ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଉଦଘାଟିତ
  • ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ବାହାର ଦୁନିଆ ସହିତ ସଂଯୋଗ ପାଇଁ ବାଟ ଫିଟିଲା
  • ଗୁରୁପ୍ରିୟା ସେତୁର ଲମ୍ବ ହେଉଛିି ୯୧୦ ମିଟର
  • ୧୫୧ଟି ଗାଁର ଲୋକେ ଉପକୃତ ହୋଇ ପାରିବେ

ଉଦ୍‌ଘାଟିତ ହୋଇଛି ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି। ଗୁରୁପ୍ରିୟା ସେତୁ ଉଦଘାଟନ ହେବା ପରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ବାହାର ଦୁନିଆ ସହିତ ସଂଯୋଗ ପାଇଁ ବାଟ ଫିଟିଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାରଦିନ ସକାଳେ ପହଞ୍ଚି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାକୁ ଉଦ୍‌ଘାଟନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଜାନବାଇ ଘାଟରେ ପହଞ୍ଚି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ସେତୁ ପରିଦର୍ଶନ କରିଥିଲେ। ଏହାପରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସହ ସମୟ ବିତାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମାଓ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଜିଲ୍ଲାରେ ହାଇଆଲର୍ଟ ଜାରି କରି ସୀମାକୁ ସିଲ କରିଦିଆଯାଇଛି। ଗୁରୁପ୍ରିୟା ସେତୁକୁ ବିଏସ୍‌ଏଫ୍‌ ଯବାନ ଘେରି ରହିଛନ୍ତି। ଚିତ୍ରକୋଣ୍ଡା ଠାରୁ ଜାନବାଇ ଘାଟ ପର୍ଯ୍ୟନ୍ତ ପ୍ରତି ମିଟରରେ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି।

ଗୁରୁପ୍ରିୟା ସେତୁର ଲମ୍ବ ହେଉଛିି ୯୧୦ ମିଟର। ପ୍ରାୟ ୧ କିଲୋମିଟର ଦୈଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ ଦ୍ୱାରା ବିଚ୍ଛିନ୍ନାଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରିବ।ଏହା ଫଳରେ ଚିତକୋଣ୍ଡା ବ୍ଲକ୍‌ର ୧୫୧ଟି ଗାଁର ଲୋକେ ଉପକୃତ ହୋଇ ପାରିବେ।

ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ସାଂସଦ ଝିନ ହିକକା, ପ୍ରମୁଖ ଯୋଗ ଦେଇଥିଲେ।

Comment