ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସବୁଜ ବନୀକରଣ ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ
  • ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଲଗାଇବେ ଗଛ
  • ପ୍ରତି ପଞ୍ଚାୟତରେ ଲାଗିବ ଗଛ

ସବୁଜ ବନୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ବିଜୁ ଯୁବ ବାହିନୀ’ ର ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ ସାରା ରାଜ୍ୟରେ ୩୦ ଲକ୍ଷ ଚାରାରୋପଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଚାରାରୋପଣ କରି ମୁଖ୍ୟମନ୍ତ୍ରୀ ସବୁଜ ବନୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଏହାସହ ଆଜିଠାରୁ ବିଭିନ୍ନ ବ୍ଲକ ସ୍ତରରେ ମଧ୍ୟ ‘ବିଜୁ ଯୁବ ବାହିନୀ’ ବ୍ୟାନରରେ ଚାରାରୋପଣ ଆରମ୍ଭ ହୋଇଛି। ଚଳିତ ବର୍ଷା ଋତୁ ସୁଦ୍ଧା ୩୦ ଲକ୍ଷ ଚାରାରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

“ଗଛ ବିନା ଜୀବଜଗତ ତିଷ୍ଠି ପାରିବ ନାହିଁ। ଏଣୁ ପରିବେଶର ସୁରକ୍ଷା ପାଇଁ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ନେଇ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ରଥଯାତ୍ରା ପରେ ବଡ଼ଦାଣ୍ଡରେ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ସଫେଇ କାର୍ଯ୍ୟକ୍ରମ କରିବା ଖୁସିର କଥା। ପ୍ଲାଷ୍ଟିକ ପ୍ରଦୂଷଣକୁ କିପରି ରକ୍ଷା କରାଯିବ ସେନେଇ ସମସ୍ତେ ଧ୍ୟାନ ଦିଅନ୍ତୁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିଯାନ ଆରମ୍ଭ କରିଛନ୍ତି ସରକାର। ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚଳରେ ଚାରାରୋପଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ମିଶନ୍ ଗ୍ରୀନ୍ ମହାନଦୀ, ମନରେଗା, ଗ୍ରୀନ୍ ଇଣ୍ଡିଆ ମିଶନ୍ କାର୍ଯ୍ୟକ୍ରମରେ ସହଯୋଗ କରିବେ। ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ ବିଜୁ ଯୁବ ବାହିନୀର ସଦସ୍ୟମାନେ ଚାରାରୋପଣ କରାଯିବ।

ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଯୁବ ବିକାଶ ବୋର୍ଡ କାର୍ଯ୍ୟକାରୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଉନ୍ନୟନ କମିଶନର୍ ଆର୍‌ ବାଲକ୍ରିଷ୍ଣନ୍ ପ୍ରମୁଖ ଉପସ୍ଥିତ ଥିଲେ।

Comment