ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ଆଟାଚ ଯୋଗୁଁ ହନ୍ତସନ୍ତ ହେଲେ ଟ୍ରେନ୍ ଯାତ୍ରୀ। ଶୁକ୍ରବାରଦିନ ପ୍ରାୟ ୧୧ଟା ବେଳେ ପୁରୀ ନିକଟସ୍ଥ ବୀରପୁରୁଷୋତ୍ତମପୁର ରେଳବାଇ ଗେଟ୍ ନିକଟସ୍ଥ ରେଲେଓ୍ଵ ଟ୍ରାକ୍ରେ ଏକ ସନ୍ଧିଗ୍ଧ ଆଟାଚ୍ ପଡ଼ିଥିଲା। ଏଥିରେ ବୋମା ଥିବା ସନ୍ଦେହ କରାଯାଉଥିବାରୁ ଏହି ରୁଟ୍ର ରେଳ ଚଳାଚଳ ବନ୍ଦ କରିଦିଆଯାଇଥିଲା।
ରେଳବାଇ ଗେଟ୍ ନିକଟସ୍ଥ ରେଳେଓ୍ଵ ଟ୍ରାକ୍ରେ ଏକ ଆଟାଚ୍ରେ ବିଦ୍ୟୁତ ତାର ଓ ଏକ ପ୍ଲାଷ୍ଟିକ ଡବା ସଂଯୁକ୍ତ ହୋଇ ପଡ଼ିଥିବାର ଦେଖି ରେଳବାଇ ପୋଲିସକୁ କେତେକ ଲୋକ ଜଣାଇଥିଲେ।
ଏହି ଆଟାଚ୍ରେ ବୋମା ଥିବା ନେଇ ସନ୍ଦେହ ହେବାରୁ ସଙ୍ଗେ ସଙ୍ଗେ ଏହି ରୁଟ୍ରେ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା। ଫଳରେ ବୀରପୁରୁଷୋତ୍ତମପୁର ନିକଟରେ ପୁରୀ- ଓଖା ଟ୍ରେନ ଓ ମେମୁ ଟ୍ରେନ ଅଟକି ଥିବା ବେଳେ ଡେଲାଙ୍ଗ ଷ୍ଟେସନରେ ପୁରୀ- ଅନୁଗୁଳ ଟ୍ରେନ୍ ଅଟକି ରହିଥିଲା।
ସେହିପରି ସାକ୍ଷୀଗୋପାଳ ନିକଟରେ ନୀଳାଚଳ ଟ୍ରେନ୍ ସହିତ ଅନ୍ୟ ଏକ ଟ୍ରେନ ମଧ୍ୟ ଅଟକି ରହିଥିଲା। ଏହାକୁ ନେଇ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଡଗ୍ ସ୍କ୍ଵାଡ୍ ସହାୟତାରେ ଏହି ଆଟାଚ୍ରେ ବୋମା ଅଛି କିମ୍ବା ନାହିଁ ତାର ତଦାରଖ ପାଇଁ ରେଳବାଇ ପୋଲିସ ଓ ସୁରକ୍ଷା ଅଧିକାରୀମାନେ ପହଞ୍ଚିଥିଲେ।
ଜିଆରପି ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଡଗ୍ ସ୍କ୍ଵାଡ୍ ସହିତ ପହଞ୍ଚି ତଦନ୍ତ କରିଥିଲେ। ଏକ ଖୋଲା ଆଟାଚକୁ ଜବତ କରିଛି ଆରପିଏଫ୍। ଏହା ଏକ ନକଲି ବାମା ବୋଲି ଜଣାପଡ଼ିଥିଲା। ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।














