୬୫ରେ ଭାରତର ଗୌତମ ଠାକ୍କର ଏହି ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତେବେ ୨୦୧୬ରେ ଲକ୍ଷ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଫାଇନାଲରେ ବିଜୟୀ ହେବା ପାଇଁ ଲକ୍ଷ୍ୟଙ୍କୁ ବେଶ୍‌ କଷ୍ଟ କରିବାକୁ ପଡିଥିଲା।

ଏସିଆ ଜୁନିୟର ଚାମ୍ପିୟନଶିପ୍‌ରେ ପୂର୍ବରୁ ପଦକ ହାସଲ କରିଥିବା ଖେଳାଳିମାନେ ହେଲେ ଗୌତମ ଠାକ୍କର (୧୯୬୫ରେ ସ୍ବର୍ଣ୍ଣ), ପ୍ରଣବ ଚୋପ୍ରା ଓ ପ୍ରଜକ୍ତା ସାଓ୍ବନ୍ତ (୨୦୦୯ରେ ବ୍ରୋଞ୍ଜ୍‌), ୨୦୧୧ରେ ସମୀର ବର୍ମା ରୌପ୍ୟ ଓ ପି.ଭି. ସିନ୍ଧୁ ବ୍ରୋଞ୍ଜ୍‌, ୨୦୧୨ରେ ସିନ୍ଧୁ (ସ୍ବର୍ଣ୍ଣ), ସମୀର ବର୍ମା (ବ୍ରୋଞ୍ଜ୍‌)।

୧୦ ଲକ୍ଷ ପୁରସ୍କାର
ଐତିହାସିକ ସଫଳତା ହାସଲ କରିବା ପାଇଁ ଲକ୍ଷ୍ୟ ସେନ୍‌ଙ୍କ ପାଇଁ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ ରବିବାର ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏଥି ସହିତ ଲକ୍ଷ୍ୟଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି।

Comment