ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୪୫ ବର୍ଷର ଜଳବନ୍ଦୀ ଜୀବନ ବିତାଇବା ପରେ ଏଥର ବିକାଶର ମୁଖ୍ୟ ଧାରାରେ ସାମିଲ ହୋଇଛି ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ୧୫୧ ଟି ଗାଁ।

ଦୀର୍ଘ ବର୍ଷର ଅପେକ୍ଷା ପରେ ମାଲକାନଗିରି ଜିଲ୍ଲାର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ଲଞ୍ଚ କିମ୍ବା ବୋଟ୍‌ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସ୍ୱାଧୀନତାର ଦୀର୍ଘ ଦିନ ପରେ ବିଚ୍ଛିନ୍ନାଞ୍ଚଳବାସୀ ଯୋଗାଯୋଗ ପାଇଁ ସିଧାସଳଖ ସୁଯୋଗ ପାଇପାରିବେ।

ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ଵ ସମୟଧରି ଲୋକେ ଡଙ୍ଗା ଏବଂ ବୋଟରେ ବାଲିମେଳା ଜଳଭଣ୍ଡାର ଦେଇ ଯାତାୟତ କରୁଥିବା ବେଳେ ଏବେ ସେହି ବୋଟ ଓ ଡଙ୍ଗା ଏବେ ଅବସର ନେଇଛି। ବିଚ୍ଛିନ୍ନାଞ୍ଚଳବାସୀ ଯାନବାହାନରେ ଯାତାୟତ କରିବେ ଏବଂ ପୂର୍ବଭଳି ବିପଦପୂର୍ଣ୍ଣ ଯାତାୟତର ପୂର୍ଣ୍ଣଚ୍ଛେଦ ପଡ଼ିଛି।

ବିଚ୍ଛିନ୍ନାଞ୍ଚଳବାସୀଙ୍କ ମନରେ ଫୁଟାଇବ ହସ

ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତର ୧୫୧ ଗ୍ରାମରେ ବାସ କରୁଥିବା ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ଵ ଲୋକେ ସବୁଦିନିଆ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଇତ୍ୟାଦି ନିଜ ଘର ପାଖରେ ପାଇବେ।

୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଗୁରୁପ୍ରିୟା ସେତୁ ନିର୍ମାଣ ବହୁ ଘାତପ୍ରତିଘାତ ମଧ୍ୟରେ ଆରମ୍ଭ ହୋଇଥିଲା। ସେତୁ କାର୍ଯ୍ୟ ୨ ବର୍ଷରେ ସରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଭିନ୍ନ ବାଧାବିଘ୍ନ ଦେଇ ଧାର୍ଯ୍ୟ ସମୟର ୭ ମାସ ପରେ ସମାପ୍ତ ହୋଇଛି।

ଗୁରୁପ୍ରିୟା ସେତୁର ପୂର୍ଣ୍ଣାଙ୍ଗ ପାଇଁ ସରକାରୀ ସ୍ତରରେ ଯେଭଳି ତତ୍ପରତା ପାଇଥିଲେ ହେଁ ବିଭିନ୍ନ କାରଣରୁ ଏହା ସଂପୂର୍ଣ୍ଣ ହେବାରେ ବିଳମ୍ବ ହୋଇଥିଲା। ଏଭଳିକି ସେତୁକୁ ନେଇ ନାନା ପ୍ରଶ୍ନ ଉଠିଥିଲା। ଏବେ ସେଥିରେ ପୁର୍ଣ୍ଣଚ୍ଛେଦ ପଡ଼ିଛି।

ଗୁରୁପ୍ରିୟା ସେତୁ

୧୯୮୬ ମସିହାରୁ ବହୁ ଆଶାଆଶଙ୍କା ମଧ୍ୟରେ ଗତି କରି ଶେଷରେ ସରିଛି ଗୁରୁପ୍ରିୟା ନଦୀ ଉପର ୯୧୦ ମିଟର ଦୈଘ୍ୟର ଏହି ସେତୁ। ୧୯୬୦ରେ ବାଲିମେଳା ଓ ୧୯୮୦ରେ ମାଛକୁଣ୍ଡ ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ଜିଲ୍ଲାର ୧୫୧ରୁ ଅଧିକ ଗ୍ରାମ ସ୍ଥଳଭାଗରୁ ବିଚ୍ଛିନ୍ନ ହୋଇରହିଥିଲା।

ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଲକ୍ଷ୍ୟରେ ବିଭିନ୍ନ ସମୟରେ ଏହି ସେତୁ ନିର୍ମାଣର ପରିକଳ୍ପନା ହୋଇଥିଲା। ବିଭିନ୍ନ ସମୟରେ ଜଣାଶୁଣା ଠିକାସଂସ୍ଥା ମେସର୍ସ ଗାମନ୍‌ ଇଣ୍ଡିଆ-ବିବିଜେ, ମେସର୍ସ ଓବିସିସି, ମେସର୍ସ ଓସିସି ପ୍ରଭୃତି ଏହାର କାମ ହାତକୁ ନେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।

