ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାମୀ ଏବଂ ପୁଅକୁ ହରାଇ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ସୁମିତ୍ରା ଦାସ। ଦୁଃଖକୁ ସହି ନପାରି ଭରା ନଈକୁ ଡେଇଁ ପଡ଼ିଥିଲେ ମଧ୍ୟ ସେ ମରଣ ମୁହଁରୁ ଫେରିଆସି କୋହଭରା କଣ୍ଠରେ ନିଜ ଦୁଃଖ କାହାଣୀ ବଖାଣିଛନ୍ତି।

“କୋରାପୁଟ ଦାମନଯୋଡ଼ିରେ ଚାକିରି କରିଥିଲେ ମୋ ସ୍ୱାମୀ। ତିନି ବର୍ଷ ହେଲା ସେ ଘରକୁ ଫେରୁ ନାହାନ୍ତି। କୁଆଡ଼େ ଯାଇଛନ୍ତି ତାର କିଛି ଖୋଜ ଖବର ନାହିଁ। ଦୁଇ ପୁଅଙ୍କ ମୁହଁକୁ ଚାହିଁ ବାବି ଜୀବନ କାଟିଦେବି ବୋଲି ଭାବିଥିଲି। ହେଲେ କିଛି ମାସ ତଳେ ସାନ ପୁଅ ଦୁର୍ଘଟଣାରେ ଆରପାରିକୁ ଚାଲିଗଲା। ଆଖିର ଲୁହକୁ ଆଖିରେ ମାରି ବାକି ଜୀବନ କାଟିବାକୁ ମନସ୍ଥ କରିଥିଲି। କିନ୍ତୁ ସ୍ତ୍ରୀ କଥାରେ ପଡ଼ି ବଡ଼ ପୁଅ ମତେ ପଚାରିଲାନି। ଏମିତି ଜଳି ପୋଡ଼ି ବଞ୍ଚିବା ଅପେକ୍ଷା ଭରା ନଈକୁ ଡେଇଁ ପଡ଼ିଥିଲି। ହେଲେ ସେତକ ବି ମୋ’ ଭାଗ୍ୟରେ ନାହିଁ।”

ଏହା କୌଣସି ଯାତ୍ରା ପାର୍ଟି କିମ୍ବା ଫିଲ୍ମର ସଂଳାପ ନୁହେଁ। କୁଆଖାଇକୁ ଡେଇଁ ୬ କିଲୋମିଟର ଭାସି ଭାସି ନୂଆ ଜୀବନ ନେଇ ଫେରିଥିବା ସୁମିତ୍ରା ଦାସଙ୍କ ଅଙ୍ଗେନିଭା କାହାଣୀ। ମରଣ ମୁହଁରୁ ଫେରି ଆସିବା ପରେ ନିଜ ଜୀବନରେ ଘଟିଥିବା ଦୁଃଖଦ ଘଟଣାକୁ ପୋଲିସ ଏବଂ ଅଗ୍ନିଶମ ଅଧିକାରୀଙ୍କ ପାଖରେ ବଖାଣିଥିଲେ ସୁମିତ୍ରା। ଏହା ଶୁଣି ପୋଲିସ ଏବଂ ଅଗ୍ନିଶମ ଅଧିକାରୀ ହତବାକ୍ ହୋଇଯାଇଥିଲେ।

ସୁମିତ୍ରା ଦାସ। ବୟସ ୫୫। ଘର ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ। ବଡ଼ ପୁଅ, ବୋହୂଙ୍କ ନିର୍ଯାତନା ସହି ନପାରି ସୋମବାର ଦିନ ହଂସପାଳରେ ରହୁଥିବା ଝିଅ ଘରକୁ ଅଟୋରେ ଆସୁଥିଲେ ସେ। ହେଲେ କୁଆଖାଇ ବ୍ରିଜରେ ଅଟୋରୁ ଓହ୍ଲାଇ ପଡ଼ି ସୁମ୍ରିତ୍ରା ସିଧା ଭରା ନଈକୁ ଡେଇଁ ପଡ଼ିଥିଲେ। ଅଟୋ ଚାଳକ ହଲ୍ଲାପଟା କରିଥିଲା। ଲୋକମାନେ ଆସୁ ଆସୁ ସୁମିତ୍ରା ନଈ ସୁଅରେ ଖଣ୍ଡେ ବାଟ ଭାସି ଯାଇଥିଲେ। ଖବରପାଇ ଅଗ୍ନିଶମ ବିଭାଗର ଉଦ୍ଧାରାକରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସୁମିତ୍ରାଙ୍କୁ କୁଆଖାଇର ଉଚ୍ଛୁଳା ପାଣିରୁ ଉଦ୍ଧାର କରିବା ପାଇଁ ଆରମ୍ଭ କରିଥିଲା ଅପରେସନ୍।

