ଓଡ଼ିଶାଲାଇଭ୍ ବ୍ୟୁରୋ

- ସଚିବାଳୟରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- ବନ୍ୟାଞ୍ଚଳରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ନିର୍ଦ୍ଦେଶ
- ଅଗ୍ନିଶମ କର୍ମଚାରୀ, ଓଡ୍ରାଫ୍ ଟିମ୍ ସଜାଗ ରହିବାକୁ ପରାମର୍ଶ
ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ଓଡ଼ିଶା। ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ପରେ ଏବେ ମହାନଦୀରେ ବଢ଼ୁଛି ଜଳ ସ୍ତର। ମହାନଦୀ ଅବବାହିକାର ୬ ଜିଲ୍ଲା ପ୍ରତି ଦେଖାଦେଇଛି ବିପଦ। ଏହାସହ ବିଭିନ୍ନ ନଦୀରେ ମଧ୍ୟ ଜଳ ପତ୍ତନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ କରିଛନ୍ତି ସମୀକ୍ଷା।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ସଚିବମାନେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପାଣିଘେରରେ ରହିଥିବା ଲୋକଙ୍କ ପାଖରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରିଲିଫ୍ ବଣ୍ଟନରେ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଓଡ୍ରାଫ୍ ଟିମ୍ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ। ଖାଲି ସେତିକି ନୁହେଁ, ପାଣି କମିବା ମାତ୍ରେ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ତୁରନ୍ତ ରିପୋର୍ଟ ଦେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ।
କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ଜିଲ୍ଲାପାଳ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ ମହାନଦୀ ସମେତ ବୈତରଣୀ ନଦୀରେ ବନ୍ୟା ଆସିଛି। ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଟପିଥିବାରୁ ଧାମନଗର ଏବଂ ଭଣ୍ଡାରିପୋଖରୀ ଅଞ୍ଚଳର କିଛି ଗାଁ ଜଳମଗ୍ନ ହେବାର ସମ୍ଭାବନା ରହିଛି। ମୁଣ୍ଡୁଳି ତଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆଲର୍ଟ କରାଯାଇଛି। ତେବେ ମହାନଦୀରେ ବଡ଼ ବନ୍ୟା ନୁହେଁ, ମଧ୍ୟମ ଧରଣର ବନ୍ୟା ହେବ ବୋଲି ଆଶଙ୍କା କରାଯାଉଛି।


