ଶେଷରେ ୨୦୧୪ରେ କଲ୍‌କାତାର ମେସର୍ସ ରୟାଲ୍‌ ଇନ୍‌ଫ୍ରାଷ୍ଟକଚର୍‌ ଲିମିଟେଡ୍‌ ୧୮୭.୨୫ କୋଟି ଟଙ୍କାର ଟେଣ୍ଡର ଧରି କାମ ଆରମ୍ଭ କରି ଗତ ମାସରେ ସାରିଥିଲା।

କେନ୍ଦ୍ର ଦେଇଛି ମାତ୍ର ୨୭କୋଟି

୨୦୧୦ରେ ବାମପନ୍ଥୀ ଉଗ୍ରବାଦ ଜିଲ୍ଲା ଯୋଜନାରେ ତତ୍କାଳୀନ ଉପା ସରକାର ଏହି ସେତୁ ନିମନ୍ତେ ୪୭.୪୦ କୋଟି ମଞ୍ଜୁର କରିଥିଲେ। କିନ୍ତୁ ଏହି ପ୍ରକଳ୍ପକୁ ଇପିସି ଠିକା ଭାବେ ବିବେଚନା କରିବାକୁ ବାଧ୍ୟ ହୋଇଥିଲେ ରାଜ୍ୟ ସରକାର।

ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ମନା କରିଦେଇଥିଲା କେନ୍ଦ୍ର। ତେବେ କେନ୍ଦ୍ରୀୟ ଅର୍ଥ ମଧ୍ୟରୁ ପ୍ରାୟ ୨୭ କୋଟି ବିନିଯୋଗ ହୋଇସାରିଥିଲା। ଏଣୁ ରାଜ୍ୟ ସରକାର ନିଜସ୍ୱ ଅର୍ଥରୁ ପ୍ରାୟ ୧୬୦ କୋଟି ବିନିଯୋଗ କରି ଏହି କାର୍ଯ୍ୟ ସାରିବାରେ ସମର୍ଥ ହୋଇଥିଲେ।

ଗୁରୁପ୍ରିୟା ସେତୁର ବିଶେଷତ୍ୱ

ଏହି ଗୁରୁପ୍ରିୟା ସେତୁର ବିଶେଷତ୍ୱ ହେଉଛି, ଏହି ସେତୁ ଜଳଭଣ୍ଡାରର ଅନ୍ୟୂନ ୨୦ ମିଟର ପାଣିରେ ଠିଆ ହୋଇଛି। ନଦୀର ଅନ୍ୟ ସ୍ଥାନରେ ପାଣିର ଗଭୀରତା ୩୦ରୁ ୩୫ ମିଟର।

ମାଓବାଦୀଙ୍କ ଆକ୍ରମଣର ଭୟ ଥିବାରୁ ସୁରକ୍ଷା କର୍ମୀ ଓପୁଲିସ ବାହିନୀଙ୍କ କଡ଼ା ପହରା ମଧ୍ୟରେ ଏହାର ନିର୍ମାଣ ସମ୍ପନ୍ନ ହୋଇଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଆଖପାଖ ଗ୍ରାମଗୁଡ଼ିକର ଲୋକଙ୍କ ପାଇଁ ରାଜ୍ୟ ସରକାର ଆସନ୍ତା ବର୍ଷକ ଭିତରେ ୧୫୦ କି.ମି. ଦୈଘ୍ୟର ୧୨ଟି ବିଭିନ୍ନ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାର ଯୋଜନା କରିଛନ୍ତି।

ନବୀନ ସରକାରଙ୍କ ବଡ଼ ସଫଳତା

ଗୁରୁପ୍ରିୟା ସେତୁକୁ ନେଇ ଅନେକ ସରକାର ଚେଷ୍ଟା କରି ଆସିଥିଲେ ମଧ୍ୟ ମାଓବାଦୀଙ୍କ ଉପଦ୍ରବ ଯୋଗୁ ସେତୁ କାର୍ଯ୍ୟ ପୂରା ହୋଇପାରିନଥିଲା। ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ସମଗ୍ର ବିଚ୍ଛିନ୍ନାଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରି ରଖିଥିଲେ ମାଓବାଦୀ। ଲାଲଗଡରେ ସରକାରଙ୍କ ବିକାଶ ପହଞ୍ଚୁ ବୋଲି ଚାହୁଁ ନଥିଲେ ନକ୍ସଲ। ଏଡାପରେ ଏହି ଅଞ୍ଚଳକୁ ସରକାରୀ ବାବୁମାନେ ଆସିବାକୁ ଡରିଲେ। ଏହାପରେ ସେତୁ କାର୍ଯ୍ୟ ନିର୍ମାଣ ସରକାରଙ୍କ ପାଇଁ ଏକ ନୁଆ ଚ୍ୟାଲେଞ୍ଜ ଥିଲ। ସବୁ ଆଶା ଆଶଙ୍କାର ଅବସାନ ଘଟାଇ ଶେଷ ହୋଇଥିଲା ସେତୁ ନିର୍ମାଣ କାମ।

ସେତୁ ପାଇଁ ସୁରକ୍ଷା

ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଗୁରୁପ୍ରିୟା ସେତୁକୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି। ସେତୁର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ ସହ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ସେତୁର ଉଭୟ ପାର୍ଶ୍ଵରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି।

Comment