୨ ଘଣ୍ଟାର ଅପରେସନ୍

ବନ୍ୟା ଜଳରେ ଉବୁଟୁବୁ ହେଉଛି କୁଆଖାଇ ନଦୀ। ନଦୀର ସ୍ରୋତ ମଧ୍ୟ ପ୍ରଖର ଥିଲା। ଏହି ସୁଅରେ ସୁମିତ୍ରା ଭାସି ଯାଇଥିବାରୁ ତାଙ୍କର ପତ୍ତା ପାଇ ନଥିଲେ ଉଦ୍ଧାରକାରୀ ଟିମ୍। ଅଗ୍ନିଶମ ଅଧିକାରୀ ରମେଶ ମାଝିଙ୍କ ନିର୍ଦ୍ଦେଶରେ ଟିମ୍‌ ଭରା ନଈରେ ସୁମିତ୍ରାଙ୍କୁ ଖୋଜିବାରେ ଲାଗିଲେ। ଘଟଣାସ୍ଥଳରୁ ୬ କିମି ପର୍ଯ୍ୟନ୍ତ ଯାଇଥିଲେ। ଟଙ୍କପାଣି ରୋଡ ପୋଲ ନିକଟରେ ସୁମିତ୍ରାଙ୍କ ମୁଣ୍ଡ ଦେଖାଯାଉଥିଲା। ପାଣିରେ ଉବୁଟୁବୁ ହେଉଥିଲେ ସେ। ଅଗ୍ନିଶମ କର୍ମଚାରୀ ତାଙ୍କ ନିକଟକୁ ଯାଇ ଉଦ୍ଧାର କରିଥିଲେ। ପାଣିରେ ବୁଡ଼ି ବୁଡ଼ି ଅବସ୍ଥା ଗୁରୁତର ହୋଇଯାଇଥିବାରୁ ସୁମିତ୍ରାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସୁସ୍ଥ ହେବା ପରେ ସୁମିତ୍ରା ତାଙ୍କ ଦୁଃଖ କାହାଣୀ ପୋଲିସ ଆଗରେ କହିଥିଲେ।

ମୁଁ କାହିଁକି ବଞ୍ଚିବି?

ସୁମିତ୍ରା ସୁସ୍ଥ ହେବା ପରେ ମଞ୍ଚେଶ୍ବର ପୋଲିସ ଅଧିକାରୀ ପଚାରିଥିଲେ ଯେ କାହିଁକି ପାଣିକୁ ଡେଇଁଲ? ଏହି ପ୍ରଶ୍ନର ଉତ୍ତର ଦେବା ବଦଳରେ ସୁମିତ୍ରା ପାଲଟା ପ୍ରଶ୍ନ କରିଥିଲେ ଯେ – ମୁଁ କାହିଁକି ବଞ୍ଚିବି? ଏହି ପ୍ରଶ୍ନ ଶୁଣି ପୋଲିସ ଅଧିକାରୀ ଚକିତ ହୋଇଯାଇଥିଲେ। ଶେଷରେ ସୁମିତ୍ରା ତାଙ୍କ ଜୀବନରେ ଘଟିଥିବା ଦୁଃଖଦ ଘଟଣାକୁ ବଖାଣିଥିଲେ। ସ୍ୱାମୀ ନିଖୋଜ ଏବଂ ପୁଅ ଆରପାରିକୁ ଚାଲିଯିବା ପରେ ସୁମିତ୍ରା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ବଡ଼ ପୁଅ ନପଚାରିବାରୁ ସେ ବାଧ୍ୟ ହୋଇ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ସୁମିତ୍ରା କାନ୍ଦି କାନ୍ଦି କହିଥିଲେ।

ରଖେ ହରି ମାରେ କିଏ?

ଭରା ନଈକୁ ଡେଇଁ ୬ କିଲୋମିଟର ଭାସି ଭାସି ଯିବା ପରେ ଜଣେ ମହିଳା ବଞ୍ଚିପାରେ! ଏକଥାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ଅଗ୍ନିଶମ ଅଧିକାରୀ ରମେଶ ମାଝି। ତାଙ୍କ ଚାକିରୀ କାଳ ଭିତରେ ଏହା ପ୍ରଥମ ଏବଂ ବିରଳ ଘଟଣା ବୋଲି ସେ କହିଛନ୍ତି। ଭଗବାନଙ୍କ ଆଶୀର୍ବାଦ ନଥିଲେ ଏହା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Comment