ଓଡ଼ିଶାଲାଇଭ୍ ବ୍ୟୁରୋ
- ଉଦଘାଟିତ ହେଲା ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ
- ଗୁରୁପ୍ରିୟା ସେତୁକୁ ଶାନ୍ତି, ପ୍ରଗତି ଓ ଗର୍ବର ପ୍ରତୀକ: ମୁଖ୍ୟମନ୍ତ୍ରୀ
- ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ଵପ୍ନ ସାକାର ହୋଇଛି: ମୁଖ୍ୟମନ୍ତ୍ରୀ
- ମାଲକାନଗିରି ପାଇଁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍
- ଗୁରୁପ୍ରିୟା ସେତୁ ନିର୍ମାଣରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
- ନକ୍ସଲ୍ମାନେ ହିଂସା ବଦଳରେ ରାଜ୍ୟର ଶାନ୍ତି ଓ ପ୍ରଗତିରେ ଭାଗୀଦାର ହୁଅନ୍ତୁ: ମୁଖ୍ୟମନ୍ତ୍ରୀ
ଉଦଘାଟିତ ହୋଇଛି ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ। ବୁଧବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁର ଉଦଘାଟନ କରିଥିଲେ।
ଗୁରୁପ୍ରିୟା ସେତୁକୁ ଶାନ୍ତି, ପ୍ରଗତି ଓ ଗର୍ବର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, “ଦୀର୍ଘ ୫ ଦଶନ୍ଧି ଧରି ୧୫୧ଟି ଗାଁରେ ଲୋକେ ବିଚ୍ଛିନ୍ନାଞ୍ଚଳରେ ରହିଥିଲେ। ଏବେ ତାହା ଇତିହାସ ପାଲଟି ଯାଇଛି। ରାଜ୍ୟର ସବୁ ଅଞ୍ଚଳକୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ପ୍ରାଥମିକତା ଦେଇଥିଲେ। ଆଜି ସେହି ସ୍ୱପ୍ନ ସାକାର ହୋଇଛି। ଗୁରୁପ୍ରିୟାସେତୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ”।
ଗୁରୁପ୍ରିୟା ସେତୁ ଉଦ୍ଘାଟନ ପରେ ମାଲକାନଗିରି ପାଇଁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ମାଲକାନଗିରି ଜିଲାର ଗମନାଗମନ, ବିଦ୍ୟୁତକରଣ, ସ୍ୱାସ୍ଥ୍ୟ, କୃଷି, ମତ୍ସ୍ୟଚାଷ, ପାନୀୟ ଜଳଯୋଗାଣ ବିକାଶ ଦିଗରେ ଏହି ଅର୍ଥ ଖର୍ଚ୍ଚ ହେବ। ପରିଶେଷରେ ଗୁରୁପ୍ରିୟା ସେତୁ ନିର୍ମାଣରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
#GurupriyaSetu will bring roads, healthcare and education to the doorstep in 151 villages of Malkangiri district; underpins #Odisha’s commitment to mainstream the isolated by connecting the farthest and remotest #BridgeOfProgress #PragatiraSetuGurupriyahttps://t.co/9zJVmu1vZw
— CMO Odisha (@CMO_Odisha) July 26, 2018
ଗୁରୁପ୍ରିୟା ସେତୁ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ସ୍ରୋତରେ ସାମିଲ ହେବା ପାଇଁ ନକ୍ସଲଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ,“ ଆସନ୍ତୁ, ବିକାଶ ପଥରେ ସାମିଲ ହୁଅନ୍ତୁ। ଶାନ୍ତି ଏବଂ ପ୍ରଗତିରେ ନିଜକୁ ସାମିଲ କରନ୍ତୁ।”
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଗୁରୁପ୍ରିୟା ସେତୁର ଲମ୍ବ ୯୧୦ ମିଟର। ଷାଠିଏ ଦଶକରେ ବାଲିମେଳା ଜଳବିଦ୍ୟୁତ ଯୋଜନା ହେବା ଫଳରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ସୃଷ୍ଟି ହୋଇଥିଲା। ଏହାଦ୍ୱାରା ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଫଳରେ ସେହି ଅଞ୍ଚଳରେ ବିକାଶ ପହଞ୍ଚି ପାରୁନଥିଲା। ଏବେ ଗୁରୁପ୍ରିୟା ସେତୁ ହେବା ଦ୍ୱାରା ଉକ୍ତ ଅଞ୍ଚଳରେ ବିକାଶ ପହଞ୍ଚିଛି।














